ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଓଡ଼ିଶାରେ ପ୍ରଭାବ ଶୂନ୍ୟ ପରି ମନେ ହେଉଛି । ଭାରତ ଯୋଡ଼ୋ ଯାତ୍ରା ସମୟରେ ରାଜ୍ୟରେ ଦୁଇ ଦୁଇଟି ଉପନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାସ୍ତ ହେଲା । ତଥାପି ଆଗକୁ ଭଲ ପ୍ରଦର୍ଶନ କରିବା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଜନସାଧାରଣଙ୍କ ପାଖରେ ପହଞ୍ଚିବା ଓ ସାଧାରଣ ଜନତାଙ୍କ ବିଶ୍ବାସଭାଜନ ହେବା ନେଇ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଓଡ଼ିଶାରେ ଆଜି ଭାରତ ଯୋଡ଼ୋ ଯାତ୍ରା ରାଉରକେଲାରେ ପହଞ୍ଚିଛି । କିନ୍ତୁ ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏହା କେତେ ଜନ ସମର୍ଥନ ପାଇଛି ? ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ହେବା ପରେ ଓଡ଼ିଶାରେ ଦୁଇ ଦୁଇଟି ଉପନିର୍ବାଚନ ସାମ୍ନା କଲା କଂଗ୍ରେସ । ହେଲେ ଉଭୟ ଉପନିର୍ବାଚନରେ ଶୋଚନୀୟ ପରାସ୍ତ ହେଲା କଂଗ୍ରେସ । ଭାରତ ଯୋଡ଼ୋ ଯାତ୍ରା ପ୍ରଭାବ ଶୂନ୍ୟ ଦେଖିବାକୁ ମିଳିଲା । ଆଶା କରାଯାଉଥିଲା ଯେ ଯେଉଁ ସମର୍ଥନ ବିଭିନ୍ନ ରାଜ୍ୟରେ ରାହୁଲ ଗାନ୍ଧୀଙ୍କୁ ମିଳୁଛି ତାର କିଛି ଭାଗ ଓଡିଶା କଂଗ୍ରେସକୁ ମିଳିବ । ହେଲେ ସେମିତି କିଛି ସଫଳତା ଦେଖିବାକୁ ମିଳିଲା ନାହିଁ ।
ତେବେ ଓଡିଶା କଂଗ୍ରେସ ତଥାପି ଆଶା ବାନ୍ଧି ବସିଛି ଆଗକୁ ଓଡିଶାରେ ଭାରତ ଯୋଡ଼ୋ ପ୍ରଭାବ ମିଳିବ । ଆଗକୁ ସାଧାରଣ ନିର୍ବାଚନରେ ଏହାର ସଫଳତା ମିଳିବ । ଦଳ ଅଧିକ ସଶକ୍ତ ହେବ ଓ ସଂଗଠନ ସୁଦୃଢ଼ ହେବ । ଲୋକଙ୍କ ଅଧିକ ନିକଟତର ହେବ ଦଳ । ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ସାରା ଦେଶରେ ଭାରତ ଯୋଡୋକୁ ଯେଉଁଭଳି ଅଦ୍ଭୁତପୂର୍ବ ସଫଳତା ମିଳିଛି, ତାର ପୁନରାବୃତ୍ତି ହେବ ଓଡ଼ିଶାରେ । ଓଡ଼ିଶାରେ କଂଗ୍ରେସ ଖୁବ ଭଲ ପଦର୍ଶନ କରିବ । ଲୋକେ ବିଜେଡି ବିଜେପି ସରକାରର ଭିତିରି କଥା ଜାଣିସାରିଲେଣି । ଆଗକୁ କଂଗ୍ରେସ ହିଁ ବିକଳ୍ପ ।" ତେବେ ଭାରତ ଯୋଡୋ ଦ୍ବିତୀୟ ପର୍ଯ୍ୟାୟ ଦେବଗଡ଼ରୁ ଆରମ୍ଭ ହୋଇ ଗତକାଲି ରାଉରକେଲାରେ ପହଞ୍ଚିଛି । ଆସନ୍ତା ୨୬ ତାରିଖରେ ଏହି ଯାତ୍ରା ଶେଷ ହେବ ।
ଇଟିଭି ଭାରତ, ଭୁବନେଶ୍ବର