ଭୁବନେଶ୍ବର: ଅସହ୍ୟ ହେଉଛି ଗ୍ରୀଷ୍ମ ପ୍ରବାହ । ପ୍ରଚଣ୍ଡ ତାତି ଦିନକୁ ଦିନ ବୃଦ୍ଧି ପାଉଛି । ସାଧାରଣ ମଣିଷ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ବିଜୁଳି କାଟ ଜନସାଧାରଣଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି । ତେବେ ରାଜ୍ୟରେ ବିଦ୍ୟୁତ କାଟ ହେବନାହିଁ ବୋଲି ବିଭାଗୀୟ ମନ୍ତ୍ରୀ କହିବା ପରେ ମଧ୍ୟ ଅଘୋଷିତ ଭାବରେ ବିଦ୍ୟୁତ କାଟ ହେବାକୁ ନେଇ ସମାଲୋଚନା କରିଛି କଂଗ୍ରେସ । ମନ୍ତ୍ରୀଙ୍କର କଥା ଆଉ କାମରେ ତାଳମେଳ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ।
ଗ୍ରୀଷ୍ମ ଦିନରେ ବିଦ୍ୟୁତ୍ ଶକ୍ତି ବ୍ୟବହାର ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ରାଜ୍ୟର କେତେକ ସ୍ଥାନରେ ଦେଖାଦେଉଥିବା ଲୋ ଭୋଲଟେଜ୍ ସମସ୍ୟାର ସମାଧାନ ସହ ଗ୍ରାମୀଣ ବିଦ୍ୟୁତିକରଣ ସମ୍ପର୍କରେ ଦୁଇ ଦିନ ତଳେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ ସମୀକ୍ଷା କରିଥିଲେ । ହେଲେ ଅବସ୍ଥା ଯଥା ପୂର୍ବଂ ତଥା ପରଂ । ବାରମ୍ବାର ବିଦ୍ୟୁତ କାଟ ପାଇଁ କଲବଲ ହେଉଛନ୍ତି ସାଧାରଣ ଲୋକେ । ତେବେ ବିଭାଗୀୟ ମନ୍ତ୍ରୀ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି । ଶକ୍ତି ମନ୍ତ୍ରୀ ଆଜି କହିଛନ୍ତି, "ଏହା ପାୱାର କଟ ନୁହେଁ, ଟ୍ରିପ ହେଉଛି । ସାରା ରାଜ୍ୟରେ ପାୱାର କଟ ହେଉନାହିଁ । ପାୱାର ଟ୍ରିପ ହେଉଛି । ଓଭର ଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ ହେଉଛି । ରାଜ୍ୟରେ ଇଲେକ୍ଟ୍ରିସିଟି ସପ୍ଲାଇରେ କୌଣସି ଅଭାବ ନାହିଁ । ରାଜଧାନୀରେ ଥରେ ଟ୍ରିପ କଲେ ସଜାଡ଼ିବାକୁ ୬ରୁ ୭ ଘଣ୍ଟା ଲାଗୁଛି । ସେହିପରି ଗ୍ରାମାଞ୍ଚଳରେ ଅଧିକ ସମୟ ଲାଗୁଛି ।"
ତେବେ ମନ୍ତ୍ରୀଙ୍କ କଥାର ଜବାବ ଦେଇଛି କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, "ବିଦ୍ୟୁତରେ ବଳକା ରାଜ୍ୟ ହେଉଛି ଓଡିଶା । ସେପଟେ ବିଦ୍ୟୁତ କାଟ ହେବନାହିଁ ବୋଲି ମନ୍ତ୍ରୀ କହିଲା ପରେ ମଧ୍ୟ ଅଘୋଷିତ ଭାବରେ ବିଦ୍ୟୁତ କାଟ ହେଉଛି ଏବଂ ଲୋ ଭୋଲ୍ଟେଜ ହେଉଛି । ସାଧାରଣ ଲୋକମାନେ ହଇରାଣ ହରକତ ହେଉଛନ୍ତି । ହେଲେ ରାଜ୍ୟ ସରକାରଙ୍କ ଚେତା ପଶୁନାହିଁ । ଚାରିଆଡେ ଅଘୋଷିତ ବିଦ୍ୟୁତ କାଟ ହେଉଛି । ଗ୍ରୀଷ୍ମପ୍ରବାହରୁ ସାଧାରଣ ଲୋକେ ଅସୁବିଧାରେ ପଡୁଛନ୍ତି । କଥାରେ ଯାହା କାମରେ ଠିକ ସେମିତି କରିବାର ଆବଶ୍ୟକତା ରହିଛି । ସେପଟେ ସଚିବ ଏହି ସମ୍ପର୍କରେ ସମୀକ୍ଷା କରୁଛନ୍ତି ।" ତେବେ ବଳକା ରାଜ୍ୟରେ ସମୀକ୍ଷାର କଣ ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର