ଭୁବନେଶ୍ବର: ଆଜି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନର 16ତମ ଦିନରେ ଗୃହ ଆରମ୍ଭରୁ ଅଚଳ ହୋଇଛି । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କମ୍ପିଲା ଗୃହ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଥିଲେ । ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ପ୍ରତିବାଦ କରିଥିଲେ । କଳା ପୋଷାକ ପିନ୍ଧି ଗୃହ ମଧ୍ୟଭାଗକୁ ଆସି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ବାଚସ୍ପତି ଯେତେ କହିଥିଲେ ସୁଦ୍ଧା ଗୃହ ସ୍ବାଭାବିକ ହୋଇ ନଥିଲା । ଫଳରେ ଗୃହକୁ ଅପରାହ୍ନ 4ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ପ୍ରତିବାଦ କରିଛି । ବାଚସ୍ପତି ଗୃହକୁ ଆସିବା ମାତ୍ରେ କଂଗ୍ରେସ ସଦସ୍ୟ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ରାହୁଲ ଗାନ୍ଧୀଙ୍କୁ ପଦରୁ ହଟାଯିବା ବିରୋଧରେ କଳା ପୋଷାକ ପିନ୍ଧି ବିଧାନସଭାକୁ ଆସିଥିଲେ କଂଗ୍ରେସ ବିଧାୟକ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ । ବାଚସ୍ପତି ଗୃହ କାର୍ଯ୍ୟ ଆରମ୍ଭ କରିବା ନେଇ କହିଥିଲେ ମାତ୍ର ଶୁଣିନଥିଲେ କଂଗ୍ରେସ ସଦସ୍ୟ । ଆଜି ଗୃହରେ ଗୁରୁତ୍ବପୂର୍ଣ୍ଣ ବିଭାଗର ଖର୍ଚ୍ଚ ବାବଦରେ ଆଲୋଚନା ହେବା କଥା କହି ସଦସ୍ୟଙ୍କୁ ସ୍ଥାନକୁ ଯିବାକୁ କହିଥିଲେ ମାତ୍ର କଂଗ୍ରେସ ସଦସ୍ୟ ଶୁଣି ନଥିଲେ । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ କହିଥିଲେ ହେଲେ ମଧ୍ୟଭାଗରେ ହଙ୍ଗାମା କରିଥିଲେ କଂଗ୍ରେସ ସଦସ୍ୟ । ଫଳରେ ଗୃହ କାର୍ଯ୍ୟକୁ ଅପରାହ୍ନ 4ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ତାରାପ୍ରସାତ ବାହିନୀ କହିଛନ୍ତି,'' ଗଣତନ୍ତ୍ରକୁ ସରକାର ହତ୍ୟା କରିଛନ୍ତି । ଏହାର ପ୍ରତିବାଦରେ ଆଜି ଆମେ ବିଧାୟକ କଳାପୋଷାକ ପିନ୍ଧି କଳା ଦିବସ ପାଳନ କରୁଛି । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ପ୍ରତିବାଦ କରିଛୁ । ଆମ ଦାବି ରଖିବୁ ଗଣତନ୍ତ୍ର ବଞ୍ଚିଲେ ଦେଶ ବଞ୍ଚିବ । ଯେଉଁଠି ଗଣତନ୍ତ୍ରକୁ ହତ୍ୟା କରାଯାଉଛି ଦେଶ ଆଉ ରହିଲା କେଉଁଠି ।''
ପ୍ରକାଶଥାଉ କି, 'ମୋଦି' ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଉପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସୁରଟ ଜିଲ୍ଲା କୋର୍ଟ ତାଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଥିଲା । ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ବିରୋଧରେ କଂଗ୍ରେସ ସଂକଳ୍ପ ସତ୍ୟାଗ୍ରହ କରୁଛି । ସମସ୍ତ ରାଜ୍ୟରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛିଷ ।
ଇଟିଭି ଭାରତ, ଭୁବନେଶ୍ବର