ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନରେ ସରକାର ବିରୋଧୀ ମୁଁହାମୁହିଁ । ଏହାରି ଭିତରେ 5T ସଚିବ ଭିକେ ପାଣ୍ଡିଆନଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଛି ବିଜେପି । ମନ୍ତ୍ରୀଙ୍କ ନାଁରେ ବୁକ୍ ହୋଇଥିବା ହେଲିକପ୍ଟରକୁ ସଚିବ ବ୍ୟବହାର କରିଛନ୍ତି । ଏହାକୁ ବେଆଇନ ଦର୍ଶାଇ ବିଜେପି ଏହି ପ୍ରସ୍ତାବ ଆଣିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହାକୁ ଅଗ୍ରାହ୍ୟ କରିଛନ୍ତି । ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ ହୋଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ବୋଲି କହିଛନ୍ତି ନରସିଂହ ।
ଏ ନେଇ ସେ କହିଛନ୍ତି, "ସଚିବଙ୍କ ବିରୋଧରେ ଆସିଥିବା ସ୍ବାଧିକାର ନୋଟିସ ଗ୍ରହଣଯୋଗ୍ୟ ନୁହେଁ । ଗୃହର ସଦସ୍ୟ ନ ଥିବା ଲୋକଙ୍କ ବିରୋଧରେ ସ୍ବାଧୀକାର ଭାଙ୍ଗ ନୋଟିସ ଆସିପାରିବ । କାର୍ଯ୍ୟନୁଷ୍ଠାନ ମଧ୍ୟ ନିଆଯିବାର ନଜିର ଅଛି । ମନ୍ତ୍ରୀଙ୍କ ନାଁରେ ହେଲିକପ୍ଟର ବୁକ୍ କରି ସଚିବ ଗସ୍ତ କରିବା ଭୁଲ ହୋଇପାରେ, ବେଆଇନ ହୋଇପାରେ । ହେଲେ କାହାର ସ୍ବାଧୀକାର ଭଙ୍ଗ କେମିତି ହେଲା ? ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା କଥା ।"
ଏହା ବି ପଢନ୍ତୁ- ପାଣ୍ଡିଆନଙ୍କ ନାଁରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଲା ବିଜେପି
ସୂଚନା ଥାଉ କି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5-ଟି ସଚିବ ଭି.କେ ପାଣ୍ଡିଆନଙ୍କ ବିରୋଧରେ ବିଜେପି ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣି ଏହାକୁ ସମ୍ପୂର୍ଣ୍ଣ ଭାବେ ଏହା ବେଆଇନ ଘଟଣା କହିଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଲାଗି ଦାବି କରିଛି । ବିଧି ବ୍ୟବସ୍ଥା ଅନୁଯାୟୀ ଜେଲ୍କୁ ପଠାଯାଉ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଦାବି କରିଛନ୍ତି । ପ୍ରାକ୍ଟିସ ଆଣ୍ଡ ପ୍ରୋସିଜ୍ୟୁୟର ଅଫ ପାର୍ଲାମେଣ୍ଟ ପୃଷ୍ଠା ୨୭୮ ଅନୁଯାୟୀ ମୋସନ୍ ଅଣାଯାଇଥିବା କହିଛନ୍ତି ଜୟ ନାରାୟଣ ।
ଅନ୍ୟପଟେ ନରସିଂହ ଗୃହ ଚାଲିପାରୁନଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି,"ଗୃହରେ ଯଦି ଚାପ ପ୍ରୟୋଗ ନ କରିବା ତେବେ ଲୋକେ ନ୍ୟାୟ ପାଇପାରିବ ନାହିଁ । ସେଥିପାଇଁ ସରକାରୀ ଦଳ ମୋତେ ଅପମାନ କରିଥିଲେ ମଧ୍ୟ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଆମେ ଏହାକୁ ସହିଯିବା ଉଚିତ । ଜାଣିଶୁଣି ବିଜେପି-ବିଜେଡି ଗୃହକୁ ଚଳାଇ ଦେଉନାହାଁନ୍ତି । ବିଜେପି ବିଜେଡିର ବିଭିନ୍ନ ବିବାଦରେ ଗୃହକୁ ଅଚଳ କରିଛନ୍ତି । ସରକାରୀ ଦଳ ସହନଶୀଳତା ଦେଖାଇ ନିଲମ୍ବନ ପ୍ରତ୍ୟାହାର କରିବା କଥା । ବାଚସ୍ପତି ଆଗରୁ ବିଚାର କରିବେ ନାହିଁ ଓ ଗୃହ ଯଦି ବନ୍ଦ ହୋଇଯିବ ଲାଭ କଣ ହେବ । ବିଜେପି ବିଜେଡି ଏକ ବୋଲି ଯେଉଁ ଧାରଣା ଲୋକଙ୍କ ଭିତରେ ପଶିଛି ତାହାକୁ ଭାଙ୍ଗିବା ପାଇଁ ଗୃହ ଚାଲିବ କଥା ।"
ଇଟିଭି ଭାରତ, ଭୁବନେଶ୍ବର