ଭୁବନେଶ୍ବର: ଲଘୁଚାପ ଉଜାଡ଼ି ଦେଲା ଚାଷ । ଲଘୁଚାପ ଜନିତ ବର୍ଷା ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ଓ ପନିପରିବା ଚାଷ ବହୁଳ ଭାବରେ ପ୍ରଭାବିତ ହୋଇଛି । ଧାନ କାଟି ଖଳାକୁ ନେବା ଆଗରୁ ବର୍ଷା ଦ୍ୱାରା ଧାନସବୁ ପାଣିରେ ଭିଜି ଗଜା ହେବାକୁ ଲାଗିଲାଣି । ଅନେକ ଅଞ୍ଚଳରେ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଛି । ଯାହାକୁ ନେଇ ଚାଷୀ ବେସାହାରା ପାଲଟି ଯାଇଛି । ତେବେ ଏନେଇ କଂଗ୍ରେସ ପ୍ରତିନିଧିମଣ୍ଡଳୀ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ବୁଲିବା ସହ ଚାଷୀମାନଙ୍କୁ ସରକାର କ୍ଷୟକ୍ଷତିର ସହାୟତା ଯୋଗାଇବା ପାଇଁ ଦାବି ହୋଇଛି ।
ତେବେ ଗତକାଲି(ଶୁକ୍ରବାର) ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ନେତା ବେଣୁଧର ଭୋଇ, ଜୟନ୍ତ ଭୋଇ, ପିସିସିର ସାଧାରଣ ସମ୍ପାଦିକା ରଶ୍ମି ମହାପାତ୍ର, ଭୁବନେଶ୍ୱର ଜିଲ୍ଲା କିଷାନ କଂଗ୍ରେସ ସଭାପତି କ୍ଷୀରୋଦ ବେହେରା ପ୍ରମୁଖ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଳକର ସୁହାଲୋ, ବୁଢ଼ାଳୋ, ସାନ ଭଇଁଚୁଆ, ଚିଙ୍ଗୁଡ଼ିଆ ପ୍ରଭୃତି ଫସଲ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତକରି ସ୍ଥାନୀୟ ଚାଷୀମାନଙ୍କ ସହିତ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ ।
ଖରିଫ୍ ଚାଷରେ ପୂର୍ବରୁ ଲେଡ଼ା ପୋକ, ମାଟିଆ ଗୁଣ୍ଡି ପୋକ ପ୍ରଭୃତି ଲାଗିବା ଦ୍ୱାରା ବହୁତ ଫସଲ ନଷ୍ଟ ହୋଇଥିଲା । ଏହାର ପ୍ରତିକାର ପାଇଁ ସେହି ସମୟରେ କୃଷି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିବା ଚାଷୀମାନେ ଅଭିଯୋଗ କରିଥିଲେ । ବର୍ତ୍ତମାନର ଲଘୁଚାପ ବର୍ଷା ଦ୍ୱାରା ଚାଷୀଙ୍କର ବହୁ ଫସଲର କ୍ଷତି ଘଟିଛି । ତେଣୁ ସରକାରଙ୍କ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଚ୍ଛା ୨୫ ହଜାର ଟଙ୍କା, କୃଷି ଋଣ ଚାଡ଼, କ୍ଷୟ କ୍ଷତିର ସଠିକ୍ ଆକଳନ ଓ କୃଷି ଇନପୁଟ୍ ସହାୟତା ନିର୍ଦ୍ଧାରିତ ସମୟରେ ପ୍ରଦାନ କରିବାକୁ ଅଧ୍ୟକ୍ଷ ଦୃଢ଼ ଦାବି କରିଛନ୍ତି । ଖରିଫରେ ଖୋର୍ଦ୍ଧା ଜିଲ୍ଲାର ୧ ଲକ୍ଷ ୨୧ ହଜାର ହେକ୍ଟର ଚାଷ ଜମିରୁ ୯୦ ହଜାର ହେକ୍ଟରରେ ଧାନ ଚାଷ କରାଯାଇଥିଲା । ମରୁଡ଼ି ଓ ବନ୍ୟା ଦ୍ୱାରା ପାଖାପାଖି ୧୨ ହଜାର ହେକ୍ଟର ଚାଷ ଉଜୁଡ଼ି ଯାଇଛି । ଏବେ ଯେଉଁ ୭୮ ହଜାର ହେକ୍ଟର ଚାଷ ଅଛି, ତାହା ମଧ୍ୟ ଲଘୁଚାପ ଜନିତ ବର୍ଷାଦ୍ୱାରା କ୍ଷୟକ୍ଷତି ଘଟିଛି ।
ଏହା ମଧ୍ୟ ପଢ଼ନ୍ତୁ.....ଅଦିନିଆ ବର୍ଷା ଉଜାଡି ଦେଲା ଫସଲ, ଚାଷୀ ମୁଣ୍ଡରେ ଚଡ଼କ
ତେବେ ଏଭଳି କ୍ଷୟକ୍ଷତିକୁ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ବାଲିପାଟଣା ଓ ବାଲିଅନ୍ତା ବ୍ଳକର ହଜାର ହଜାର ଲିଫ୍ଟ ପଏଣ୍ଟ ଅଚଳ ହୋଇଯାଇଛି । ବହୁ ଫସଲ ଚାଷ ଜମି ଏବେ ବିଲ୍ଡରଙ୍କ କବଜାରେ ରହିଛି । ପାଣି ପଞ୍ଚାୟତ ଫେଲ୍ ମାରିଛି । ଅନେକ ସ୍ଥାନରେ ଆଗରୁ ଥିବା କେନାଲ ବନ୍ଧ ସବୁ ପୋତି ହୋଇ ଗଲାଣି । ଠିକଣା ସମୟରେ କେନାଲରେ ପାଣି ଆସୁନାହିଁ । ଏହାର ପୁନଃରୁଦ୍ଧାର କରାଯିବା ଏକାନ୍ତ ଜରୁରୀ । ଚାଷ ଜମିକୁ ଜଳସେଚନ କ୍ଷେତ୍ରରେ କୌଣସି ସୁବିଧା ନାହିଁ । ଏଭଳି ପରିସ୍ଥିତିରେ ସରକାର ନୀରବ ଦ୍ରଷ୍ଟା ରହିବା ଏବଂ ଚାଷୀଙ୍କ ବାସ୍ତବ ସ୍ଥିତିକୁ ନପରଖିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି କଂଗ୍ରେସ ପ୍ରତିନିଧି ମଣ୍ଡଳୀ କହିଛନ୍ତି । ଯଦି ଏହି ଦିଗରେ ସରକାର ଆଶୁ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ କଂଗ୍ରେସ ନେତୃତ୍ୱରେ କିଷାନ କଂଗ୍ରେସ ପକ୍ଷରୁ ଚାଷୀ ଆନନ୍ଦୋଳନକୁ ଯୋରଦାର କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର