ଭୁବନେଶ୍ବର: ସକ୍ରିୟ ହେଉଛି କଂଗ୍ରେସ । 2024 ସାଧାରଣ ନିର୍ବାଚନ ପୂର୍ବରୁ କ୍ରିୟାଶୀଳ ହେବ ଗ୍ରାଣ୍ଡ ଓଲ୍ଡ ପାର୍ଟି । ସେନେଇ ୱାର୍ଡ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ବ୍ୟାପକ କାର୍ଯ୍ୟକ୍ରମ କରିବ ରାଜ୍ୟ କଂଗ୍ରେସ । ତେବେ କେବଳ ବିଧାନସଭା ନୁହେଁ, ପ୍ରତ୍ୟକ ସଂସଦୀୟ କ୍ଷେତ୍ର ଉପରେ ମଧ୍ୟ ରହିଛି କଂଗ୍ରେସର ନଜର । ଏହି କାରଣରୁ ପ୍ରତି ଲୋକସଭା କ୍ଷେତ୍ର ପାଇଁ ସଂଯୋଜକ ନିଯୁକ୍ତ କରିଛି କଂଗ୍ରେସ । ଏଆଇସିସି ପକ୍ଷରୁ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ସଂଯୋଜକ ନିଯୁକ୍ତ କରାଯାଇଛି । ନିକଟରେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ଭାବେ ଡଃ ଅଜୟ କୁମାରଙ୍କୁ ନିଯୁକ୍ତି ମିଳିବା ପରେ ଲୋକସଭା କ୍ଷେତ୍ର ସଂଯୋଜକଙ୍କ ସହ ପାର୍ଲିଆମେଣ୍ଟ ସିଟ୍ ଉପରେ ମଧ୍ୟ କଂଗ୍ରେସ ବିଶେଷ ଫୋକସ ଦେବ ବୋଲି ଚର୍ଚ୍ଚା ହେଉଛି ।
କଂଗ୍ରେସ ଫୋକସରେ ପାର୍ଲିଆମେଣ୍ଟ ସିଟ୍ । ପ୍ରତି ସଂସଦୀୟ କ୍ଷେତ୍ରର ସଂଯୋଜନା ପାଇଁ ସଂଯୋଜକ ନିଯୁକ୍ତ କରିଛି ଏଆଇସିସି । ଓଡ଼ିଶାରେ ସମସ୍ତ 21 ସଂସଦୀୟ କ୍ଷେତ୍ର ପାଇଁ 21 ଜଣ ନେତାଙ୍କୁ ମିଳିଛି ସଂଯୋଜକ ଦାୟିତ୍ବ । ଏଆଇସିସି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ନବନିଯୁକ୍ତ ସଂଯୋଜକ ମାନଙ୍କୁ ତୁରନ୍ତ ଦାୟିତ୍ବ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରବିବାର ଏଆଇସିସି ପକ୍ଷରୁ ଏକ ଲିଷ୍ଟ ମଧ୍ୟ ଜାରି କରାଯାଇଛି । ଜଗତସିଂହପୁର ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କୁ ସଂଯୋଜକ ନିଯୁକ୍ତ କରିଛି ଏଆଇସିସି । କଟକ ସଂସଦୀୟ କ୍ଷେତ୍ର ପାଇଁ ସରସ୍ବତୀ ହେମ୍ବ୍ରମ ଓ ଭୁବନେଶ୍ବର ଲୋକସଭା କ୍ଷେତ୍ର ପାଇଁ ରବୀନ୍ଦ୍ର ମଲିକଙ୍କୁ ମିଳିଛି ଦାୟିତ୍ବ ।
ସେହିଭଳି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସଂସଦୀୟ କ୍ଷେତ୍ର ପୁରୀ ପାଇଁ ଶିବାନନ୍ଦ ରାୟ ସଂଯୋଜକ ନିଯୁକ୍ତ ହୋଇଛନ୍ତି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ନିକଟରେ କଂଗ୍ରେସକୁ ଫେରିଥିବା ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗିଙ୍କୁ ଦାୟିତ୍ବ ଦିଆଯାଇଛି । ବରଗଡ଼ ଲୋକସଭା ପାଇଁ ଯଜ୍ଞେଶ୍ବର ବାବୁଙ୍କୁ ଦାୟିତ୍ବ ମିଳିଥିବା ବେଳେ କୋରାପୁଟ ଲୋକସଭା କ୍ଷେତ୍ରର ସଂଯୋଜକ ଦାୟିତ୍ବ ତ୍ରିନାଥ ବେହେରାଙ୍କୁ ମିଳିଛି । ଆଗକୁ ଓଡ଼ିଶା ଗସ୍ତରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଶୀର୍ଷ ନେତୃତ୍ବ ଆସିବା କାର୍ଯ୍ୟକ୍ରମ ଥିବାବେଳେ, ଏହାପୂର୍ବରୁ ସମସ୍ତ ଲୋକସଭା କ୍ଷେତ୍ର ସଂଯୋଜକ ନିଯୁକ୍ତି ଏକ ବଡ଼ ସଂକେତ ଦେଉଛି ବୋଲି ଆଲୋଚନା ହେଉଛି ।
ଇଟିଭି ଭାରତ, ଭୁବନେଶ୍ବର