ଭୁବନେଶ୍ବର: ଧବଳେଶ୍ଵର ପୀଠକୁ ସଂଯୋଗ କରୁଥିବା ନୂତନ ସ୍ଥାୟୀ ସେତୁର ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ସ୍ପର୍ଶ ଦିଆଯିବା ପରେ ଏହା ସର୍ବସାଧାରଣଙ୍କ ଗମନାଗମନ ନିମନ୍ତେ ଉନ୍ମୁକ୍ତ ରହିବ । ସେତୁର ପୂର୍ଣ୍ଣାଙ୍ଗ ସ୍ଥିତି ପରଖିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ।
ଏଣିକି ସ୍ଥଳପଥ ଦେଇ ଧବଳେଶ୍ଵର ପୀଠରେ ପହଞ୍ଚିବେ ଭକ୍ତ । ସୁଗମ ହେବ ଭକ୍ତଙ୍କ ଯାତ୍ରା । ଫଳରେ ଧବଳେଶ୍ଵର ପୀଠକୁ ଆଶାତୀତ ଭାବେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ହେବ । ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ସେତୁ ନିର୍ମାଣସ୍ଥଳ ପରିଦର୍ଶନ ଓ କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କରିଛନ୍ତି । ଧବଳେଶ୍ଵର ପୀଠର ଭୌଗୋଳିକ ଅବସ୍ଥିତି ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀର ବୈଭବକୁ ମଣ୍ଡନ କରେ । ଏହିସ୍ଥାନକୁ ସୁରକ୍ଷିତ ଯୋଗାଯୋଗ ସୁନିଶ୍ଚିତ ହୋଇଯିବା ପରେ ଏହା ପର୍ଯ୍ୟଟକମାନଙ୍କୁ ବହୁଳ ଭାବରେ ଆକୃଷ୍ଟ କରିବ ବୋଲି ଆଶା କରାଯାଉଥିବା ସଚିବ ମତବ୍ୟକ୍ତ କରିଛନ୍ତି ।
ବିଜୁ ସେତୁ ଯୋଜନା ଅନ୍ତର୍ଗତ ମଞ୍ଚେଶ୍ଵର ଗ୍ରାମରୁ ଧବଳେଶ୍ଵର ପୀଠ ପର୍ଯ୍ୟନ୍ତ ଏହି ବିସ୍ତୃତ ସେତୁ ପ୍ରାୟ ୨୨ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି । ଏହାର ଦୈର୍ଘ୍ୟ ୨୭୬ ମିଟର ରହିଥିବା ବେଳେ ଏହାର ପ୍ରସ୍ଥ ୬.୨ ମିଟର ରହିଛି । ଏହାର ଉଭୟ ପାର୍ଶ୍ଵରେ ୩୬୦ ମିଟର ସଂଯୋଗକାରୀ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି । ଧବଳେଶ୍ଵର ପୀଠକୁ କୌଣସି ସ୍ଥାୟୀ ସେତୁ ସଂଯୋଗ କରୁନଥିଲା । ଫଳରେ ଶ୍ରଦ୍ଧାଳୁ, ଭକ୍ତ ଓ ଦର୍ଶନାର୍ଥୀଙ୍କୁ ଝୁଲାପୋଲ ଉପରେ ନିର୍ଭର କରିବାକୁ ପଡୁଥିଲା । ଦର୍ଶନାର୍ଥୀମାନେ ଶ୍ରାବଣ ମାସ, ବଡ ଓଷା ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । କେବଳ ଦର୍ଶନାର୍ଥୀ ନୁହଁନ୍ତି ପୂଜକମାନେ ମଧ୍ୟ ବାବା ଧବଳେଶ୍ଵରଙ୍କ ରୀତିନୀତି ସମ୍ପନ୍ନ ନିମନ୍ତେ ଆବଶ୍ୟକ ସାମଗ୍ରୀ ପରିବହନ ଓ ଗମନାଗମନରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ପରିଦର୍ଶନ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ମୁଖ୍ୟ ପ୍ରଦୀପ କୁମାର ସାମଲ, ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର ବେହେରା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୋମନାଥ ପରିଡା, ଅଧୀକ୍ଷଣ ଯନ୍ତ୍ରୀ ଅଶୋକ କୁମାର ସାହୁ, ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କଟକ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ଏହି ସେତୁର ଲୋକାର୍ପଣ କାର୍ଯ୍ୟକ୍ରମ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର