ଭୁବନେଶ୍ବର: ପୁଣି ଯୌତୁକ ଯୁଇରେ ଜଳିଲା ବଧୂ । ରାଜଧାନୀରେ ନବବଧୂ ସୁଶ୍ରୀ ସଂଗୀତା ବସ୍ତିଆଙ୍କ ମୃତ୍ୟୁ ଘଟଣା । ମହଙ୍ଗା ପଡିଲା ଯୌତୁକ ନିର୍ଯାତନା । ବଧୂ ହତ୍ୟା ମାମଲାରେ ଛନ୍ଦି ହେଲେ ଶୁଶୁ ଘର ଲୋକେ । ଶାଶୁ ଧରା ପଡିଥିବା ବେଳେ ଶ୍ୱଶୁର ଓ ସ୍ବାମୀ ଫେରାର । ତେବେ ଆଜି ସୁଶ୍ରୀଙ୍କ ଶାଶୁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହି ମାମଲାରେ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ସ୍ବାମୀ, ଶ୍ୱଶୁର ଓ ନଣନ୍ଦ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ।
ସୂଚନା ଅନୁଯାୟୀ, ତମାଣ୍ଡୋ ଥାନା କଳିଙ୍ଗ ବିହାରରେ ନବବଧୂ ଆତ୍ମହତ୍ୟା ଘଟଣାରେ ଶାଶୁକୁ କୋର୍ଟ ଚାଲାଣ କରିଛି ପୋଲିସ । ସ୍ବାମୀ ପ୍ରବିଣ ଚନ୍ଦ୍ର ନାୟକ ଓ ଶ୍ୱଶୁର ଓ ନଣନ୍ଦ ଫେରାର । ସୁଶ୍ରୀଙ୍କୁ ଶାଶୁ ଅଧିକ ଯୌତୁକ ନିର୍ଯାତନା ଦେଉଥିବା ନେଇ ମିଳିଛି ପ୍ରମାଣ । ତେବେ ଏନେଇ ସୁଶ୍ରୀ ଙ୍କ ମୋବାଇଲ ର ସିଡିଆର ଯାଞ୍ଚ କରୁଛି ପୋଲିସ। ଫେରାର ଥିବା ସ୍ବାମୀ ଶଶୁର ଓ ନଣନ୍ଦ ଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରହିଛି । ଦୀପାବଳି ରାତିରେ କଳିଙ୍ଗ ବିହାର k9 ସ୍ଥିତ ଘରେ ବେକରେ ରଶି ଲଗାଇ ଜୀବନ ହାରିଥିଲେ ଶୁଶ୍ରୀ ।
ପରବର୍ତ୍ତୀ ସମୟରେ ସୁଶ୍ରୀଙ୍କ ବାପଘର ଆଣିଥିଲେ ହତ୍ୟା ଅଭିଯୋଗ । ତମାଣ୍ଡୋ ଥାନାରେ ଏ ସମ୍ପର୍କିତ ଏତଲା ଦେଇଥିଲେ ପରିବାର ଲୋକେ । ମୃତ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏଯାଏଁ ହସ୍ତଗତ ହୋଇନି। ଖଣ୍ଡଗିରି ସ୍ଥିତ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ ସୁଶ୍ରୀ ।୨୦୨୦ ମସିହାରେ ବୈଦିକ ରୀତିରେ ଗୋବିନ୍ଦପୁରର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ ସୁଶ୍ରୀ ସଙ୍ଗୀତା ବସ୍ତିଆ।
ଇଟିଭି ଭାରତ, ଭୁବନେଶ୍ବର