ଭୁବନେଶ୍ବର: ଦିଲ୍ଲୀ ମୁଖାର୍ଜୀନଗର କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟଣା ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ଭୁବନେଶ୍ବରରେ ମାଳ ମାଳ ଘରୋଇ କୋଚିଂ ସେଣ୍ଟର ଥିବାବେଳେ ଆବାସିକ କଲେଜ୍ ଓ ହଷ୍ଟେଲ ଆଦି ରହିଛି। ସେଗୁଡ଼ିକ ପ୍ରାୟ ଅସୁରକ୍ଷିତ ଥିବାବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। କୋଠା ଘରଗୁଡ଼ିକରେ ରହୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁସାରେ ପ୍ରଶସ୍ତ ସିଡୀ ରହୁନାହିଁ। ସିଡୀର ସଂକୀର୍ଣ୍ଣତା ଯୋଗୁ କିଛି ଅଘଟଣ ଘଟିଲେ ଉପର ମହଲାରେ ଥିବା ଲୋକମାନେ ତଳକୁ ସୁରକ୍ଷିତ ଭାବେ ଓହ୍ଲାଇ ପାରୁନାହାନ୍ତି।
ପ୍ରାୟ ଆଧୁନିକ ଗୃହ ଡିଜାଇନରେ ଝରକା ରହୁନାହିଁ। ଗ୍ରୀଷ୍ମ ଋତୁରେ ସବୁବେଳେ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରେ ଶୀତତାପ ନିୟନ୍ତ୍ରିତ ମେଶିନ ଚାଲୁଛି। ଏହାଦ୍ୱାରା ସଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ଅଧିକ ରହୁଛି। ଆଧୁନିକ ବିଲ୍ଡିଂ ଡିଜାଇନ୍ ଯେତେ ଆକର୍ଷଣୀୟ ହେଲେ ମଧ୍ୟ ବିପଦମୁକ୍ତ ନୁହେଁ। ବର୍ତ୍ତମାନ ସମୟରେ ରାଜ୍ୟରେ ଛତୁ ଫୁଟିଲା ପରି ଗାଆଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି କୋଚିଂ ସେଣ୍ଟର। ଉଚ୍ଚଶିକ୍ଷା ଲାଗି ଭଲ କ୍ୟାରିୟର ଗଠନ ପାଇଁ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା ବଢ଼ୁଥିବାବେଳେ ତାଳ ଦେଇ କୋଚିଂ ସେଣ୍ଟରଗୁଡ଼ିକର ଗୁରୁତ୍ୱ ବଢ଼ିବାରେ ଲାଗିଛି।
ହେଲେ ରାଜ୍ୟରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ। ଦିଲ୍ଲୀ କୋଚିଂ ସେଣ୍ଟରରେ ଘଟିଥିବା ଅଗ୍ନିକାଣ୍ଡ ଭଳି ଓଡିଶାରେ ଏପରି ଘଟଣା ନଘଟିବ କିଏ କହିବ । ତେଣୁ ରାଜ୍ୟରେ କେତେ କୋଚିଂ ସେଣ୍ଟର ଅଛି ? କେଉଁଠି ଅଛି ? କେତେ ପିଲା ସେଥିରେ ପାଠ ପଢୁଛନ୍ତି ? କେଉଁ ସମୟରେ ପାଠ ପଢ଼ା ହେଉଛି ? ଭିତିଭୂମି ଓ ସୁରକ୍ଷା ବ୍ୟବସ୍ଥା କିପରି ଅଛି ? ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ ଅଛି କି ନାହିଁ ? କେତେ ପଇସା ସେମାନେ ନେଉଛନ୍ତି ? ତାହାର କୌଣସି ତଥ୍ୟ ସରକାରଙ୍କ ପାଖରେ ନଥିବା ମତ ପ୍ରକାଶ ପାଇଛି।
"ଆମର ଭବିଷ୍ୟତ ମାନଙ୍କୁ ଏପରି ଦାୟିତ୍ୱହୀନ ଭାବରେ ଆମେ ଅସୁରକ୍ଷିତ ଛାଡି ପରିବା ନାହିଁ। ତେଣୁ ତୁରନ୍ତ କୋଚିଂ ସେଣ୍ଟରଗୁଡିକୁ ସମସ୍ତ ତଥ୍ୟ ସହିତ ତାଲିକାଭୁକ୍ତ କରାଯାଉ। ଯାହା ଫଳରେ ଛାତ୍ରଛାତ୍ରୀମାନେ ସୁରକ୍ଷିତ ଭାବରେ ପାଠ ପଢିପାରିବେ" ବୋଲି କହିଛନ୍ତି ଜଣେ ଅଭିଭାବକ। ଏହାସହ କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷାକୁ ନେଇ ଅନେକ ସମୟରେ ଅବହେଳା ହେଉଥିବା ପ୍ରକାଶ କରିଛନ୍ତି ଜଣେ ଛାତ୍ର ।
ସେପଟେ ଜଣେ ବରିଷ୍ଠ ପୂର୍ବତନ ଅଗ୍ନିଶମ ଅଧିକାରୀ କହିଛନ୍ତି, "ଆଜିକାଲି ଭୁବନେଶ୍ବରରେ ମାଳ ମାଳ କୋଚିଂ ସେଣ୍ଟର ଖୋଲାଯାଇଛି। ଗୋଟିଏ ଦୁଇଟି ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନକୁ ଛାଡିଦେଲେ ବାକି ଅନ୍ୟ କୌଣସି ଘରୋଇ ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ କି ଲାଇସେନ୍ସ ମଧ୍ୟ ନାହିଁ। କୋଚିଂ ସେଣ୍ଟର ଖୋଲିବା ପୂର୍ବରୁ ବିଲ୍ଡିଂ କୁ ଯାଞ୍ଚ କରାଯିବା ସହିତ ତାର ପ୍ରବେଶ ଓ ପ୍ରସ୍ଥାନ ପଥକୁ ଅଲଗା କରାଯାଇଥାଏ। କିନ୍ତୁ ବର୍ତ୍ତମାନ ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ସେସବୁ ନିୟମ ପାଳନ କରୁନାହାନ୍ତି ।
ପୂର୍ବରୁ ସୁରଟର ତକ୍ଷଶୀଳା କମ୍ପ୍ଲେକ୍ସର ଚତୁର୍ଥ ମହଲାରେ ଚାଲୁଥିବା ଏକ ଘରୋଇ କୋଚିଂ ସେଣ୍ଟରଟିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୧୯ ଜଣ ଛାତ୍ରଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା । ସେହିପରି ଗୁରୁବାର ଦିଲ୍ଲୀର ମୁଖାର୍ଜୀନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବାବେଳେ ଜୀବନ ବଞ୍ଚାଇବା ପାଇଁ ତୃତୀୟ ମହଲାରୁ ଡେଇଁ ପଡିଛନ୍ତି କିଛି ଛାତ୍ରଛାତ୍ରୀ । ବାରମ୍ବାର ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ଏଭଳି ଅଗ୍ନିକାଣ୍ଡ ଘଟୁଥିବାରୁ ରାଜ୍ୟର ସମସ୍ତ କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ଦାବି ଜୋର ଧରିଛି ।
ଇଟିଭି ଭାରତ, ଭୁବନେଶ୍ବର