ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ସବୁଆଡେ ଯାଇପାରୁନଥିବାରୁ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ପଠାଉଛନ୍ତି । ଶାସକ ଦଳ ବିଧାୟକ ପ୍ରଫୁଲ ସାମଲଙ୍କ ଏହି ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ସ୍ପଷ୍ଟୀକରଣ ଲୋଡିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ସୁସ୍ଥ ଓ ନିଜେ ଶାସନ ଭାର ସମ୍ଭାଳୁଛନ୍ତି ବୋଲି ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ଓ ବିଜେପି ।
ଅସୁସ୍ଥ ଅଛନ୍ତି କି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ଯଦି ଅସୁସ୍ଥ ଅଛନ୍ତି, ତେବେ କଣ ହେଇଛି ମୁଖ୍ୟମନ୍ତ୍ରୀଙ୍କୁ ? ଦେଶର ଜଣେ ବରିଷ୍ଠ ରାଜନେତାଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କଣ ନିଆଯାଉଛି ପଦକ୍ଷେପ ? ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟ ପରେ ଏଭଳି କିଛି ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଉଠିଛି । ଏହାକୁ ନେଇ ଟ୍ବିଟ କରି ଚିନ୍ତାଜନକ ଏବଂ ଗମ୍ଭୀର ବିଷୟ ବୋଲି କହିଛନ୍ତି ଭୁବନେଶ୍ବର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ । ଅପରାଜିତା ଲେଖିଛନ୍ତି, ପ୍ରଫୁଲ୍ଲ ସ୍ପଷ୍ଟ ଭାବେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟ ମଧ୍ୟରେ ବିଭିନ୍ନ ସ୍ଥାନ ବୁଲିପାରୁନାହାନ୍ତି ଅର୍ଥାତ ବୁଲିବା ପାଇଁ ଅସମର୍ଥ ଅଟନ୍ତି । ଆମେ ସମସ୍ତେ ଗଭୀର ଭାବେ ଚିନ୍ତିତ ଓ ଏହା ଏକ ସଂଗୀନ ବିଷୟ । ମୁଖ୍ୟମନ୍ତ୍ରୀ କାହିଁକି ସବୁ ଆଡେ ବୁଲିବାକୁ ଅସମର୍ଥ ଓ କଣ ହେଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଓଡ଼ିଶାର ଜନସାଧାରଣ ଏବଂ ମତଦାତା ଏହାର କାରଣ ନିଶ୍ଚିନ୍ତ ଭାବେ ଜାଣିବାକୁ ଚାହିଁବେ ବୋଲି ଅପରାଜିତା ଓ ଅନ୍ୟ ବିଜେପି ନେତା ଦାବି କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଉଠିଥିବା କଥାର ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ଯେ, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ କଥା । ବିଧାୟକଙ୍କ ମନ୍ତବ୍ୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ସୁସ୍ଥ ଅଛନ୍ତି ଓ ନିଜେ ଶାସନ ଭାର ସମ୍ଭାଳୁଛନ୍ତି ବୋଲି ସ୍ପଷ୍ଟୀକରଣ ଦିଅନ୍ତୁ । ସେପଟେ ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି ଯେ, କେଉଁ ବୟସ୍କ ନେତା ବାଚଳାମି କରି କଣ କହିବେ ସେଥିରେ ଆମର କିଛି କହିବାର ନାହିଁ । ଭୁବନେଶ୍ବର ଯେଉଁ କାର୍ଯ୍ୟକ୍ରମ ହେଉଛି ମୁଖ୍ୟମନ୍ତ୍ରୀ ଯାଉଛନ୍ତି, ତାହା ଗଣମାଧ୍ୟମରେ ଅଛି । ନିନ୍ଦୁକ ମାନେ ସବୁବେଳେ ନିନ୍ଦା କରିବେ । ମୁଖ୍ୟମନ୍ତ୍ରୀ କିନ୍ତୁ ତାଙ୍କ କାମ କରି ଚାଲିଛନ୍ତି । ସରକାର ହେଉଛନ୍ତି ମୁଖ୍ୟମନ୍ତ୍ରୀ । ସରକାର କୌଣସି ସଚିବଙ୍କୁ ମାଣ୍ଡେଟ ଦେଲେ ଯେ ତମେ ଲୋକଙ୍କ ପାଖକୁ ଯାଇ ଗ୍ରୀଭାନ୍ସ ନେଇ କି ଆସ । ସେ ଗ୍ରୀଭାନ୍ସକୁ ଆଣିବା ପରେ ମୁଖ୍ୟମନ୍ତ୍ରୀ ତାକୁ ତଦାରଖ କରି ସେ କାମ ଗୁଡିକୁ ତ୍ବରାନ୍ବିତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ଯିବା ନ ଯିବା କଥା ନୁହେଁ । ଅନ୍ୟ ରାଜ୍ୟରେ କି ଦେଶର ପ୍ରଧାନମନ୍ତ୍ରୀ କଣ ସବୁ ଜାଗାକୁ ଯାଉଛନ୍ତି କି । ଏଠି ସରକାର ଲୋକଙ୍କ ପାଖକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।
ଇଟିଭି ଭାରତ, ଭୁବନେଶ୍ବର