ଭୁବନେଶ୍ବର: 55 ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଜାତୀୟ ରାଜପଥ 55 ନିର୍ମାଣ କାର୍ଯ୍ୟ 5 ବର୍ଷ ବିତିଥିଲେ ମଧ୍ୟ ସରୁନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହ କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ କାର୍ଯ୍ୟ ତୁରନ୍ତ ସାରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରି ଚିଠିରେ ଦର୍ଶାଇଛନ୍ତି ଯେ, ଜାତୀୟ ରାଜପଥ 55 ପଶ୍ଚିମ ଓଡ଼ିଶାର ଜୀବନରେଖା । ଲକ୍ଷ ଲକ୍ଷ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ଜୀବନ ଯାତ୍ରା ସହ ଜୀବିକା ଲାଗି ରାଜପଥ ଉପରେ ନିର୍ଭର କରନ୍ତି ଲୋକେ । କଟକ-ଅନୁଗୋଳ-ସମ୍ବଲପୁର ଜାତୀୟ ରାଜପଥ 55 ରାଜ୍ୟ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 2017ରୁ ଏ ରାସ୍ତା କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି । 5 ବର୍ଷ ବିତି ଯାଇଥିଲେ ମଧ୍ୟ ଅଦ୍ୟାବିଧି କାର୍ଯ୍ୟ ସରୁନାହିଁ ।
ଏହା ମଧ୍ୟ ପଢନ୍ତୁ: DJ Azex Death Case: ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ, ଏକ୍ସପୋଜ ପାଇଁ ତିନି ଯୁବତୀ କରିଥିଲେ ହ୍ବାଟ୍ସଆପ୍ ଗ୍ରୁପ
ସେ ଆହୁରିମଧ୍ୟ କହିଛନ୍ତି, "ଏହି ଜାତୀୟ ରାଜପଥରେ ଦୁଇ ବର୍ଷ ମଧ୍ୟରେ 399ଟି ଦୁର୍ଘଟଣା ଘଟିଛି । ସେଥିରେ 196 ଜଣଙ୍କର ଜୀବନ ଯାଇଛି । ଯାହାକୁ ନେଇ ଜନଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାସ୍ତାରୋକ ଆନ୍ଦୋଳନକୁ ଓହ୍ଲାଉଛନ୍ତି ଲୋକେ । ଫଳରେ ଜୀବନ ଯାତ୍ରା ମଧ୍ୟ ପ୍ରଭାବିତ ହେଉଛି । ତେଣୁ ଆପଣ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ । ଯଥାଶୀଘ୍ର ଏହି ରାସ୍ତାକାମ ଶେଷ କରନ୍ତୁ ।"
ଏହା ମଧ୍ୟ ପଢନ୍ତୁ: ଗୋଟିଏ ମାସରେ ସମ୍ବଲପୁର ରେଢାଖୋଲ ରାଜରାସ୍ତା ସମ୍ପୂର୍ଣ୍ଣ ନହେଲେ ଆନ୍ଦୋଳନ
ପ୍ରକାଶଥାଉକି, କଟକରୁ ଆରମ୍ଭ ହୋଇ ସମ୍ବଲପୁରକୁ ସଂଯୋଗ କରୁଥିବା ଏହି 55 ନମ୍ବର ଜାତୀୟ ରାଜପଥ 2017 ମସିହାରେ ଆରମ୍ଭ ହୋଇଥିଲା । ଏହାକୁ 3 ଭାଗରେ ବିଭକ୍ତ କରାଯାଇ କାମ ଆରମ୍ଭ କରାଯାଇଥିଲା । 2023 ଜୁନ ସୁଦ୍ଧା କାମ ସରିବ ବୋଲି ସରକାର ଆଶା କରିଥିଲେ କିନ୍ତୁ ବର୍ତ୍ତମାନ ତାହା ସମ୍ଭବ ହେବ ବୋଲି ଲାଗୁନଥିବା ବେଳେ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଛି । ଫଳରେ ଅକାଳରେ ଜୀବନ ଚାଲିଯାଉଥିବା ବେଳେ ଜନ ଅସନ୍ତୋଷ ମଧ୍ୟ ଦେଖାଯାଉଛି । ଏନେଇ ସମ୍ବଲପୁରରେ ବିକ୍ଷୋଭ କରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର