ଭୁବନେଶ୍ବର: ହୀରକ ଜୟନ୍ତୀ ପାଳୁଛି ସୈନିକ ସ୍କୁଲ । ଶନିବାର ଓ ରବିବାର ଦୁଇ ଦିନଧରି ହୀରକ ଜୟନ୍ତୀ ପାଳନ କରାଯିବ । ଏହାସହ ସୈନିକ ସ୍କୁଲ ଓଲ୍ଡ ବଏଜ୍ ଆସୋସିଏସନ୍ (Old Boys Association) ପାଳନ କରିବ ସୁବର୍ଣ୍ଣ ଜୟନ୍ତୀ । ସୈନିକ ସ୍କୁଲର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଦୁଇ ଦିନିଆ ହୀରକ ଜୟନ୍ତୀ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ବିତୀୟ ଦିନ ଉଦ୍ଯାପନୀ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେବାର କର୍ଯ୍ୟକ୍ରମ ରହିଛି ।
ଏହି ଦୁଇ ଦିନିଆ ଉତ୍ସବ ଅବସରରେ ଆର୍ମି ଡଗ୍ ଶୋ, କାଉଣ୍ଟର ଟେରରିଜମ ଡେମନଷ୍ଟ୍ରେସନ, ନାଭାଲ ବ୍ୟାଣ୍ଡ, ଏରୋ ଡାଇନାମିକ ଶୋ ଅନୁଷ୍ଠିତ ହେବ । ଉଦ୍ଘାଟନୀ ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ଏହି ମହତ୍ବପୂର୍ଣ୍ଣ ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେଇ ବେଶ୍ ଆନନ୍ଦିତ । ଏହି ଗୌରବମୟ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଭିନନ୍ଦନ । ୧୯୬୨ ମସିହାରେ କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା ଭୁବନେଶ୍ୱରର ସୈନିକ ସ୍କୁଲ । ୬୦ ବର୍ଷ ପରେ ଗୁଣାତ୍ମକ ଶିକ୍ଷା, ଚରିତ୍ର ନିର୍ମାଣ ଏବଂ ବ୍ୟକ୍ତିତ୍ୱର ସମୃଦ୍ଧତା ପାଇଁ ଏହା ଏକ ମାନଦଣ୍ଡ ପାଲଟିଛି । ଏହି ବିଦ୍ୟାଳୟ କେବଳ ଆମ ଦେଶର କେତେକ ଶ୍ରେଷ୍ଠ ସୈନିକ ଉତ୍ପାଦନ କରିନାହିଁ, ବରଂ ଏହାର ବହୁ ସଂଖ୍ୟକ କ୍ୟାଡେଟ ମଧ୍ୟ ସିଭିଲ ସର୍ଭିସେସ୍, ମେଡିସିନ୍, ଇଜିନିୟରିଂ, ନାଭାଲ ସେନା ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ମୁଁ ଆଶା କରୁଛି ବିଦ୍ୟାଳୟ ଆମର ଭବିଷ୍ୟତ ନାଗରିକମାନଙ୍କର ଇଚ୍ଛାକୃତ ପରିବର୍ତ୍ତନ ଆଣିବା ଜାରି ରଖିବ । ବିଦ୍ୟାଳୟ ଏବଂ ଏହାର ଆଲୁମିନିମାନେ ଗୌରବମୟ ତଥା ସ୍ମରଣୀୟ ବର୍ଷଗୁଡିକୁ ସମ୍ମାନିତ କରିବା ଏବଂ ଛାତ୍ରଛାତ୍ରୀଙ୍କର ମାନସିକତାକୁ ଅନୁକରଣ କରିବା ପାଇଁ ଏହା ଏକ ମୁହୂର୍ତ୍ତ ।"
କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ କ୍ୟାଡେଟଙ୍କୁ ଜୀବନରେ ପାଇଥିବା ପ୍ରତ୍ୟେକ ସୁଯୋଗକୁ ବ୍ୟବହାର କରି ବିଦ୍ୟାଳୟ ତଥା ଦେଶର ଆଶା ପୂରଣ କରିବା ପଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏପଟେ ପୂର୍ବତନ ଛାତ୍ରଛାତ୍ରୀ, ଯେଉଁମାନେ ବର୍ତ୍ତମାନ ସମୟରେ ଉଚ୍ଚ ପଦବୀରେ ରହି ଆସିଛନ୍ତି, ସେମାନେ କହିଛନ୍ତି ଯେ, ରାଜ୍ୟରେ ଯେତେ ଗାଁ ରହିଛି ସେଠାରୁ ଯେତେ ପରିମାଣରେ ଛାତ୍ର ଆସିପାରିବେ ଏହି ସୈନିକ ସ୍କୁଲରେ ତାଲିମ ନେବେ ସେମାନେ ବହୁତ ଉପରକୁ ଯିବେ । ଏହି ସ୍କୁଲର ଅନେକ ଛାତ୍ର ଅନେକ ଉଚ୍ଚ ପଦବୀରେ ରହିଛନ୍ତି । ସେମାନଙ୍କର ପ୍ରଶଂସା ସବୁ କ୍ଷେତ୍ରରେ କରାଯାଉଛି । ତେଣୁ ଅଧିକରୁ ଅଧିକ ପିଲା ପାଠ ପଢନ୍ତୁ ବୋଲି ସେମାନେ କହିଛନ୍ତି । ଏପଟେ ଏହି ସ୍କୁଲର ପୂର୍ବତନ ଛାତ୍ର ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରଦାପ ସ୍ଵାଇଁ କହିଛନ୍ତି ଯେ, ଯେଉଁମାନଙ୍କର ଦେଶ ପ୍ରେମ ରହିଛି ସେମାନେ ଏଭଳି ସ୍କୁଲକୁ ପଠାଇବେ ବୋଲି ଆଶା କରିଛୁ । ଏହା ସହ ଏହି ସ୍କୁଲରେ ପାଠ ପଢିଥିବାରୁ ଗର୍ବିତ ବୋଲି କହିଛନ୍ତି ମନ୍ତ୍ରୀ ।
ଇଟିଭି ଭାରତ, ଭୁବନେଶ୍ବର