ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଉଚ୍ଚକୋଟୀର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ବର୍ଷ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ବାରା ଡାକ୍ତର ଚୟନ ପ୍ରକ୍ରିୟା କରାଯାଉଛି । ଏହି କ୍ରମରେ ଚଳିତ ବର୍ଷ ମଧ୍ୟ ଓଡ଼ିଶା ଡାକ୍ତରୀ ଓ ସ୍ବାସ୍ଥ୍ୟସେବା (OMHS) କ୍ୟାଡରରେ ୧୧୮୧ ଜଣ ଏଲୋପାଥିକ ଡାକ୍ତରଙ୍କୁ NIC ଭୁବନେଶ୍ଵର ଦ୍ଵାରା ଅନଲାଇନ କାଉନସେଲିଂ ମାଧ୍ୟମରେ ସ୍ଥିର ହୋଇଥିବା ବିଭିନ୍ନ ଜିଲ୍ଲାମାନଙ୍କରେ ନିଯୁକ୍ତି ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।
ସୂଚନା ଅନୁଯାୟୀ, 2022-23 ବର୍ଷ ପାଇଁ ଓଡିଶା ମେଡିକାଲ୍ ସର୍ଭିସେସ୍ (ଡେଣ୍ଟାଲ୍) କ୍ୟାଡରର ଗ୍ରୁପ୍-ଏ (ଜୁନିଅର ଶାଖା) ପଦବୀରେ ନିୟମିତ ଡେଣ୍ଟାଲ୍ ସର୍ଜନ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ 197ଟି ଡେଣ୍ଟାଲ୍ ସର୍ଜନଙ୍କ ଖାଲି ପଦବୀକୁ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଗ୍ରୁପ୍-ଏ (ଜୁନିଅର ଶାଖା) ପ୍ରବେଶ ସ୍ତରର ପଦବୀରେ ମୂଲ୍ୟାଙ୍କନ କରାଯାଇଛି । ଓଡ଼ିଶା ଜନସେବା ଆୟୋଗର ସୁପାରିଶ ଅନୁଯାୟୀ ଓଡ଼ିଶା ମେଡିକାଲ ସର୍ଭିସେସ୍ (ନିଯୁକ୍ତି ପ୍ରଣାଳୀ ଏବଂ ଦନ୍ତ ସର୍ଜନଙ୍କ ସେବା ସର୍ତ୍ତାବଳୀ) ନିୟମ 2022 GA ଏବଂ PG ବିଭାଗ ବିଜ୍ଞପ୍ତି ଅନୁଯାୟୀ ଉପରୋକ୍ତ ଖାଲି ପଦଗୁଡିକ ନିୟମିତ ପୂରଣ କରାଯିବା ଆବଶ୍ୟକ । ଦୀର୍ଘ ଦିନ ଧରି ଦନ୍ତ ଚିକିତ୍ସକଙ୍କ ନିଯୁକ୍ତିକୁ ନେଇ ମୁଖ୍ୟ ଦାବି ରହି ଆସିଥିଲା । ମୁଖ୍ୟ ସ୍ବାସ୍ଥ୍ୟ ଚିକିତ୍ସା କେନ୍ଦ୍ରରେ ଅତ୍ୟନ୍ତ ପଛୁଆ ରହିଆସିଛନ୍ତି ଦନ୍ତ ଡାକ୍ତର ନିଯୁକ୍ତି ।
ରାଜ୍ୟରେ ଦାନ୍ତ ମାଡ଼ି ପାଟି ଜନିତ ସମସ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିଲେ ମଧ୍ୟ ଏହାର ନିରାକରଣ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ । ଏନେଇ ରାଜ୍ୟ ଦନ୍ତ ଚିକିତ୍ସକ ଡାକ୍ତର ସଂଘ ପକ୍ଷରୁ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଇଛି । ଗ୍ରାମାଞ୍ଚଳରେ ୯୦ ପ୍ରତିଶତ ଦନ୍ତ ଓ ମୁଖ ରୋଗୀ ଥିବା ସତ୍ତ୍ବେ ତାର ପ୍ରାଥମିକ ଚିକିତ୍ସା ପାଇଁ ମାତ୍ର ୧୦ ପ୍ରତିଶତ ଦାନ୍ତ ଡାକ୍ତର ରହିଛନ୍ତି । ରାଜ୍ୟରେ ସମୁଦାୟ ୧୩୭୫ରୁ ଊର୍ଦ୍ଧ୍ବ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରହିଥିଲେ ମଧ୍ୟ କେବଳ ୧୨ଟି ପଦବୀରେ ନିଯୁକ୍ତି ଦିଆଯାଇଛି । ଏ ପର୍ଯ୍ୟନ୍ତ ହାରାହାରି ୩ ହଜାରରୁ ଊର୍ଦ୍ଧ୍ବ ଦାନ୍ତ ଡାକ୍ତର ସରକାରୀ ପଞ୍ଜୀକୃତ ହୋଇସାରିଥିଲେ ହେଁ ତାହାର ଏକଦଶାଂଶ ଭାଗ ସ୍ଥାୟୀ ନିଯୁକ୍ତି ପାଇପାରି ନାହାଁନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିଯୁକ୍ତି ନଥିବାରୁ ବହୁତ ଉଦୀୟମାନ ଡାକ୍ତର ସେବା କରିବାକୁ ଚାହୁଁଥିଲେ ମଧ୍ୟ ସେବା ଯୋଗାଇ ପାରୁନାହାଁନ୍ତି ।
ଇଟିଭି ଭାରତ, ଭୁବନେଶ୍ବର