ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ରାଜସ୍ଥାନ ଅଜମେର ଓ ପୁଷ୍କର ଅଭିମୁଖେ ଗଡ଼ିଲା ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଟ୍ରେନ । ପରିଣତ ବୟସରେ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବକୁ ନେଇ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା । ଭୁବନେଶ୍ବରରୁ ଏହି ତୀର୍ଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି । ଆଉ ବରିଷ୍ଠ ନାଗରିକଙ୍କୁ ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ।
ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ଭୁବନେଶ୍ବର ରେଳ ଷ୍ଟେସନରୁ ତୀର୍ଥ ଲାଗି ଯାତ୍ରା ଆରମ୍ଭ କରିଛନ୍ତି । ଭୁବନେଶ୍ବରରୁ ଅଜମେର ଓ ପୁଷ୍କର ଯାତ୍ରା କରିବେ ତୀର୍ଥଯାତ୍ରୀ । ଭୁବନେଶ୍ବର ରେଳଷ୍ଟେସନରୁ ଉପସ୍ଥିତ ଅତିଥିଗଣ ପତାକା ଦେଖାଇ ତୀର୍ଥ ଯାତ୍ରାର ଆରମ୍ଭ କରିଛନ୍ତି । ରାଜ୍ୟର ୬ଟି ଜିଲ୍ଲାର ୯୭୦ ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରା ମାଧ୍ୟମରେ ପବିତ୍ର ଧର୍ମସ୍ଥଳୀଗୁଡିକର ପରିଦର୍ଶନ କରି ଏକ ଦିବ୍ୟ ଅନୁଭବର ଉପଲବ୍ଧି ନେଇ ଆସିବେ। ଏହା ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ୫ମ ସଂସ୍କରଣ ହୋଇଥିବା ବେଳେ ପର୍ଯ୍ୟଟନ ବିଭାଗ ଓ IRCTC ଏହି ତୀର୍ଥଯାତ୍ରାରେ ସହଯୋଗ କରିଛନ୍ତି।
ଆଜି (ମାର୍ଚ୍ଚ ୪)ରୁ ଏହି ଯାତ୍ରା ଆରମ୍ଭ ହୋଇ ୯ ମାର୍ଚ୍ଚରେ ଶେଷ ହେବ। ଆଜିର ଯାତ୍ରାରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳରୁ ଆସିଥିବା ବରିଷ୍ଠ ନାଗରିକମାନେ ସାମିଲ ହୋଇଛନ୍ତି । ଏଠାରେ ସୂଚନା ଥାଉକି ୨୦୧୪ରୁ ମୁଖ୍ୟମନ୍ତ୍ରୀ ଏହି ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ପର୍ଯ୍ୟନ୍ତ ୧୮ ହଜାର ତୀର୍ଥଯାତ୍ରୀ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସାମିଲ ହୋଇପାରିଛନ୍ତି । ତେବେ ଧର୍ମ ଅର୍ଥ କାମ ମୋକ୍ଷ ସବୁ ଧର୍ମର ମହତ୍ତ୍ବର ଆଧାରକୁ ବହନ କରୁଥିବା ବେଳେ ପରିଣତ ବୟସରେ ଟିକିଏ ଧର୍ମ କରି ମୋକ୍ଷ ପାଇବା ପାଇଁ ସବୁ ମଣିଷର ଟିକିଏ ଆଶା ଓ ଆକାଂକ୍ଷା ରହିଥାଏ ।
ଏହା ବି ପଢନ୍ତୁ- ଓଡିଶା ହେବ ପୂର୍ବ କେନ୍ଦ୍ରୀୟ ଉତ୍ତରପୂର୍ବ ଭାରତର ଡିଜିଟାଲ ହବ: IT ମନ୍ତ୍ରୀ
ଆଉ ଏହି ଆଶା ଅର୍ଥ ଅଭାବରୁ ପୂରଣ ହୋଇନଥାଏ । ତେଣୁ ବରିଷ୍ଠ ନାଗରିକଙ୍କ ଏହି ଆଶାକୁ ପୂରଣ କରିବାକୁ ଯାଇ ରାଜ୍ୟ ସରକାର ଏଭଳି ଏକ ଯୋଜନାର ପରିକଳ୍ପନା କରିଥିବା ବେଳେ ସମସ୍ତ ନାଗରିକ ଭଲରେ ଯାଇ ତୀର୍ଥ ଯାତ୍ରା କରି ପୁଣି ଭଲରେ ଘରକୁ ଫେରନ୍ତୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ଉପସ୍ଥିତ ଅତିଥି । କାରଣ ବରିଷ୍ଠ ନାଗରିକ ସର୍ବଦା ଆମ ସମାଜରେ ପୂଜ୍ୟ ଭାବେ ପୂଜା ପାଇଥାନ୍ତି । ତେଣୁ ସେମାନଙ୍କର ମନର ଶାନ୍ତି ଓ ଟିକିଏ ଖୁସି ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ନିଶ୍ଚିତ ଏକ ବିଦ୍ୟ ଅନୁଭୂତି ଆଣିଦେବ ବରିଷ୍ଠ ନାଗରିକଙ୍କ ପାଇଁ । ଯାହା ପୁରା ରାଜ୍ୟ ପାଇଁ ଏକ ଆଶୀର୍ବାଦ ।
ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ରାଜ୍ୟସଭା ସାଂସଦ ସୁଲତା ଦେଓ ଓଟିଡିସି ଅଧ୍ୟକ୍ଷ ଲେଲିନ ମହାନ୍ତି, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଭୁବନେଶ୍ବର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି, ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲ ସମେତ ଖୋର୍ଦ୍ଧା ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର