ଭୁବନେଶ୍ବର: ବଦଳିଲା ଯୁକ୍ତ ଦୁଇ ବିଜ୍ଞାନର ସିଲାବସ୍ ଓ ପରୀକ୍ଷା ପ୍ରଣାଳୀ । ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଓ ଜୀବ ବିଜ୍ଞାନର କିଛି ଅଧ୍ୟାୟକୁ ବାଦ୍ ଦିଆଯାଇଛି । ତେବେ ଚଳିତ ବର୍ଷ କାଉନସିଲ ପରୀକ୍ଷା ନୂଆ ସିଲବସ ଅନୁଯାୟୀ କରାଯିବ । CBSE ବାଦ୍ ଦେଇଥିବା ଅଧ୍ୟାୟକୁ ଆଧାର କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ କମିଟି ନୂଆ ସିଲାବସ୍ ଉପରେ ମୋହର ମାରିଛି ।
ଏଥିସହ ଏଣିକି ୩ଟି ତ୍ରୈମାସିକ ପରୀକ୍ଷା ବଦଳରେ ୨ଟି ଇଣ୍ଟରନାଲ ପରୀକ୍ଷା ହେବ । ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ କାଉନସିଲ ପରୀକ୍ଷାରୁ ୮୦% ମାର୍କ ଓ ଇଣ୍ଟରନାଲ୍ ପରୀକ୍ଷାରୁ ୨୦% ମାର୍କ ଆଧାରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବା ସହ ମାର୍କ ପାଇବେ । ଅନ୍ୟପଟେ କଳା ଓ ବାଣିଜ୍ୟ ବିଭାଗର ସିଲାବସରେ କୌଣସି ପରିବର୍ତ୍ତନ ହୋଇନି । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯୁକ୍ତ ଦୁଇ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ଆଜିଠାରୁ ରାଜ୍ୟରେ ଏକାଦଶ ପାଠପଢ଼ା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଆହୁରି ପାଖାପାଖି ଏକ ଲକ୍ଷ ସିଟ୍ ଖାଲି ପଡ଼ିଛି । ଏପଟେ ସିଟ୍ ପୂରଣ ପାଇଁ ସ୍ପଟ୍ ନାମଲେଖା ଅଗଷ୍ଟ ୩ ତାରିଖକୁ ଘୁଞ୍ଚିଛି । ଦ୍ବିତୀୟ ପର୍ଯ୍ୟାୟରେ ମାତ୍ର ୨୨ ହଜାର ୮୦୧ ଜଣ ନାମ ଲେଖାଇଛନ୍ତି । ୩ଟି ଜିଲ୍ଲାରେ ୧୦ ହଜାରରୁ ଅଧିକ ଯୁକ୍ତ ଦୁଇ ସିଟ୍ ଖାଲି ପଡ଼ିଛି । ତେବେ ସାମ୍ସର ନାମଲେଖା ତଥ୍ୟ ଦେଖିଲେ ରାଜ୍ୟରେ ମୋଟ ସିଟ ସଂଖ୍ୟା ୫ ଲକ୍ଷ ୯ ହଜାର ୨୪୫ । ହେଲେ ଏଥିରୁ ୩ ଲକ୍ଷ ୬୬ ହଜାର ୫୭୦ ଜଣ ନାମ ଲେଖାଇଛନ୍ତି । ଆହୁରି ୧ ଲକ୍ଷ ୪୨ ହଜାର ୬୭୫ ସିଟ୍ ଖାଲି ପଡ଼ିଛି । ତେବେ ଏହା ସ୍ପଟ୍ ନାମଲେଖା ଅପେକ୍ଷାରେ ରହିଛି ।
ଏହାମଧ୍ୟ ପଢନ୍ତୁ: ଅଗଷ୍ଟ ୧ରୁ ଯୁକ୍ତ 2 ପାଠପଢା: ପ୍ରଥମ ଦିନରେ ହେବ ଇଣ୍ଡକ୍ସନ କ୍ଲାସ
ଅନ୍ୟପଟେ ୧୧୦ଟି ଉନ୍ନୀତ ସ୍କୁଲରେ ମଧ୍ୟ ଏକାଦଶ ପାଇଁ ନାମଲେଖା ଚାଲିଛି । ଏଥିରେ ମୋଟ ସିଟ୍ ସଂଖ୍ୟା ୧୩ ହଜାର ରହିଛି । ବର୍ତ୍ତମାନ ଏପର୍ଯ୍ୟନ୍ତ ଏହି ଉନ୍ନୀତ ସ୍କୁଲଗୁଡ଼ିକରେ ୯ ହଜାର ୩୦୦ ସିଟ୍ ପୂରଣ ହୋଇଛି । ଏଥିରେ ବର୍ତ୍ତମାନ ନାମଲେଖା ଚାଲିଛି । ଆଗକୁ ନାମଲେଖା ସଂଖ୍ୟା ବଢିବାର ସମ୍ଭାବନା ରହିଛି । କାରଣ ଆଗକୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପରେ ଆହୁରି ସିଟ୍ ପୂରଣ ହେବ ବୋଲି ଆଶା କରାଯାଉଛି । ତେବେ କେବଳ ଏହି ଉନ୍ନୀତ ସ୍କୁଲଗୁଡିକରେ ବର୍ତ୍ତମାନ ଅଫ୍ଲାଇନରେ ନାମ ଲେଖାଇବା ପାଇଁ ସୁଯୋଗ ଦିଆଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର