ଭୁବନେଶ୍ବର: ଶେଷ ହୋଇଛି ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା । ଖୁବଶୀଘ୍ର ପ୍ରକାଶ ପାଇବ ପରୀକ୍ଷା ଫଳ । ଏହାକୁ ନେଇ ଦ୍ୱନ୍ଦ୍ୱ ଦୂର କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) । ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର ପରୀକ୍ଷା ଆଧାରରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ । ତେବେ ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଚିଠି ମାଧ୍ୟମରେ ଦର୍ଶାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ମେ' ଶେଷ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ
ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାର୍ଷିକ ପରୀକ୍ଷା ଓ କ୍ୱାର୍ଟର ଆଣ୍ଡ୍ ପରୀକ୍ଷା ଆଧାରରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ମାର୍କ ଏବଂ କ୍ୱାର୍ଟର ଏଣ୍ଡ୍ ପରୀକ୍ଷାରୁ ୨୦ ପ୍ରତିଶତ ମିଶି ରେଜଲ୍ଟ ପ୍ରକାଶିତ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ଛାତ୍ରଛାତ୍ରୀ ଦେଇଥିବା ୩ଟି କ୍ୱାର୍ଟର ଏଣ୍ଡ୍ ପରୀକ୍ଷାରୁ ଶ୍ରେଷ୍ଠ ଦୁଇଟି ପରୀକ୍ଷା ମାର୍କରୁ ୨୦ ପ୍ରତିଶତ ମାର୍କ ମିଶାଇ ରେଜଲ୍ଟ ପ୍ରକାଶିତ କରିବାକୁ ନିଷ୍ପତ୍ତି କରାଯାଇଛି । ଯେଉଁ ଛାତ୍ରଛାତ୍ରୀ କ୍ବାର୍ଟର ଏଣ୍ଡ୍ ପରୀକ୍ଷା ଦେଇ ନାହାଁନ୍ତି ସେମାନଙ୍କ ପାଇଁ ଅନେକ ସମସ୍ୟା ହୋଇପାରେ । ଯେଉଁମାନେ ବର୍ଷକୁ ୩ଟି କ୍ବାର୍ଟର ପରୀକ୍ଷା ଦେଇଛନ୍ତି ସେଥି ମଧ୍ୟରୁ ଦୁଇଟି କ୍ବାର୍ଟର ପରୀକ୍ଷାକୁ ନେଇ ପରୀକ୍ଷା ମାର୍କ ଗଣନା କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେଲା ଯୁକ୍ତ ଦୁଇ ଖାତା ଦେଖା, ଅନଲାଇନ-ଅଫଲାଇନରେ ହେଉଛି ମୂଲ୍ୟାୟନ
ସୂଚନା ଅନୁଯାୟୀ, ଏପ୍ରିଲ 10 ତାରିଖରୁ ଯୁକ୍ତ ଦୁଇ ମୂଲ୍ୟାଙ୍କନ ପକ୍ରିୟା ଆରମ୍ଭ ହୋଇଥିଲା । ଉଭୟ ଅନଲାଇନ ଓ ଅଫ୍ଲାଇନରେ ଖାତାଦେଖା ହୋଇଥିଲା । ଯେପରି ମୂଲ୍ୟାଙ୍କନରେ କୌଣସି ତ୍ରୁଟି ନରୁହେ ସେଥିପାଇଁ ତ୍ରିସ୍ତରୀୟ ମୂଲ୍ୟାଙ୍କନ କରାଯାଇଛି । ଚଳିତ ବର୍ଷ ୧୧୪୫ କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ, କଳାରେ 2 ଲକ୍ଷ 33 ହଜାର 855, ବିଜ୍ଞାନରେ 93 ହଜାର 894, ବାଣିଜ୍ୟରେ 24 ହଜାର 331 ଓ ଧନ୍ଦାମୂଳକ ଶିକ୍ଷାରେ 5 ହଜାର 862 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଖାତା ଦେଖା ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଖୁବଶୀଘ୍ର ଫଳାଫଳ ବାହାରିବା ନେଇ ଆଶା ପ୍ରକାଶ କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର