ଖୋର୍ଦ୍ଧା: ପୁଣି ଦବଙ୍ଗଗିରି ଦେଖାଇଲେ ଚିଲିକା ବିଧାୟକ । ବିଜେପି ବୈଠକ ଚାଲୁଥିବାବେଳେ ସମର୍ଥକଙ୍କ ସହ ପହଞ୍ଚି ସଭା ବନ୍ଦ କଲେ ବିଧାୟକ ପ୍ରଶାନ୍ତ ଜଗଦେବ । ବିଜେପି କର୍ମକର୍ତ୍ତା ବିରୋଧ କରିବାରୁ ଘଟଣାସ୍ଥଳରେ ହାତାହାତି ସ୍ଥିତି ସୃଷ୍ଟି ହୋଇଥିଲା । ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ବାଣପୁର ଗମ୍ଭାରୀମୁଣ୍ଡା ସ୍ଥିତ ଏକ ସାଂସ୍କୃତିକ ଅନୁଷ୍ଠାନରେ ଆୟୋଜିତ ବିଜେପି କର୍ମକର୍ତ୍ତାଙ୍କ ବୈଠକକୁ ବିଧାୟକ ଜଗଦେବଙ୍କ ନେତୃତ୍ୱରେ ବିରୋଧ କରିବାକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଏଭଳି ଗଣ୍ଡଗୋଳ ଘଟିଛି ।
ସୂଚନା ଅନୁଯାୟୀ, ଅପରାହ୍ନରେ ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଲ୍ଲୀ ସାଂସ୍କୃତିକ କଳା ପରିଷଦଗୃହରେ ସ୍ଥାନୀୟ ବିଜେପି କର୍ମକର୍ତ୍ତା ଓ କର୍ମୀମାନେ ବୈଠକ କରୁଥିଲେ । ଏହି ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜର ସମର୍ଥକଙ୍କ ସହ ପହଞ୍ଚି ସଭାକୁ ବନ୍ଦ କରିବାକୁ କହିଥିଲେ । ଏହାକୁ ବିଜେପିର କର୍ମକର୍ତ୍ତା ବିରୋଧ କରିଥିଲେ । ଅନୁଷ୍ଠାନର ସଭାପତି ତଥା ଯୁବ ବିଜେପିର ଜିଲ୍ଲା ସଭାପତି ଦୁଷ୍ମନ୍ତ ହରିଚନ୍ଦନ ନିଜର ସମର୍ଥକଙ୍କ ସହ ସେଠାରେ ପହଞ୍ଚି ବୈଠକରେ କୌଣସି ନିର୍ବାଚନ ନିୟମର ଭଙ୍ଗ ହେଉନାହିଁ, ଏଣୁ ଏହାକୁ ବନ୍ଦ କରାଯିବ ନାହିଁ ବୋଲି ଅଡ଼ି ରହିଥିଲେ । ଫଳରେ ଚିଲିକା ବିଧାୟକ ଓ ହରିଚନ୍ଦନଙ୍କ ମଧ୍ୟରେ କଥା କଟାକଟି ଓ ପରେ ହାତାହାତି ଯାଏଁ ବଢ଼ିଥିଲା ।
ସୂଚନା ପାଇ ବାଣପୁର ତହସିଲଦାର, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ବାଣପୁର ଥାନା ଅଧିକାରୀ ସଦଳବଳେ ସେଠାରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ସଭା ଚାଲୁଥିବା ଅନୁଷ୍ଠାନଟି ଏକ ପଞ୍ଜୀକୃତ ସାଂସ୍କୃତିକ ଅନୁଷ୍ଠାନ ହୋଇଥିବାରୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏଠାରେ କୌଣସି ରାଜନୈତିକ ସଭାସମିତି କରିବାକୁ ତହସିଲଦାର ବାରଣ କରିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ସାହୁ, ଇଟିଭି ଭାରତ