ଖୋର୍ଦ୍ଧା: ପୁଣି ଚର୍ଚ୍ଚାକୁ ଆସିଲେ ଚିଲିକା ବିଧାୟକ । ଖୋର୍ଦ୍ଧା ଜିଲ୍ଲା ଅଧିନ ବାଲୁଗାଁ ଏନଏସିରେ ଆବାସ ଯୋଜନା ବଣ୍ଟନ ସମୟରେ ଦୁଇ ଦଳ ମଧ୍ୟରେ ବଚସା ହୋଇଥିବା ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ ବାଲୁଗାଁ ଏନଏସିରେ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ବଣ୍ଟନ ସମୟରେ ବିଜେପି-ବିଜେଡ଼ି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି । ଆଉ ଏଥିରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵ ବାଲୁଗାଁ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିବା ନେଇ ଭିଡ଼ିଓ ଭାଇରାଲ ହେବାପରେ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନିରଞ୍ଜନ ।
ସେହିପରି ଜଣେ ୱେବ ପୋର୍ଟାଲ ସାମ୍ବାଦିକ ଭିଡିଓ ସଂଗ୍ରହ କରୁଥିବା ବେଳେ ଚିଲିକା ବିଧାୟକ ଉକ୍ତ ସାମ୍ବାଦିକଙ୍କ ମୋବାଇଲ ଛଡେଇ ନେଇଥିବା ନେଇ ଅଭିଯୋଗ ହୋଇଛି । ତେବେ (ବୁଧବାର) ଚିଲିକା ବିଧାୟକଙ୍କ ନାମରେ ବାଲୁଗାଁ ଥାନାରେ ଦୁଇ ଦୁଇଟି ଲିଖିତ ଅଭିଯୋଗ ହୋଇଛି । ଏବଂ ତା ସହିତ ବିଧାୟକଙ୍କ ଏପରି ଦବଙ୍ଗଗିରିକୁ ନେଇ ବାଲୁଗାଁ ଥାନା ସମ୍ମୁଖରେ ସାମ୍ବାଦିକ ଓ ବିଜେପି କର୍ମୀମାନେ ନାରାବାଜି ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ