ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik ) ଲୋକସେବା ଭବନ କନଭେନସନ୍ ସେଣ୍ଟର (Lok Seva Bhawan Convention Centre ) ରୁ ମିଶନ ଶକ୍ତି (Mission Shakti self help group) ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି । ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ମହିଳାମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି । ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ଉପସ୍ଥିତ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ ମାନେ ଆଜି ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟ ଠାରୁ ଆରମ୍ଭ କରି, ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି । ମା ମାନଙ୍କର ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି, ପ୍ରକୃତ ରୂପାନ୍ତର । ଆଗାମୀ ଦିନରେ ମା ମାନେ ଆହୁରି ବଡ ବଡ ନିଷ୍ପତ୍ତି ନେବେ ଓ ଓଡିଶାର ରୂପାନ୍ତରରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବାସ ପ୍ରକଟ କରିଛନ୍ତି । ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଆଜି ଏହା ମା ମାନଙ୍କର ଏକ ଜୀବନଧାରା । ୭୦ ଲକ୍ଷ ମା ମାନଙ୍କର ଏହି ବିରାଟ ଅନୁଷ୍ଠାନ ଆଜି ଓଡିଶା ବିକାଶର ନୂଆ ଇତିହାସ ଲେଖୁଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜିଲ୍ଲାସ୍ତରୀୟ ଫେଡେରେସନକୁ ଏକ କୋଟି ଟଙ୍କା ଓ ବ୍ଲକ ଫେଡେରେସନକୁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ ଆଦି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ମୁଁ ଚାହେଁ ।’’ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ।
ଏହାବି ପଢନ୍ତୁ- ଦେଶର ବିକାଶ ଯାତ୍ରାରେ ପ୍ରବାସୀ ଭାରତୀୟଙ୍କ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁରର ଜିଲ୍ଲାସ୍ତରୀୟ ଫେଡେରେସନ ଭବନକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି । ମିଶନ ଶକ୍ତି ବିଭାଗ କମିଶନର-ତଥା-ଶାସନ ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି, ‘‘ଆଗରୁ ସୁଧ ରିହାତି ପାଇବା ପାଇଁ ମା ମାନେ ବ୍ୟାଙ୍କକୁ ବାରମ୍ବାର ଯାଉଥିଲେ । ଏବେ ସେ ଅବସ୍ଥା ଆଉ ନାହିଁ । ୫-ଟିରେ ଟେକ୍ଲୋଲୋଜିରେ ବ୍ୟବସ୍ଥା କରାଯାଇ ସୁଧ ରିହାତି ହିସାବ କରି ମା ମାନଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯାଉଛି । ମା ମାନଙ୍କ ପାଇଁ ଯେଉଁ ରିଭଲଭିଂ ଫଣ୍ଡ କରାଯାଇଛି, ତାହା ଏକ ମିନି ବ୍ୟାଙ୍କରେ ପରିଣତ ହେବ । ମା ମାନେ କେବଳ ପାରମ୍ପରିକ ବ୍ୟବସାୟ ନୁହେଁ, ବିଭିନ୍ନ ଆଧୁନିକ ବ୍ୟବସାୟ ଫେଶନ ଡିଜାଇନ, କୃଷି ଉଦ୍ୟୋଗ, ବିଉଟି ଓ ୱେଲନେସ ଆଦି ବ୍ୟବସାୟ ଯେପରି କରିପାରିବେ । ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି । ମା ମାନେ ଏବେ ବ୍ୟବସାୟ କରି ନିଜର ପରିଚୟ ନେଇ ଆଗକୁ ବଢିବେ ।’’
ଏହାବି ପଢନ୍ତୁ- Money inside Gutkha Pouch: ଯାତ୍ରୀଙ୍କ ଚୋରି ବିଦ୍ୟା, ଗୁଟଖା ପ୍ୟାକେଟରେ ଡଲାର ଚାଲାଣ
ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଏହି ସାମାଜିକ ଓ ଆର୍ଥିକ ସଶକ୍ତିକରଣ କାର୍ଯ୍ୟକ୍ରମ ଆଜି ଏକ ବୈପ୍ଲବିକ ଆନ୍ଦୋଳନରେ ପରିଣତ ହୋଇଛି । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇବାର ଯେଉଁ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି, ତାହା ମା ମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ।
ଓଡିଶା ଜୀବିକା ମିଶନର ସିଇଓ ମାନସୀ ନିମ୍ଭାଲ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ଡଃ ଗୀତା ବସ୍ତିଆ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର