ଭୁବନେଶ୍ବର : ଆସନ୍ତା ମେ ୨୯ରେ ପୁରିବ ନବୀନ ସରକାରଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ । ମେ ମାସରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସବୁ ମନ୍ତ୍ରୀ ନିଜ ବିଭାଗର ପାଞ୍ଚ ପ୍ରମୁଖ କାର୍ଯ୍ୟାବଳୀର ବିବରଣୀ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ମନ୍ତ୍ରୀମାନେ ନିଜର ରିପୋର୍ଟ କାର୍ଡ ପ୍ରସ୍ତୁତ କରିବାରେ ବ୍ୟସ୍ତ ।
ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଚିଠି ଜରିଆରେ କହିଛନ୍ତି, "ଆସନ୍ତା ମେ ୨୯ ତାରିଖରେ ରାଜ୍ୟ ଶାସନ ଭାର ଗ୍ରହଣ କରିବାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ କରିବାକୁ ଯାଉଛି ବିଜେଡି । ଏହା ସଭିଙ୍କ ପାଇଁ ଖୁବ୍ ଅନନ୍ଦର କଥା । ଏଥିପାଇଁ ମୁଁ ସଭିଁଙ୍କୁ ଶୁଭେଚ୍ଛା ଜଣାଉଛି । ରାଜ୍ୟବାସୀଙ୍କୁ ଆମେ ଦେଇଥିବା ପ୍ରତିବଦ୍ଧତା ବିଷୟରେ ପୁଣି ଥରେ ମନେ ପକାଇ ଦେଉଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଦିଆଯାଇଥିଲା ଅନେକ ପ୍ରତିଶ୍ରୁତି । ଇସ୍ତାହାର ପୂରଣ କରିବାରେ କେତେ ସଫଳ ହୋଇଛନ୍ତି, ତାହା ସମୀକ୍ଷା କରାଯିବ । ଆମେ ଦଳର ନିର୍ବାଚନ ଇସ୍ତାହାର ରାଜ୍ୟବାସୀଙ୍କ ସମ୍ମୁଖରେ ରଖିଥିଲେ ।" ୨୦୦୦ ମସିହାରୁ ନିରନ୍ତର କାର୍ଯ୍ୟ କରି ରାଜ୍ୟବାସୀଙ୍କ ବିଶ୍ବାସଭାଜନ ହୋଇପାରିଛେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଖୁବଶୀଘ୍ର ଆମେ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ କରିବାକୁ ଯାଉଛେ । ବିଗତ ୪ ବର୍ଷରେ ରାଜ୍ୟବାସୀଙ୍କ କଲ୍ୟାଣ ସକାଶେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତିକୁ ପୂରା କରିଛେ । ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି ବୋଲି ପ୍ରମାଣ କରିଛେ । ଚଳିତବର୍ଷ ମେ ୨୨ ତାରିଖରୁ ଆପଣଙ୍କ ଦାୟିତ୍ବରେ ରହିଥିବା ବିଭାଗଗୁଡ଼ିକ ସମୀକ୍ଷା ବିଭାଗୀୟ ସଚିବମାନଙ୍କ ଉପସ୍ଥିତରେ କରିବି । ପ୍ରତ୍ୟେକ ବିଭାଗର ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ବିଷୟରେ ମୋତେ ଅବଗତ କରାଇବେ ।"
ସରକାର ଚତୁର୍ଥ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ହାସଲ କରିଥିବା ସଫଳତାକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବେ । ଏହା ପୂର୍ବରୁ ବିଭାଗୀୟ ଅଧିକାରୀମାନଙ୍କ ବୈଠକ ଡକାଇ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ମନ୍ତ୍ରୀଙ୍କୁ ପଠାଇଥିବା ଚିଠିଲେ ଉଲ୍ଲେଖ କରିଛନ୍ତି । ଏନେଇ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ, ଆମେ ଯେଉଁ ବିଭାଗରେ କାମ କରୁଛୁ ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଉଛୁ । ମୁଖ୍ୟମନ୍ତ୍ରୀ ଯାହା ନିର୍ଦ୍ଦେଶ ଓ ପରାମର୍ଶ ଦେଉଛନ୍ତି ପାଳନ କରାଯାଉଛି । ପ୍ରତି ମାସରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଉଛୁ ।
ଇଟିଭି ଭାରତ, ଭୁବନେଶ୍ବର