ଭୁବନେଶ୍ବର: ଆଗକୁ ରହିଛି ସାଧାରଣ ନିର୍ବାଚନ ୨୦୨୩ । ନିର୍ବାଚନ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଓ ତାଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ବହୁବିଧ ପଦକ୍ଷେପ ନିଆଯାଉଛି । ଆଜି ଭୁବନେଶ୍ବରର ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଡେପୁଟି କଲେକ୍ଟରମାନଙ୍କୁ ଏକ ବୈଠକ ଓ କର୍ମଶାଳା ଆୟୋଜିତ ହୋଇଛି । ଇଭିଏମର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସଂପର୍କରେ ଏହି ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଏହି କର୍ମଶାଳାର ଶୁଭାରମ୍ଭ କରିଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, "ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ପ୍ରକୃତରେ ଇଭିଏମଗୁଡ଼ିକର ମାରଫତଦାର ଅଟନ୍ତି । ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କିମ୍ବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଭିଏମର ସୁପରଭାଇଜର ଅଟନ୍ତି । ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳମାନେ କର୍ମଶାଳାରେ ସଂପୂର୍ଣ୍ଣ ଭାବେ ଅବଗତ ହେଲେ ଆଗାମୀ ଦିନରେ ହେବାକୁ ଥିବା ଇଭିଏମର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସହଜ ହୋଇପାରିବ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଆମ ରାଜ୍ୟରେ ଇଭିଏମର ଏଫଏଲସି ତନଖି କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ଅକ୍ଟୋବର ୩ ତାରିଖରୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ୧୦ ଟି ଜିଲ୍ଲା ଓ ଅବଶିଷ୍ଟ ୨୦ ଟି ଜିଲ୍ଲା ପାଇଁ ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି ।"

ଏହା ବି ପଢନ୍ତୁ- ୨୦୨୪ରେ ସାଧାରଣ ନିର୍ବାଚନ, ଖୋର୍ଦ୍ଧା ଷ୍ଟ୍ରଙ୍ଗରୁମରେ ପହଞ୍ଚିଲା EVM
ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଇଭିଏମ ନିର୍ଦ୍ଦେଶକ ଏସ. ସୁନ୍ଦରରାଜନ, ନିର୍ବାଚନ ଆୟୋଗଙ୍କ ସଚିବ ମଧୁସୂଦନ ଗୁପ୍ତା ଏବଂ ଭାରତ ଇଲେକ୍ଟ୍ରୋନିକ୍ସ କର୍ପୋରେସନର ଡେପୁଟି ଜି.ଏମ ପି.ସି ମଣ୍ଡଳ, ରାଜ୍ୟ ଇଭିଏମ ନୋଡାଲ ଅଧିକାରୀ ତଥା ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ପ୍ରମୋଦ କୁମାର ସାହୁ ପ୍ରମୁଖ କର୍ମଶାଳାରେ ଉପସ୍ଥିତ ରହି ପ୍ରଥମ ପର୍ଯ୍ୟାୟ ଇଭିଏମ ତନଖି କାର୍ଯ୍ୟ ସଂପର୍କରେ ବିସ୍ତୃତ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟକ୍ରମରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଉପସ୍ଥିତ ରହିବା ପାଇଁ ପୂର୍ବରୁ ଚିଠି ମାଧ୍ୟମରେ ଜଣାଇବେ ।
ଏହା ବି ପଢନ୍ତୁ- EVM ମେସିନକୁ ଯାଞ୍ଚ କଲା ହାଇଦ୍ରାବାଦ କମ୍ପାନୀ, ଜୋର ଧରିଲା ଆଗୁଆ ନିର୍ବାଚନ ଚର୍ଚ୍ଚା
ତନଖି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥବା ହଲ୍ ମଧ୍ୟରେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି କିମ୍ବା ମୋବାଇଲ ବ୍ୟବହାରକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଇଭିଏମ ତନଖି କାର୍ଯ୍ୟକ୍ରମ ହେଉଥିବା ହଲ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନଜରରେ ରହିବ । ଜିଲ୍ଲା ନିଚନ ଅଧିକାରୀ ନିୟମିତ ଭାବେ ଇଭିଏମ ତନଖି କାର୍ଯ୍ୟକ୍ରମକୁ ପରିଦର୍ଶନ କରିବେ । ଇଭିଏମ ତନଖି କାର୍ଯ୍ୟକ୍ରମ ଶେଷରେ ଇଭିଏମ ସୁପରଭାଇଜର ଏକ ଏଫଏଲ ସାର୍ଟିଫିକେଟ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଦେବେ ।
ଇଭିଏମ ତନଖି କାର୍ଯ୍ୟ ଲାଗି ନିର୍ବାଚନ ଆୟୋଗଙ୍କ ଜରିଆରେ ପ୍ରାୟ ୩୦୦ ଜଣ ଇଞ୍ଜିନିୟର ନିଯୁକ୍ତ ହେବେ ବୋଲି ଭାରତ ଇଲେକ୍ଟ୍ରୋନିକ୍ସର ଡେପୁଟି ଜେନେରାଲ ମ୍ୟାନେଜର କହିଛନ୍ତି । ଇଭିଏମ ତନଖି କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ସକାଳ ୯ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ବ୍ୟାପକ ସୁରକ୍ଷା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକଙ୍କ ପକ୍ଷରୁ ଏକ ସେକ୍ସନ ପୋଲିସ ସୁରକ୍ଷା ଦାୟିତ୍ଵରେ ରହିବେ । କର୍ମଶାଳାରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଡେପୁଟି କଲେକ୍ଟର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧ୍ୟାକାରୀ ଶତ୍ରୁଘ୍ନ କର ଓ ମିହିର କୁମାର ମହାନ୍ତି, ଯୁଗ୍ମ ସଚିବ ତଥା ଯୁଗ୍ମ ସଚିବ ସଂଜୟ କୁମାର ଲୁଗୁନ୍, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶଙ୍କ ସମେତ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧ୍ୟାକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର