ଭୁବନେଶ୍ବର: ଓଡିଶାର କଳା ସଂସ୍କୃତି ଓ ପରମ୍ପରାକୁ ବିଶ୍ବଦରବାରରେ ମିଳିଛି ସ୍ବତନ୍ତ୍ର ପରିଚୟ । କଳା, ସଂସ୍କୃତି ପରମ୍ପରା ସହ ରାଜ୍ୟରେ ଥିବା 62ଟି ଜନଜାତି ଏହାର ଶୋଭାକୁ ଆହୁରି ବିମଣ୍ଡିତ କରନ୍ତି । ସେମାନେ ଯେତିକି ସରଳ ତାଙ୍କର କଥାବାର୍ତ୍ତା, ବେଶ ପୋଷାକ ସେତିକି ନିଆରା । ଆଉ ଏହି ନିଆରା ଆଦିବାସୀଙ୍କୁ ସାରା ବିଶ୍ବରେ ପରିଚିତ କରାଇବାକୁ ଜୀବନର ଲକ୍ଷ୍ୟ ଭାବେ ବାଛି ନେଇଛନ୍ତି ଭୁବନେଶ୍ବରର ଚିଦାତ୍ମିକା ଖଟୁଆ ।
ଭୁବନେଶ୍ବର ବରଗଡ ବ୍ରିଟି କଲୋନୀରେ ଜନ୍ମିତ ଚିଦାତ୍ମିକା ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନର ଫାଉଣ୍ଡର ତଥା ମହିଳା ଉଦ୍ୟୋଗୀ ଭାବେ ବେଶ ପରିଚିତ । ଆଦିବାସୀ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସମାଜରେ ସ୍ବତନ୍ତ୍ର ପରିଚୟ ଦେବାକୁ ଦୃଢ ନିଶ୍ଚର କରିଛନ୍ତି ସେ। ପିଲାଦିନରୁ ନିଜ ପିତା ମାତାଙ୍କୁ ସମାଜ ସେବା ତଥା ସମାଜ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଖିଥିଲେ ଚିଦାତ୍ମିକା । ସେହିଠାରୁ ପ୍ରେରଣା ପାଇ ସମାଜ ପାଇଁ ଲୋକଙ୍କ ପାଇଁ କିଛି କରିବା ପାଇଁ ସ୍ବପ୍ନ ଦେଖିଥିଲେ ସେ । ସରକାରୀ ଚାକିରି ପାଇବା ପରେ ଭାରତର ବିଭିନ୍ନ ସ୍ଥାନ ବୁଲିଥିଲେ ଚିଦାତ୍ମିକା । ସେହି ସମୟରେ ସେ ଅନେକ ଆଦିବାସୀ ଜାତି ଓ ଜନଜାତିଙ୍କ ସଂସ୍ପର୍ଶରେ ଆସିଥିଲେ । ଖୁବ ନିକରୁ ସେମାନଙ୍କ ଲୋକ କଳା, ସଂସ୍କୃତି, ଲୋକ ସଂଗୀତକୁ ଅନୁଭବ କରିଥିଲେ । ସେଇ ଅନୁଭବ ଓ ଅନୁଭୂତି ତାଙ୍କୁ ଦେଇଥିଲା ଆଦିବାସୀଙ୍କ ପାଇଁ ଭିନ୍ନ କିଛି କରିବା ପାଇଁ ପ୍ରେରଣା । ଯାହାପରେ ସେ 2018 ମସିହାରେ ଆରମ୍ଭ କରିଥିଲେ TRIBAL QUEEN ‘ଆଦିରାଣୀ’ କାର୍ଯ୍ୟକ୍ରମ । ଆଦିବାସୀ ମହିଳା ସମାଜର ଅନ୍ୟ ମହିଳାଙ୍କ ପରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିବେ ବୋଲି ଚିଦାତ୍ମିକାଙ୍କର ଦୃଢ ବିଶ୍ବାସ ଥିଲା । ଆଉ ସେହି ବିଶ୍ବାସକୁ ସତ କରି ଦେଖାଇଲେତ ଭାରତର ପ୍ରଥମ ଟ୍ରାଇବାଲ କୁଇନ ବା ଆଦିରାଣୀ ପଲ୍ଲବୀ ଦୁରୁଆ ।
ଆଦିବାସୀଙ୍କ ଉନ୍ନତି, ତାଙ୍କ ଭବିଷ୍ୟତ ଗଢିବା ପାଇଁ ଅନବରତ ପ୍ରୟାସ କରୁଛନ୍ତି । ଏହାସହ ଆର୍ଯ୍ୟଭଟ୍ଟ ନାମକ ଶିକ୍ଷାନୁଷ୍ଠାନର ଫାଉଣ୍ଡର ମଧ୍ୟ ଅଛନ୍ତି ଚିଦାତ୍ମିକା । ଗାଁ ଗହଳିର ମହିଳାଙ୍କ ଶିକ୍ଷାର ବିକାଶ ଦିଗରେ ମଧ୍ୟ ଅନେକ କାର୍ଯ୍ୟ କରୁଛନ୍ତି ସେ । କେବଳ ସେତିକି ନୁହେଁ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ସହ ଅପପୁଷ୍ଟି ଦୂରୀକରଣ ପାଇଁ ମୋବାଇଲ ଫୁଡ ବ୍ୟାଙ୍କ ଅଭିଯାନରେ ମଧ୍ୟ କାର୍ଯ୍ୟରତ ଚିଦାତ୍ମିକା ଖଟୁଆ ।
ଆଦିବାସୀ ତଥା ତାଙ୍କ କଳା, ସଂସ୍କୃତି, ଲୋକ ନୃତ୍ୟ, ଲୋକଗୀତକୁ ସାରା ବିଶ୍ବରେ ପରିଚିତ କରାଇବାକୁ ଚିଦାତ୍ମିକା କରିଛନ୍ତି ନିଜ ଜୀବନର ବ୍ରତ । ଏହାସହ ‘ଆଦିରାଣୀ’ ଉତ୍ସବକୁ ଅନ୍ତର୍ଜାତୀୟ ମାନ୍ୟତା ଦେବାକୁ ଲାଗିପଡିଛନ୍ତି ସେ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ