ଭୁବନେଶ୍ବର: ରେଳ ଷ୍ଟେସନ ଭିତରକୁ ଧସେଇ ପଶିଲା କାର । ମାଛ ଗେଟ ନିକଟରେ ରାତି ଅଧରେ ରଚିଲା ଆତଙ୍କ । ରେଳ ଟ୍ରାକକୁ ଧସେଇ ପଶିଲା, ହେଲେ ବଡ଼ ଅଘଟଣରୁ ବର୍ତ୍ତିଲା । ଏମିତି ଏକ ଘଟଣା ଗତ ୧ ତାରିଖ ରାତିରେ ଦେଖିବାକୁ ମିଳିଥିଲା ଭୁବନେଶ୍ବର ୧ ନମ୍ବର ପ୍ଲାଟଫର୍ମ ମାଛ ଗେଟ୍ ନିକଟରେ । ଏନେଇ ଖବର ପାଇ ଆରପିଏଫ ଗାଡ଼ିକୁ ଜବତ କରିବା ସହ ଘଟଣା ଘଟାଇଥିବା ଗାଡି ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଗତ ୧ ତାରିଖ ରାତି ପ୍ରାୟ ୧ଟା ୩୦ ମିନିଟ ସମୟରେ ମାଛ ଗେଟ ଦେଇ ଜଣେ ଯୁବକ ଓ ଜଣେ ଯୁବତୀ ଏକ କାର ଯୋଗେ ହଠାତ୍ ପ୍ଲାଟଫର୍ମ ଭିତରେ ପଶିଥିଲେ । ନିଶାରେ ଚୁର୍ ଥିବା ବେଳେ ତାଙ୍କ କାରକୁ ମାଛ ଗେଟ୍ ଦେଇ ଭିତରକୁ ପଶିବା ସହ ୧ ନମ୍ବର ପ୍ଲାଟଫର୍ମରେ ହଠାତ୍ ଟ୍ରେନ ଟ୍ରାକ ଆଡ଼କୁ ଧସେଇ ପଶିବାକୁ ଉଦ୍ୟମ କରି ଫସି ଯାଇଥିଲେ । ପରେ ଏନେଇ ଗାଡି ଚାଳକ ଜଣକ ହଠାତ୍ ଗାଡି ବୁଲାଇବାକୁ ଚେଷ୍ଟା କରିବା ସମୟରେ ଶେଷରେ ଗାଡ଼ିର ଚକା ଫସିଯିବାରୁ ଗାଡିରୁ ଓହ୍ଲାଇଥିଲେ । ଏହାପରେ ପୂର୍ବରୁ ଷ୍ଟେସନରେ ଉପସ୍ଥିତ କିଛି ଲୋକଙ୍କ ସାହାଯ୍ୟରେ ଗାଡ଼ିର ଚକାକୁ ଟେକି ବୁଲାଇବା ପରେ କାରଟି ବାହାରକୁ ବାହାରିଥିଲା । ଯାହାର ଖବର ପାଇ ଆରପିଏଫ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଗାଡ଼ିରେ ଥିବା ଜଣେ ଯୁବକ ଓ ଯୁବତୀଙ୍କୁ ଅଟକ ରଖିଥିଲେ । ପରେ ଏନେଇ ଗାଡି ଚାଳକ ତଥା ସମ୍ବିତ ସ୍ଥିତପ୍ରଜ୍ଞା ରାଉତଙ୍କୁ ରେଲୱେର ବିଭିନ୍ନ ସଙ୍ଗୀନ ଦଫା ୧୪୭, ୧୫୯, ୧୫୪, ୧୪୫ (B) ଏବଂ ୧୭୯(୨)ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ତେବେ ଏକ କାର ବିନା ବାଧାରେ ଷ୍ଟେସନ ଭିତରକୁ ପଶିବା ଘଟଣା ଷ୍ଟେସନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ଏପରି ଗାଡି ଚାଳକ ନିଶାସକ୍ତ ଅବସ୍ଥାରେ ରହିଥିଲେ, ହୁଏତ କୌଣସି ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୁଜିବାର ଆଶଙ୍କା ରହଛି । କାରଣ ଫାଟକ ମାଛ ଚାଲାଣ ପାଇଁ ମୁକୁଳା ଥିବା ବେଳେ ଜଗିବା ପାଇଁ ଫାଟକରେ କେହି ସୁରକ୍ଷାକର୍ମୀ ନଥିଲେ । ସେଥିପାଇଁ କାରଟି ଷ୍ଟେସନ ଭିତରକୁ ପଶି ପାରିଲା । ୧ ନମ୍ବର ପ୍ଲାଟଫର୍ମ ଦେଇ ଅବାଧରେ ଷ୍ଟେସନ ଭିତରକୁ ଚଳପ୍ରଚଳ ହେଉଥିବା ବେଳେ ଗଞ୍ଜେଇ ମାଫିଆଙ୍କ ସମେତ କଳା କାରବାର ମାଫିଆ ଏହାର ଫାଇଦା ନେଇ କାରବାର କରୁଥାଇପାରନ୍ତି । ଏପରି ଅନେକ ଦିଗକୁ ନେଇ ଏବେ ଆଶଙ୍କା ଉପୁଜିଛି । ତେବେ ଆରପିଏଫ କେବଳ ଗିରଫ କରି ଗାଡ଼ିକୁ ଜବତ କରିଥିବା ନେଇ ରେଳ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏନେଇ କେହି ପ୍ରତିକ୍ରିୟା ଦେଇନାହାନ୍ତି । ଏବେ ବଡ଼କଥା ହେଉଛି, ବିଶ୍ବସ୍ତରୀୟ ରେଳ ଷ୍ଟେସନ ପାଇଁ ଏବେ ରେଳ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ନିଆଯାଉଛି । ହେଲେ ଏସବୁ ଭିତରେ ଏଭଳି ଏକ ଚିତ୍ର ଏବେ ସୁରକ୍ଷା ବ୍ୟବସ୍ଥା ଦିଗକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରାଇଛି ।
ଇଟିଭି ଭାରତ, ଭୁବନେଶ୍ବର