କର୍କଟ ରୋଗ ଚିକିତ୍ସା ପାଇଁ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସମ୍ମିଳିତ ଉଦ୍ୟମ ଆବଶ୍ୟକ: ପ୍ରଫେସର ହାରୋଲ୍ଡ ଭାର୍ମସ - ଭୁବନେଶ୍ବର ଜୀବ ବିଜ୍ଞାନ ପ୍ରତିଷ୍ଠାନ
ଭୁବନେଶ୍ବର ଜୀବ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ କର୍କଟ ରୋଗ ସମ୍ପର୍କିତ ପବ୍ଲିକ ଲେକ୍ଚରର୍ରେ ଯୋଗଦେଲେ ଭେଷଜ ବିଜ୍ଞାନରେ ନୋବେଲ ବିଜେତା ପ୍ରଫେସର ହାରୋଲ୍ଡ ଭାର୍ମସ । ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଏ ଦିଗରେ ଜ୍ଞାନ ଆଦାନ ପ୍ରଦାନ ହେବା ଉଚିତ ବୋଲି ସେ ମତ ରଖିଛନ୍ତି । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ବର ILS (Institute of Life Science) ପକ୍ଷରୁ କର୍କଟ ରୋଗ ସମ୍ପର୍କିତ ଏକ ପବ୍ଲିକ ଲେକ୍ଚରର୍ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭେଷଜ ବିଜ୍ଞାନରେ ନୋବେଲ ବିଜେତା ପ୍ରଫେସର ହାରୋଲ୍ଡ ଭାର୍ମସ ଯୋଗଦେଇ କର୍କଟ ଭଳି ଏକ ଭୟଙ୍କର ରୋଗର ସଚେତନତା ବିଷୟରେ ଆଲୋକପାତ କରିଥିଲେ । ଏହି ରୋଗର ଚିକିତ୍ସା ଏକ ଜଟିଳ ପ୍ରକ୍ରିୟା । କର୍କଟ ରୋଗ କେତେକାଂଶରେ ବଂଶାନୁକ୍ରମିକ ଓ ଅନ୍ୟ କିଛି କ୍ଷେତ୍ରରେ ଏଥିପାଇଁ ପରିବେଶ ଓ ଅସନ୍ତୁଳିତ ଖାଦ୍ୟପେୟ ଦାୟୀ । ରାଷ୍ଟ୍ରରାଷ୍ଟ୍ର ମଧ୍ୟରେ ଏ ଦିଗରେ ଜ୍ଞାନ ଆଦାନପ୍ରଦାନ ହେବା ଉଚିତ ବୋଲି କହିଛନ୍ତି ନୋବେଲ ବିଜେତା ପ୍ରଫେସର ହାରୋଲ୍ଡ ଭାର୍ମସ ।
ସେ କହିଛନ୍ତି, "କର୍କଟ ରୋଗ ଚିକିତ୍ସା ଏକ ଜଟିଳ ପ୍ରକ୍ରିୟା । କର୍କଟ ରୋଗରୁ ଦୂରେଇ ରହିବାକୁ ହେଲେ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପଡ଼ିବ । କିଛି କର୍କଟ ରୋଗ ପ୍ରତିଷେଧକ ଲାଗି ଟୀକା ରହିଛି । ସେହିପରି ନିର୍ଦ୍ଦିଷ୍ଟ କ୍ୟାନସର ସେଲକୁ ଚିହ୍ନଟ କରି ନଷ୍ଟ କରିବା ପାଇଁ ଚିକିତ୍ସା ବିଜ୍ଞାନରେ ନୂଆ ଗବେଷଣାଧର୍ମୀ ଚିକିତ୍ସା ପଦ୍ଧତି ବାହାରିଲାଣି । ଏଥିପାଇଁ ଟାର୍ଗେଟେଡ ଥେରାପି ବ୍ୟବହାର କରାଯାଉଛି । ଏହାଛଡ଼ା କର୍କଟ ରୋଗ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ଥେରାପି ବ୍ୟବହାର କରିବାକୁ ପଡ଼ିବ । କର୍କଟ ରୋଗ ଚିକିତ୍ସା ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ । ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ମଧ୍ୟ ଏ ଦିଗରେ ଜ୍ଞାନ ଆଦାନ ପ୍ରଦାନ ହେବା ଉଚିତ । ଆମେରିକାରେ ସିଗାରେଟ ଖାଇ ବହୁ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବାବେଳେ ଭାରତରେ ପାନ ମସଲା, ତମ୍ବାଖୁ, ଗୁଟଖା ଖାଇ ଅଧିକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ।"
ସୂଚନା ଥାଉକି, କର୍କଟ ରୋଗ ଚିକିତ୍ସା ତଥା ଟାର୍ଗେଟେଡ୍ ଥେରାପି ଉପରେ ILS ଭୁବନେଶ୍ଵର ମଧ୍ୟ କାମ କରୁଛି ଓ ଉଲ୍ଲେଖନୀୟ ସଫଳତା ମଧ୍ୟ ପାଇଛି । ଏହି ଅବସରରେ ଭୁବନେଶ୍ଵର RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି, "ବ୍ୟାସକବି ଫକୀର ମୋହନ ସେନାପତି ନିଜ ଉପନ୍ୟାସରେ ହଇଜା ରୋଗର ଭୟାବହତା ସମ୍ପର୍କରେ ଲେଖି ଯେପରି ସାଧାରଣ ଲୋକଙ୍କୁ ସଚେତନ କରାଇ ପାରିଥିଲେ, କର୍କଟ ଓ ମହାମାରୀ କୋଭିଡ ନେଇ ମଧ୍ୟ ସାହିତ୍ୟ ସୃଷ୍ଟି କରାଗଲେ, ଲୋକଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି ହେବ ।" ଏହାକୁ ନୋବେଲ ବିଜେତା ଭାର୍ମସଙ୍କ ସମେତ ବକ୍ତୃତାରେ ଭାଗ ନେଇଥିବା ସମସ୍ତ ବୈଜ୍ଞାନିକ ଓ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର