ଖୋର୍ଦ୍ଧା: ବର୍ତ୍ତମାନ ବିଜ୍ଞାନ ଯୁଗରେ ବାସ କରୁଛି ମଣିଷ । ପୁରଠୁ ପଲ୍ଲୀ ସବୁଠି ଆଧୁନିକତାର ଛାପ । ପରିବର୍ତ୍ତନଶୀଳ ଦୁନିଆରେ ତାଳ ଦେଇ ନିଜକୁ ଖାପ୍ ଖୁଆଇ ଚାଲୁଛି ମାନବ ସଭ୍ୟତା । ଯେଉଁଠି ଆଗରୁ ଘଞ୍ଚ ଜଙ୍ଗଲ ଥିଲା ତାହା ଆଜି ସହର ବୋଲାଉଛି । ସମୟର ଅନ୍ତରାଳେ ସବୁକିଛି ବଦଳିଛି । ମଧୁର ଗ୍ରାମୀଣ ଜୀବନ ମଧ୍ୟ ଆଧୁନିକତାର ଚାକଚକ୍ୟରେ ହଜିଯାଉଛି । ଆଗ କାଳରେ ସୂର୍ଯ୍ୟ ଉଇଁଲା ମାତ୍ରେ ଚାଷୀ ବଳଦ ଓ ଲଙ୍ଗଳ ସହ କ୍ଷେତକୁ ବାହାରି ପଡୁଥିଲା । କ୍ଷେତ କାମ ସାରି ପୁଣି ସୂର୍ଯ୍ୟ ନଇଁଲେ ଘର ମୁହାଁ ହେଉଥିଲା । ହେଲେ ସମୟର କସଟି ପଥରରେ ସେସବୁ ସ୍ମୃତି ହୋଇ ରହିଯାଇଛି ।
ଆଜିକାଲି ଗାଁ ଗଣ୍ଡାରେ ଲଙ୍ଗଳ ହଜିଗଲାଣି । ଗାଁ କ୍ଷେତରେ ଆଗଭଳି ଆଉ ହଳ ଲଙ୍ଗଳ ଦିଶୁନି କି ବଳଦଙ୍କ ହମ୍ବାରଡି ଶୁଭୁନି । ପୁରୁଣାକାଳିଆ ଶଗଡର ସ୍ଥାନ ନେଇଛି ଆଧୁନିକ ଯନ୍ତ୍ରପାତି । ଜମିରେ ଲଙ୍ଗଳ ବଦଳରେ ବୁଲୁଛି ନାଲି ନେଳି ରଙ୍ଗର ଟ୍ରାକ୍ଟର । ଏହି ଯାନ୍ତ୍ରିକ ଗାଡିର ଘଡ ଘଡ୍ କର୍କଶ ଶବ୍ଦରେ କାନ ଫାଟି ଯାଉଛି । ଆଉ ଏଥିରୁ ବାହାରୁଥିବା ଭକ୍ ଭକ୍ କଳା ଧୂଆଁରେ ରୁନ୍ଧି ହୋଇଯାଉଛି ଜୀବନ ।
ହଳ ଲଙ୍ଗଳ ପରି ଆଜି ଶଗଡ ବି ସ୍ମୃତି ପାଲଟି ଯାଇଛି । ନା ଶଗଡରେ ଆଉ ଫସଲ ବୁହା ହେଉଛି ନା ସୁନାନାଖି ବୋହୂ ବାପଘରୁ ଭାର ନେଇ ଶାଶୁଘରକୁ ଯାଉଛି । ରାତିର ଘନ ଅନ୍ଧାରକୁ ଚିରି ଆଉ ଶଗଡର କେଁ କଟର ଶବ୍ଦ ଶୁଭୁନି କି ଶଗଡିଆ ଗୀତ ଗାଉନି । ଗାଁ ଦାଣ୍ଡ ବଦଳରେ ଏବେ ପିଣ୍ଡାରେ ଆଲୋଡା ହୋଇ ପଡିଛି ଶଗଡ ଚକ । ଆଜିର ଯୁବପିଢି କେବଳ ବର୍ଣ୍ଣବୋଧ ବହିରେ ଚକ, ଅଖ ଓ ଶଗଡ ଚିହ୍ନୁଛନ୍ତି । ସମୟର କସଟି ପଥରରେ ସବୁକିଛି ଲୀନ ହୋଇଯାଇଛି ।
ଯନ୍ତ୍ରପାତିର ବହୁଳ ବ୍ୟବହାର ଆଜି ମଣିଷକୁ ମୃତ୍ୟୁର ଦ୍ବାରଦେଶରେ ଠିଆ କରିଛି । ମାଟି, ପାଣି, ପବନ ସବୁକିଛି ବିଷାକ୍ତ ହୋଇଯାଇଛି । ଯେଉଁ କାରଣରୁ ନାନାବିଧ ରୋଗରେ ପଡି ଛଟପଟ ହେଉଛି ଆଧୁନିକ ମଣିଷ । ଏପରିସ୍ଥଳେ ଆଧୁନିକତା ଓ ପାରମ୍ପରିକତା ମଧ୍ୟରେ ସମତୁଲ ରହିଲେ ହିଁ ମଣିଷ ସୁସ୍ଥ ଓ ସୁଖୀ ଜୀବନଧାରଣ କରିପାରିବ ବୋଲି କୁହାଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ