ଭୁବନେଶ୍ବର: ବିଶ୍ଵ ଦକ୍ଷତା କେନ୍ଦ୍ରକୁ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ଭାବେ ଗଢ଼ିବାକୁ ପଦକ୍ଷେପ । ବ୍ରିଟିଶ ଡେପୁଟି ହାଇକମିଶନର ବିଶ୍ଵ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ବିଶ୍ଵ ଦକ୍ଷତା କେନ୍ଦ୍ର ଟିମ୍ ସହ ଆଲୋଚନା କରିବା ଅବସରରେ ବିଭିନ୍ନ ପାଠ୍ୟକ୍ରମର ଲ୍ୟାବ୍ ପରିଦର୍ଶନ କରି ଓଡ଼ିଶା ଦକ୍ଷତା ଇକୋସିଷ୍ଟମ୍ ସଂପର୍କରେ ସ୍ପଷ୍ଟ ଧାରଣା ହାସଲ କରିଛନ୍ତି ।

ଦକ୍ଷତା ପ୍ରଶିକ୍ଷଣ ସମ୍ବନ୍ଧରେ ଅଭିଜ୍ଞତା ବାଣ୍ଟିବା ସହିତ ଅନେକ ବିଷୟ ଉପରେ ଆଲୋଚନା ହୋଇଛି । ଏହି ବୈଠକରେ କିଛି ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରାଯାଇଛି । ବ୍ରିଟିଶ କାଉନ୍ସିଲ ସହ ଆସୋସିଏସନ୍, ୟୁକେକୁ ଛାତ୍ର ବିନିମୟ କାର୍ଯ୍ୟକ୍ରମ, ୟୁକେର କମ୍ପାନୀ ଗୁଡ଼ିକରେ ଭବିଷ୍ୟତର ନିଯୁକ୍ତି ପାଇଁ ୟୁକେ ଶ୍ରମ ପରିଷଦ ଅନୁଯାୟୀ ପାଠ୍ୟକ୍ରମ ଏବଂ ସ୍ଵୀକୃତି, ବ୍ରିଟିଶ କାଉନ୍ସିଲ ସହଯୋଗରେ ବିଶ୍ଵ ଦକ୍ଷତା କେନ୍ଦ୍ରରେ ସାଇବର ସିକ୍ୟୁରିଟିରେ ଦକ୍ଷତା ପ୍ରଶିକ୍ଷଣର ପ୍ରଚଳନ ଇତ୍ୟାଦି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । ବୈଠକରେ ବିଶ୍ଵ ଦକ୍ଷତା କେନ୍ଦ୍ରର ଅତିରିକ୍ତ ସଚିବ ପିନାକୀ ପଟ୍ଟନାୟକ ଆଦି ପ୍ରମୁଖ ଉପସ୍ଥିତ ରହିଥିଲେ ।

ବିଶ୍ଵ ଦକ୍ଷତା କେନ୍ଦ୍ରକୁ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ରଖାଯାଇଛି । ଓଡ଼ିଶା ଗୋଇଙ୍ଗ ଗ୍ଲୋବାଲକୁ ସହାୟତା କରିବା ଦିଗରେ ଏକ ଉତ୍ତମ ପଦକ୍ଷେପ ନିଆଯାଇପାରିବ । ନିକଟରେ ବିଶ୍ଵ ଦକ୍ଷତା କେନ୍ଦ୍ର ପକ୍ଷରୁ ୨୪ ଜଣ ଓଡିଆ ବିଦ୍ୟାର୍ଥୀ ତାଲିମ ପାଇଁ ସିଙ୍ଗାପୁର ଯାଇଛନ୍ତି । ଏହି ବିଦ୍ୟାର୍ଥୀ ମାନେ ସିଙ୍ଗାପୁରର ବିଭିନ୍ନ ଖ୍ୟାତି ସମ୍ପନ୍ନ କମ୍ପାନୀ ଗୁଡିକରେ ତାଲିମ ନେଉଛନ୍ତି । ଓଡିଶା ବିଶ୍ଵ ଦକ୍ଷତା କେନ୍ଦ୍ର ବିଦେଶକୁ ତାଲିମ ପାଇଁ ବିଦ୍ୟାର୍ଥୀଙ୍କୁ ପଠାଇବାରେ ଦେଶରେ ପ୍ରଥମ ଦକ୍ଷତା ବିକାଶ କେନ୍ଦ୍ର । ଏହି ୨୪ ଜଣ ଶିକ୍ଷାର୍ଥୀ ସିଙ୍ଗାପୁରର ବୈଷୟିକ ଶିକ୍ଷା ସେବା ପ୍ରତିଷ୍ଠାନରେ ୬ ମାସ ରହିବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ଓଡ଼ିଶାରେ ଦକ୍ଷ ବିଶ୍ଵସ୍ତରୀୟ ପ୍ରୟାସ କରାଯାଉଛି । ସେହିପରି ବିଶ୍ଵ ଦକ୍ଷତା କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କର ଋଣ ଏବଂ ଆଇଟିଇଇଏସ ସିଙ୍ଗାପୁରର ବୈଷୟିକ ସହାୟତାରେ ଚାଲୁଛି । ଏହା ITI ଏବଂ ପଲିଟେକ୍ନିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟ କରିବ । ତେବେ ୫ ମାର୍ଚ୍ଚ ୨୦୨୧ରେ ଏହି କେନ୍ଦ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । ଏହି କେନ୍ଦ୍ରରେ ଆଗାମୀ ୫ ବର୍ଷ ମଧ୍ୟରେ ୧,୫୧,୦୦୦ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର