ଖୋର୍ଦ୍ଧା: ଯୌତୁକ ପାଇଁ ବଧୂ ହତ୍ୟା । ଏପରି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦେଓଗାଁରୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଦୋଳମୁଣ୍ଡି ଗାଁର ରମେଶ ସ୍ବାଇଁଙ୍କ ଝିଅ ଅହଲ୍ୟା ଗତ ୯ ବର୍ଷ ପୂର୍ବେ ଦେଓଗାଁର ବୁଲା ଛାଟୋଇଙ୍କ ପୁଅ ପ୍ରମୋଦ ଛାଟୋଇଙ୍କ ସହିତ ବୈଦିକ ରୀତିରେ ବିବାହ କରିଥିଲେ । ସେମାନଙ୍କ ତେଲ ଲୁଣର ସଂସାର ସୁଖ ଦୁଃଖରେ ଚାଲିଥିଲା । ହେଲେ ଅହଲ୍ୟାଙ୍କ ଉପରେ ଅଧିକ ଯୌତୁକ ପାଇଁ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର ।
ଏ ସମ୍ପର୍କରେ ଅହଲ୍ୟା ନିଜ ବାପାଙ୍କୁ କହିଥିଲେ । ଅହଲ୍ୟାଙ୍କ ବାପା ମଧ୍ୟ ଝିଅର ବ୍ୟାଙ୍କ ଆକାଉଣ୍ଟକୁ ୬୦ ହଜାର ଟଙ୍କା ପଠେଇଥିଲେ । କିନ୍ତୁ ଶୁକ୍ରବାର ଜ୍ବାଇଁ ପ୍ରମୋଦ ଶଶୁର ରମେଶଙ୍କୁ ଫୋନ କରିଥିଲେ ଯେ ଅହଲ୍ୟାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି । ଏହାପରେ ବାପଘର ଲୋକେ ପହଞ୍ଚିଥିଲେ । ଆଉ ଦେଖିବାକୁ ପାଇଥିଲେ ଝିଅର ଅର୍ଦ୍ଧ ଦଗ୍ଧ ମୃତଦେହ । ଏନେଇ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ବାଣପୁର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ