ଖୋର୍ଦ୍ଧା: ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ସରକାର ପୁଳାପୁଳା ଯୋଜନା କରୁଛନ୍ତି । ୫-ଟି ଅଧୀନରେ ବିଦ୍ୟାଳୟଗୁଡ଼ିକୁ ସ୍ମାର୍ଟ କରାଯାଉଛି । ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ଧଳାପଥର କଳାପଥର ବାଳିକା ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମି ଓ ଏହାର ଉଜୁଡା ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ସ୍ମାର୍ଟ ସ୍କୁଲର ବାସ୍ତବ ଚିତ୍ର ପରଖି ପାରିବେ ।
୧୯୮୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଇତିହାସ ଗୌରବମୟ । ବହୁ ପ୍ରତିଭା ସମ୍ପନ୍ନ ଓ କୃତିଛାତ୍ରୀ ସୃଷ୍ଟି କରିଛି ଏହି ବିଦ୍ୟାଳୟ । କିଛି ବର୍ଷ ହେଲା ସରକାର ଓ ଶିକ୍ଷା ବିଭାଗର ବୈମାତୃକ ମନୋଭାବ ଏହି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ପକାଇଛି।ଖୋର୍ଦ୍ଧା ଜିଲ୍ଲା ଓ କଟକ ଜିଲ୍ଲାର ସୀମାନ୍ତ ଏହି ବିଦ୍ୟାଳୟର ଆଖପାଖ ଅଞ୍ଚଳର ଛାତ୍ରୀମାନେ ଏହି ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ଆସିଥାଆନ୍ତି । ବର୍ତ୍ତମାନ ଏହି ବିଦ୍ୟାଳୟରେ ନବମ ଶ୍ରେଣୀର 106 ଜଣ ଛାତ୍ରୀ ଓ ଦଶମ ଶ୍ରେଣୀରେ 85 ଛାତ୍ରୀ ପଢୁଛନ୍ତି । ମୋଟ 191 ଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ହିନ୍ଦୀ ଓ ସଂସ୍କୃତ ଶିକ୍ଷୟିତ୍ରୀ ।
ଗୁରୁତ୍ବପୂର୍ଣ୍ଣ ବିଷୟ ବିଜ୍ଞାନ, ଇଂରାଜୀ ଗଣିତରେ ଦୀର୍ଘ ଦିନ ଧରି ଶିକ୍ଷକ ନଥିବାରୁ ଛାତ୍ରୀଙ୍କ ଶିକ୍ଷାଦାନରେ ନାନା ସମସ୍ୟା ରହିଛି । ସ୍କୁଲ ପରିଚାଳନା କମିଟି ସଭାପତି ଗ୍ରାମବାସୀ ଓ ଅବିଭାବକମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ନିକଟରେ ଏହି ବିଦ୍ୟାଳୟର ବିଭିନ୍ନ ଅଭାବ, ଅସୁବିଧା ଓ ଆବଶ୍ୟକତା ନେଇ ଦାବି ଜଣାଇ ଆସୁଛନ୍ତି । ହେଲେ କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏହି ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ସହ ଆବଶ୍ୟକ ଶିକ୍ଷକ ନିଯୁକ୍ତ କରା ନ ଗଲେ ବାଧ୍ୟହୋଇ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅପାଣାଇବେ ବୋଲି ପରିଚାଳନା କମିଟି ସଭାପତି ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ସେପଟେ ଘଟଣା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ଇଟିଭି ଭାରତ, ଖୋର୍ଦ୍ଧା