ଖୋର୍ଦ୍ଧା: ଭୁବନେଶ୍ବର ସାଂସଦଙ୍କ ବିରୋଧରେ ସ୍ବର ଉଠାଇ ପଦରୁ ବହିଷ୍କୃତ ହେଲେ ବିଜେପି ମଣ୍ଡଳ ସଭାପତି । ଗତକାଲି ଦଳୀୟ କର୍ମକର୍ତ୍ତା ବୈଠକରେ ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sarangi)ଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରିବା ସହିତ ଖୋଲାଖୋଲି ବିରୋଧ କରିଥିଲେ ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯୋଗେଶ୍ବର ସୁନ୍ଦରାୟ । ଏନେଇ ତାଙ୍କୁ ପଦରୁ ବହିଷ୍କାର କରିଛନ୍ତି ଜିଲ୍ଲା ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର । ତେବେ ଜିଲ୍ଲା ସଭାପତିଙ୍କର ବହିଷ୍କାର କରିବାର କ୍ଷମତା ନଥିବା କହିଛନ୍ତି ଯୋଗେଶ୍ବର ।
ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଗତକାଲି (ରବିବାର) ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ୫ ଜଣ ମଣ୍ଡଳ ସଭାପତି ଓ ଦଳୀୟ କର୍ମକର୍ତ୍ତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ଅପରାଜିତା ଷଡଙ୍ଗୀ (Bhubaneswar MP Aparajita Sarangi) ଦଳୀୟ କର୍ମୀଙ୍କୁ ହତାଦର କରି ଅନ୍ୟ ରାଜନୈତିକ ଦଳର କର୍ମୀଙ୍କୁ ଧରି ବିବାଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା । ସେହିଭଳି ଅପରାଜିତା ଦଳ ଭିତରେ ରହି ଅପରାଜିତା, ୟୁଥ ଫର ଆକ୍ସନ ଭଳି ସଂଗଠନ ଗଢ଼ି ଦଳ ବିରୋଧରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦଳ କିପରି ତୃଣମୂଳ ସ୍ତରରୁ ମଜଭୁତ ହେବ ସେକଥା ଚିନ୍ତା କରୁନଥିବା ମଣ୍ଡଳ ସଭାପତି ମାନେ ସଙ୍ଗିନ ଅଭିଯୋଗ ଆଣିଥିଲେ ।
ଏହାବି ପଢ଼ନ୍ତୁ...ବେଗୁନିଆ ନିର୍ବାଚନ ମଣ୍ଡଳୀରେ ସାଂସଦ ଅପରାଜିତାଙ୍କୁ ବିରୋଧ
ସାଂସଦଙ୍କ ଏଭଳି ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ରାଜ୍ୟ ସଭାପତି ଓ କେନ୍ଦ୍ରୀୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀରେ ସାଂସଦଙ୍କୁ ବିରୋଧ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ୫ ଜଣ ମଣ୍ଡଳ ସଭାପତିଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଏଥରେ ବିଜେପି ପାଞ୍ଚଗଡ଼ ମଣ୍ଡଳ ସଭାପତି ଯୋଗେଶ୍ବର ସୁନ୍ଦରାୟ କହିଥିଲେ, "ବିଜେପି ଏକ ଶୃଙ୍ଖଳିତ ଦଳ । ଏହାର ଏକ ସାଙ୍ଗଠନିକ ଭିତ୍ତିଭୂମି ଅଛି । ବିଗତ କିଛି ଦିନ ହେବ କେତେକ ଲୋକ ଦଳକୁ ତଳିତଳାନ୍ତ କରିବାକୁ ଚାହୁଁଛନ୍ତି । ଯାହା ଫଳରେ ବୋଲଗଡ ପଞ୍ଚାୟତ ନିର୍ବାଚନରେ ବହୁ ସଂଖ୍ୟାରେ ଭୋଟ କମିଯାଇଛି । ସାଂସଦ ଅପରାଜିତା ଷଡ଼ଙ୍ଗୀ ଲୋକ ଦେଖାଣିଆ କାମ କରୁଛନ୍ତି । ସେ ଯେତେ ଚେଷ୍ଟା କଲେ ଏଠାରେ ବିଜେପିକୁ ଭାଙ୍ଗି ପାରିବେ ନାହିଁ ।"
ତେବେ ଏନେଇ ଆଜି ଖୋର୍ଦ୍ଧା ଜିଲ୍ଳା ସଭାପତି ରଶ୍ମିରଞ୍ଜନ ମହାପାତ୍ର ବାରମ୍ବାର ଦଳ ଭିତରେ ରହି ବିଶୃଙ୍ଖଳିତ କାର୍ଯ୍ୟକ୍ରମରେ ଲିପ୍ତ ରହୁଥିବା ଅଭିଯୋଗରେ ଯୋଗେଶ୍ବର ସୁନ୍ଦରାୟଙ୍କୁ ମଣ୍ଡଳ ସଭାପତି ଦାୟିତ୍ବରୁ ମୁକ୍ତ କରିବା ସହ ନୂଆ ମଣ୍ଡଳ ସଭାପତି ଭାବେ ଲକ୍ଷ୍ମୀଧର ପାଟ୍ଟଶାଣୀଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି । ସେପଟେ ଏନେଇ ମଣ୍ଡଳ ସଭାପତି ଯୋଗେଶ୍ବର ସୁନ୍ଦରାୟ କହିଛନ୍ତି, "କୌଣସି ମଣ୍ଡଳ ସଭାପତିଙ୍କୁ ପଦରୁ କାଢ଼ିବା ପାଇଁ ଜିଲ୍ଲା ସଭାପତିଙ୍କର କୌଣସି ଅଧିକାର ନାହିଁ । ସେହିଭଳି ସାଂସଦ ଯେଉଁଭଳି ଦଳୀୟ କର୍ମୀଙ୍କୁ ହତାଦର କରୁଛନ୍ତି ତାଙ୍କ ବିରୋଧରେ ଆଗାମୀ ଦିନରେ ସାଂସଦଙ୍କୁ ଦୃଢ଼ ବିରୋଧ କରାଯିବ ।"
ଇଟିଭି ଭାରତ, ଖୋର୍ଦ୍ଧା