ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଦିନ ଦିନକୁ ଅସୁରକ୍ଷିତ ହୋଇ ପଡୁଛନ୍ତି ରାଜ୍ୟବାସୀ। ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ପୋଲିସ ଗୁଳି କରି ହତ୍ୟା କରିଥିବା ଏହାର ପ୍ରମାଣ ବୋଲି ପ୍ରେସମିଟରେ କହିଛି ବିଜେପି ଯୁବ ମୋର୍ଚ୍ଚା । ତେବେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାନସଭା ଘେରାଉ କରିବ ବିଜେପିର ଯୁବ ମୋର୍ଚ୍ଚା । ଆସନ୍ତା 28 ତାରିଖରେ ବିଧାନସଭା ଘେରାଉ ନେଇ ସୂଚନା ଦେଇଛନ୍ତି ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ।
ଏଥିସହ ଇରାଶିଷ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ସ୍ବର୍ଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଜଣେ ପୋଲିସ କର୍ମଚାରୀ ହତ୍ୟା କରିଛନ୍ତି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି । ତେବେ ଘଟଣାକୁ 23 ଦିନ ଟପିଲାଣି । କିନ୍ତୁ ହତ୍ୟାର କାରଣ ଖୋଜି ପାଉନାହିଁ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଓଡିଶା ଭିତରେ ଓ ବାହାରେ ଅଭିଯୁକ୍ତ ଗୋପାଳକୁ ଧରି ବୁଲି ସାରିଲାଣି । କିନ୍ତୁ ହତ୍ୟାର କାରଣ ଓ ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ସେ ନେଇ କୌଣସି ସୂଚନା କ୍ରାଇମବ୍ରାଞ୍ଚ ଦେଉନାହିଁ । ତଦନ୍ତ ବାଟବଣା ହୋଇଛି । ସେପଟେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ ଡିଜି କହୁଛନ୍ତି ଜଗନ୍ନାଥ ଭରସା ।
ସେ ଆହୁରି କହିଛନ୍ତି ଯେ, ନବ ଦାସଙ୍କ ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଗତକାଲି ବିଧାନସଭାରେ ବିବୃତି ରଖିଛନ୍ତି । ସେ କହିଛନ୍ତି ଯେ, ଏହାକୁ ନେଇ ରାଜନୀତି କରାନଯାଉ । ହତ୍ୟା ଘଟଣାର ସହଯୋଗ ଲାଗି ଆମେରିକୀୟ ସଂସ୍ଥା FBI ର ସହଯୋଗ ଲୋଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି ରାଜ୍ୟ । ନିଜ ସଂସ୍ଥା ଉପରେ ଭରସା ନ ଥିବାରୁ ଅନ୍ୟ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥା ଉପରେ ରାଜ୍ୟ ନିର୍ଭର କରୁଛି । ତେବେ ସିବିଆଇ ତଦନ୍ତ କରିବା ଲାଗି ରାଜ୍ୟ ସରକାର କାହିଁକି ଅରାଜି ବୋଲି ପ୍ରଶ୍ନ କରିଛନ୍ତି ସେ ।
ଏହା ମଧ୍ୟ ପଢନ୍ତୁ- Budget Session: ତୃତୀୟ ଦିନ ଗୃହକାର୍ଯ୍ୟ ସ୍ବାଭାବିକ, ପ୍ରଦୀପ ପାଣିଗ୍ରାହୀଙ୍କ କକ୍ଷ ତ୍ୟାଗ
ଅନ୍ୟପଟେ ଘଟଣାକୁ ନେଇ ଆସନ୍ତା 28ରେ ବିଧାନସଭା ଘେରାଉ କରିବ ବିଜେପି ଯୁବ ମୋର୍ଚ୍ଚା । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତିକୁ ନେଇ ବିଧାନସଭା ଘେରାଉ କରିବ ମୋର୍ଚ୍ଚା । ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ ନ ହେବା ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ ବୋଲି ସେ ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସୂଚନା ଦେଇଛନ୍ତି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ । ବିଧାନସଭା ଭିତରେ ବିଜେପି ବିଧାୟକ ଓ ବାହାରେ ବିଜେପି ଯୁବ ମୋର୍ଚ୍ଚା ସରକାରଙ୍କୁ ଘେରିବେ ।
ଇଟିଭି ଭାରତ, ଭୁବନେଶ୍ବର