ଭୁବନେଶ୍ବର: ସରକାରଙ୍କ ମହିଳା ସଶକ୍ତିକରଣ ନାରାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି । ମହିଳା ସଶକ୍ତିକରଣ ନାଁରେ ମହିଳାଙ୍କ ଉପରେ ଶୋଷଣ ହେଉଛି । ବିଜେଡି ସବୁବେଳେ କହୁଛି ମହିଳାଙ୍କୁ ସଶକ୍ତିକରଣ କରାଯଉଛି । କିନ୍ତୁ ପ୍ରକୃତରେ ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ନବୀନ ସରକାର । ମାଆକୁ ସମ୍ମାନ ନାରାରେ ସରକାର ପ୍ରଚାର କରୁଛନ୍ତି ହେଲେ ଦଳର କେତେ ନେତା ଓ ମନ୍ତ୍ରୀଙ୍କ ନାମ ନାରୀ ନିର୍ଯ୍ୟାତନ ମାମଲା ରହିଛି । ସେମାନେ କେତେ ମହିଳାଙ୍କୁ ସମ୍ମାନ ଦେଉଛନ୍ତି ତାହା ଜଣାପଡ଼ୁଛି ବୋଲି ବିଜେପି କହିଛନ୍ତି ।
ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ‘‘କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ବୋହୂ ଯୌତୁକ ନିର୍ଯ୍ୟାତନାର ଶିକାର ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ । ସେହିପରି ଆର୍କେଶ ନାରାୟଣ ସିଂ ଦେଓଙ୍କ ନାଁରେ ମଧ୍ୟ ସମାନ ଅଭିଯୋଗ ଆସିଛି । ନ୍ୟାୟର ଭିକ୍ଷା ମାଗିବା ପାଇଁ ରାଜରାସ୍ତାରେ ପୀଡିତା । ଶାସକ ଦଳର ନେତା ଓ ବିଧାୟକମାନେ ମଧ୍ୟ ମହିଳାଙ୍କୁ ନ୍ୟାୟ ଦେଇପାରୁ ନାହାନ୍ତି । ପୂର୍ବରୁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ତାଙ୍କ ବାନ୍ଧବୀଙ୍କୁ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆସିଛି । ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ପଦକ୍ଷେପ ନେବେ, ମୁଖ୍ୟମନ୍ତ୍ରୀ ଏ ବାବଦରେ ଜାଣିଛନ୍ତି ତ ? ମୁଖ୍ୟମନ୍ତ୍ରୀ ଚୁପ କାହିଁକି ? ଏହି ଘଟଣାରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ କାହିଁକି ନେଉ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ।’’
ସେ ଆହୁରୀ ମଧ୍ୟ କହିଛନ୍ତି, ‘‘ଆମ ରାଜ୍ୟ ଓଡିଶା ଘରୋଇ ହିଂସାରେ ଏକ ନମ୍ବରରେ ପହଞ୍ଚିଛି । ଯାହା ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଏଠି ପ୍ରଶ୍ନ ଉଠୁଛି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମାଆକୁ ସମ୍ମାନ, ମହିଳା ସଶକ୍ତିକରଣ କଥା କହୁଛନ୍ତି ହେଲେ ଏମାନଙ୍କୁ ନ୍ୟାୟ ଦେଇପାରିବେ ତ ? ନବୀନ ବାବୁଙ୍କ କାନରେ ଏକଥା ପଡିଛି କି ନାହିଁ, ନବୀନ ବାବୁ ଦୁଇ ମହିଳାଙ୍କ ବିଷୟରେ ଜାଣିଲେଣି କି ନାହିଁ ? ଉଚ୍ଚ ଶିକ୍ଷିତା ମହିଳାଙ୍କ ବେଦନା ନବୀନ ବାବୁଙ୍କ କାନରେ ପଡିଛି କି ନାହିଁ ? ଏମାନେ ନବୀନ ବାବୁଙ୍କ ମୋ ପରିବାରର ଅଟନ୍ତି କି ନାହିଁ ପ୍ରଶ୍ନ କରିଛନ୍ତି ।’’
ସେପଟେ ଅନଙ୍ଗ ଉଦୟ ସିଂ ଦେଓ ହେଉଛନ୍ତି ନବୀନଙ୍କ ବାଲ୍ୟବନ୍ଧୁ ତେଣୁ ମୁଖ୍ୟମନ୍ତ୍ରୀ ଚୁପ ରହିଛନ୍ତି କି ? ଭାରତୀୟ ଜନତା ପାର୍ଟି ଆଶା କରୁଛି ଦୁଇ ମହିଳାଙ୍କୁ ନ୍ୟାୟ ମିଳିବ । ସରକ।ର ନ୍ୟାୟ ଦେଲେ ଦୁଇ ପୀଡିତଙ୍କ ସହିତ ଆଲୋଚନା କରିବ ବିଜେପିର ଫାକ୍ଟ ଫାଇଣ୍ଡିଙ୍ଗ ଟିମ । ରାଜରାସ୍ତାକୁ ଓହ୍ଲାଇବ ମହିଳା ମୋର୍ଚ୍ଚା ବୋଲି ସୂଚନା ଦେଇଛନ୍ତି ସଭାପତି ।
ଇଟିଭି ଭାରତ, ଭୁବନେଶ୍ବର