ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)କୁ ପୁଣିଥରେ ଆରମ୍ଭ କରିବା ପାଇଁ ଦାବି କରି ଆଜି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ହଠାତ ବନ୍ଦ ହୋଇଯିବା ଫଳରେ ବିଶେଷ ଭାବରେ ଗରିବ ଓ କୃଷକ ପ୍ରଭାବିତ ହେବେ ବୋଲି ଅଭିଯୋଗ କରିଛି ବିଜେଡି । ତେବେ ଏହାର ଜବାବ ରଖିଛି ବିଜେପି । ଯଦି ରାଜ୍ୟ ସରକାରଙ୍କ ରାଜ୍ୟବାସୀଙ୍କ ପାଇଁ ଏତେ ଦରଦ ତେବେ ଆଉ ମାଗଣାରେ ୫ କେଜି ଚାଉଳ ରାଜ୍ୟ ସରକାର ଦିଅନ୍ତୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ଏଥିରେ ଗରିବ ଲୋକଙ୍କୁ ପାଇଁ ୫ କେଜି ଚାଉଳ ବ୍ୟତୀତ ଅତିରିକ୍ତ ଭାବେ ଆଉ ୫ କେଜି ମାଗଣା ଚାଉଳ ଯୋଗାଇ ଦିଆଯାଉଥିଲା । ଏହାଦ୍ବାରା ଗରିବ ଏବଂ କୃଷକ ପରିବାରଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବ ବୋଲି ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀ କରିଥିଲା ବିଜେଡି । ରାଜ୍ୟ ଯୁବ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ଦାବି କରିଥିଲେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମୁଖପାତ୍ର ଲେନିନ ମହାନ୍ତି ଏବଂ ହରିଶ ଚୌଧୁରୀ ।
ତେବେ ଏହାର ଜବାବ ରଖି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏଥିରେ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ଯଦି ରାଜ୍ୟ ସରକାରଙ୍କ ରାଜ୍ୟବାସୀଙ୍କ ପାଇଁ ଏତେ ଦରଦ ତେବେ ଆଉ ମାଗଣାରେ ୫ କେଜି ଚାଉଳ ରାଜ୍ୟ ସରକାର ଦିଅନ୍ତୁ । ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ୩ କୋଟି ୨୫ ଲକ୍ଷ ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେବାପାଇଁ ଘୋଷଣା କରିସାରିଛନ୍ତି । ଏଥିରେ ଓଡ଼ିଶାବାସୀ ଉପକୃତ ହୋଇଛନ୍ତି । ରାଜ୍ୟ ସରକାର ଅଯଥା କୁମ୍ଭୀର କାନ୍ଦଣା କାନ୍ଦନ୍ତୁ ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ । ଚାଷୀମାନେ କିପରି ୨୦୪୦ କ୍ବିଣ୍ଟାଲ ପିଛା ଏମ୍ଏସ୍ପି ପାଇପାରିବେ ତାହା ସରକାର ନିଶ୍ଚିତ କରନ୍ତୁ । କଟନିଛଟନି ଉପରେ ରୋକ ଲାଗୁ । କେନ୍ଦ୍ର ଦେଉଥିବା ଅର୍ଥକୁ ବାଟମାରଣା କରିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର