ଆମେ ସତ୍ୟ ଓ ନ୍ୟାୟ ପାଇଁ ଲଢେଇ କରୁଛୁ: ମନମୋହନ ସାମଲ - ଝାରପଡ଼ା ଜେଲରେ ବିଜେପି ସଭାପତି ମନମୋହନ ସାମଲ
ଝାରପଡ଼ା ଜେଲରେ ପହଞ୍ଚି ଗିରଫ ହୋଇଥିବା ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଭେଟିଲେ ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆମେ ସତ୍ୟ ଓ ନ୍ୟାୟ ପାଇଁ ଲଢେଇ କରୁଛୁ ଏବଂ ଏ ଲଢ଼େଇ ଆଗାମୀ ଦିନରେ ବି ଜାରି ରହିବ ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମନମୋହନ । ଅଧିକ ପଢ଼ନ୍ତୁ
ଭୁବନେଶ୍ବର: ମନମୋହନ ସାମଲ ରାଜ୍ଯ ବିଜେପି ସଭାପତି ଭାବେ ନିଯୁକ୍ତି ହେବାପରେ ଗତକାଲି ରାଜ୍ଯ କାର୍ଯ୍ଯାଳୟରେ ଦାୟିତ୍ଵ ଗ୍ରହଣ କରିଛନ୍ତି । ଆଜି ଯୁବମୋର୍ଚ୍ଚା କର୍ମୀଙ୍କୁ ଝାରପଡା ଜେଲରେ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତାଙ୍କ ସହିତ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେଭି ସିଂହଦେଓଙ୍କ ସମେତ ଦଳର ଏକାଧିକ ବିଧାୟକ ମଧ୍ୟ ଝାରପଡ଼ା ଜେଲରେ ପହଞ୍ଚି ଯୁବମୋର୍ଚ୍ଚା କର୍ମୀଙ୍କୁ ଭେଟିଛନ୍ତି ।
ତେବେ ଝାରପଡ଼ା ଜେଲରେ ଦଳର ଯୁବମୋର୍ଚ୍ଚା କର୍ମୀଙ୍କୁ ଭେଟିବା ପରେ ମନମୋହନ କହିଛନ୍ତି, "ଆମେ ସତ୍ୟ ଓ ନ୍ୟାୟ ପାଇଁ ଲଢେଇ କରୁଛୁ । ରକ୍ଷକ ହୋଇ ଭକ୍ଷକ ସାଜିଥିବା ସରକାର ବିରୋଧରେ ଲଢେଇ କରିଥିଲା ଯୁବମୋର୍ଚ୍ଚା । ବାରମ୍ବାର ବିରୋଧି ଦଳ ନେତା କହିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ତଦନ୍ତର କୌଣସି ରୂପରେଖ ହେଲା ନାହିଁ । ମିଛ କେସ୍ କରି ଜେଲ୍ରେ ଭର୍ତ୍ତି କରି କଣ୍ଠରୋଧ କରିବାକୁ ଚାହିଁଲେ ଚଳିବ ନାହିଁ । ଏ ଲଢେଇ ଆଗାମୀ ଦିନରେ ବି ଚାଲିବ । ଜେଲ ଭରୋ ଆନ୍ଦୋଳନ କରାଯିବ । କେତେ କର୍ମୀଙ୍କୁ ଜେଲ୍ ପଠାଇବେ ସରକାର । ଜେଲ୍ ଫୁଲ କରିଦେବୁ । ୨୦୨୪ ପାଇଁ ଦଳ ସବୁ ବିଷୟରେ ତର୍ଜମା କରିବ ଏବଂ ପଦକ୍ଷେପ ନିଆଯିବ । ଓଡିଶାରେ ଆଉ ଗଣତନ୍ତ୍ରକୁ ହତ୍ୟା କରି ଏକଛତ୍ରବାଦ ଶାସନ ଚାଲିବ ନାହିଁ । ଶେଷ ହୋଇ ଆସିଲାଣି । ସେମାନଙ୍କ ପାଖରେ ଆଉ ଅଧିକ ସମୟ ନାହିଁ । ବର୍ତ୍ତମାନ ସେମାନେ ଗୋଟିଏ ଭୁଲ ପାଇଁ ୧୦୦ଟି ଭୁଲ କରିବା ଆରମ୍ଭ କଲେଣି । ସବୁ ପରିସମାପ୍ତି ହେବ ।
ସୂଚନାଯୋଗ୍ୟ, ଗତ ୨୮ ଫେବୃଆରୀରୁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ଜଣ ଜେଲରେ ଅଛନ୍ତି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ ବିଧାନସଭା ଘେରିବା ସହ ବ୍ୟାପକ ଆନ୍ଦୋଳନ କରିଥିଲେ ଯୁବମୋର୍ଚ୍ଚା କର୍ମୀ । ତେବେ ଆନ୍ଦୋଳନ ବେଳେ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେବା ସହ କିଛି କର୍ମୀ ଏବଂ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଏବଂ ଅନ୍ୟ କର୍ମୀଙ୍କୁ ଗିରଫ କରି ଜେଲ ପଠାଇଛି ପୋଲିସ । ଏହା ପୂର୍ବରୁ ବହୁ ବିଜେପି ନେତା ଏବଂ ବିଧାୟକ ମାନେ ଆସି ଜେଲରେ ଥିବା ଯୁବମୋର୍ଚ୍ଚାର କର୍ମୀ ମାନଙ୍କୁ ଭେଟିଥିଲେ । ସେମାନେ ବହୁତ ଜଲଦି ଜେଲରୁ ବାହାରିବେ ବୋଲି ବିଧାୟକ ମାନେ କହିଥିଲେ ।
ଇଟିଭି ଭାରତ, ଭୁବନେଶ୍ବର