ଭୁବନେଶ୍ବର: ଅଷ୍ଟମ ଦିନରେ ବିଜେପି ସତ୍ୟାଗ୍ରହ । ବିଧାୟକଙ୍କ ସହ ସାମିଲ ହେଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ । ଓଡ଼ିଶାରେ ଦଲାଲ ମାଲାମାଲ, ଚାଷୀ ବେହାଲ କହିଲେ ବରିଷ୍ଠ ବିଜେପି ନେତା ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ।
ରାଜ୍ୟରେ ଚାଷୀ ସମସ୍ୟାକୁ ନେଇ ରାଜନୀତି ଜୋର ଧରିଛି । ଉଭୟ ଶାସକ ବିଜେଡି ଓ ବିରୋଧି ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ଘନଉଥିବାବେଳେ ଭୁବନେଶ୍ବର ଲୋୟର ପିଏମଜିରେ ବିଜେପିର ସତ୍ୟାଗ୍ରହ ପହଞ୍ଚିଛି ଅଷ୍ଟମ ଦିନରେ । ତେବେ ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ କିଛି ବିଧାୟକଙ୍କ ସମେତ ସାମିଲ ହୋଇଥିଲେ ବରିଷ୍ଠ ବିଜେପି ନେତା ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, "ଓଡ଼ିଶାର ଚାଷୀକୁଳ ଆଜି ୨୫ ବର୍ଷର ସରକାରରେ ହତାଶ ହୋଇଛି । ଓଡ଼ିଶାରେ ଚାଷୀ ଆତ୍ମହତ୍ୟା, କୁପୋଷଣ, ଚାଷୀ ଅନାହାର ବଢିଛି । ଏହାକୁ ସରକାର ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଦର୍ଶାଇଛନ୍ତି । ଓଡ଼ିଶାରେ ଜଳସେଚନ କମ । ବିଧାନସଭାରେ ମଧ୍ୟ ଏକଥା ଆଲୋଚନା ହୋଇଛି ।"
ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରତାପ ଷଡ଼ଙ୍ଗୀ ଆହୁରି କହିଛନ୍ତି, "ମଞ୍ଜି ସରକାରଙ୍କ ଦ୍ବାରା ଦିଆଯାଇଛି, କିନ୍ତୁ ତାହା ନକଲି । କେନ୍ଦ୍ର ସରକାର ସାର ଯୋଗାଇଲେ, କିନ୍ତୁ ଓଡିଶା ସରକାର ତାକୁ ଅଧିକ ଦାମରେ ବିକ୍ରି କରୁଛନ୍ତି । ରାଜ୍ୟରେ ଦଲାଲ ମାଲାମାଲ, ଚାଷୀ ବେହାଲ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାରେ ଓଡିଶା ସରକାର ଏପର୍ଯ୍ୟନ୍ତ ଚାଷୀଙ୍କ ନାମ ଦିଆଯାଇନାହିଁ । ବିଜୁ ଜନତା ଦଳ ନୁହେଁ ଏହା ବଡ଼ ଜାଲିଆତି ଶାସନ ।"
ଇଟିଭି ଭାରତ, ଭୁବନେଶ୍ବର