ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ 'ଅମ୍ଳାନ ରିପୋର୍ଟ'କୁ ନେଇ ବର୍ଷିଛି ବିଜେପି। ଏନେଇ ପ୍ରେସମିଟ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ କହିଛନ୍ତି, "ମା’ ଓ ଶିଶୁ ରକ୍ତହୀନତାର ଶିକାର ହେଲେ ସେ କେବେହେଲେ ସବଳ ହେବ ନାହିଁ କି ମାନସିକ ସ୍ତରରେ ମଧ୍ୟ ବୃଦ୍ଧି ଘଟିବ ନାହିଁ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସଦ୍ୟ ପ୍ରକାଶିତ ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ ବା ଅମ୍ଲାନ ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟର ମହିଳା ଓ ଶିଶୁମାନଙ୍କର ରକ୍ତହୀନତାକୁ ନେଇ ପ୍ରକାଶ ପାଇଥିବା ଏହି ସାଂଘାତିକ ରିପୋର୍ଟ ମିଛୁଆ ରାଧୁଆ ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି । ଭୋଟ ବ୍ୟାଙ୍କ ପଲିଟିକ୍ସରେ ବ୍ୟସ୍ତ ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ପୃଷ୍ଟି ସାଧନ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ।"
ଲେଖାଶ୍ରୀ କହିଛନ୍ତି, "ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇଦେବାରେ ସମ୍ପୂର୍ଣ୍ଣ ବିଫଳ । ଯାହା ରାଜ୍ୟ ସରକାରଙ୍କ ରିପୋର୍ଟରେ ସ୍ପଷ୍ଟ ପରିଲକ୍ଷିତ ହୋଇଛି । ରାଜ୍ୟର ୬ ରୁ ୫୯ ମାସର ଶିଶୁଙ୍କ ଭିତରେ ୪୨.୩ ପ୍ରତିଶତ ରକ୍ତହୀନତା ଦେଖାଦେଇଛି । ସେହିଭଳି ୫ରୁ ୯ ବର୍ଷ ପିଲାଙ୍କ ଭିତରେ ୪୮.୮ ପ୍ରତିଶତ ଏବଂ ୧୦ ରୁ ୧୯ ବର୍ଷ ଝିଅଙ୍କ କ୍ଷେତ୍ରରେ ୫୯.୪ ପ୍ରତିଶତ, ଗର୍ଭବତୀ ମା’ମାନଙ୍କ କ୍ଷେତ୍ରରେ ୬୨.୭ ପ୍ରତିଶତ, ସ୍ତନ୍ୟ ପାନ କରାଉଥିବା ମା’ ୬୮.୬ ପ୍ରତିଶତ ରକ୍ତହୀନତାରେ ଶିକାର ହେଉଥିବାର ଏହି ରିପୋର୍ଟରେ ପ୍ରକାଶ ପାଇଛି ।"
ଏହା ମଧ୍ୟ ପଢନ୍ତୁ...ଆମ ଓଡ଼ିଶା, ନବୀନ ଓଡିଶା; କାମକୁ ନୁହେଁ ଯୋଜନା, ଉପକୃତ ହେବେ ଦଳୀୟ କର୍ମୀ: ବିରୋଧୀ
"କେବଳ ପ୍ରଚାର, ପ୍ରସାର, ବିଜ୍ଞାପନ ଜରିଆରେ ରକ୍ତହୀନତା ଦୂର ହେବ ନାହିଁ । କେବଳ ଭିଟାମିନଯୁକ୍ତ ଚାଉଳ ଦେଲେ ରକ୍ତହୀନତା ଦୂର ହୁଏ ନାହିଁ । ଏଥିପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ଆବଶ୍ୟକ। ଦୁଃଖ ଓ ପରିତାପର ବିଷୟ, ରାଜ୍ୟ ସରକାର ମହିଳାଙ୍କ ପୃଷ୍ଟି ସାଧନ ଦିଗରେ କମ୍ ଧ୍ୟାନ ଦେଇ କ୍ଷମତା ଜାବୁଡି ଧରିବା ନିଶାରେ ବୁଡି ରହିଛନ୍ତି । ଶାସକ ଦଳ ଏବେ ସବୁ ବିଭାଗକୁ ବିକାଶ ଓ ଶାସନ କାମରୁ ଛଡାଇ କେବଳ ରାଜନୈତିକ କାମରେ ଲଗାଇଛନ୍ତି । ମିଶନ ଶକ୍ତି ଓ ମହିଳା, ଶିଶୁ ବିକାଶ, ସ୍କୁଲ ଓ ଗଣଶିକ୍ଷା ଭଳି ବିଭାଗକୁ ଭୋଟ ଗୋଟାଇବା କାମରେ ଲଗାଇଛନ୍ତି । ସରକାରଙ୍କର ସୁଶାସନ ପ୍ରତି ଧ୍ୟାନ ନାହିଁ । ଏଭଳି ସ୍ଥିତିରେ ରକ୍ତହୀନତା ବା ଅପପୃଷ୍ଟି ଦୂର ହେବନାହିଁ" କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଲେଖାଶ୍ରୀ ।
ଏପଟେ ରାଜ୍ୟର ମହିଳା ମାନଙ୍କ ରକ୍ତ ହୀନତା ଓ ଅପପୃଷ୍ଟି ସ୍ଥିତି କୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ । ଓଡ଼ିଶାରେ ସବୁଠାରୁ ଉଦବେଗ ଜନକ କଥା ହେଲା ରକ୍ତ ହୀନତା ଏବଂ ଅପପୃଷ୍ଟି। । ରାଜ୍ୟରେ ମହିଳାମାନେ ରକ୍ତ ହୀନତା ର ସ୍ବୀକାର ହୋଇଛନ୍ତି। NFHS ୨୦୨୧ ରେ ଶେଷ ଥର ପାଇଁ ସର୍ଭେ ହୋଇଥିଲା । ମହିଳା ବା ମାଆ ମାନେ ୨୦୧୬ରେ ରକ୍ତ ହୀନତା ଓ ଅପପୃଷ୍ଟି ୪୭ ପ୍ରତିଶତ ଥିଲା। ୨୧ରେ ଅପପୃଷ୍ଟି ଓ ରକ୍ତ ହୀନତା ପହଞ୍ଚିଲା ୬୧.୮। ବିଜେଡ଼ି ଶାସିତ ରାଜ୍ୟ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ ମାତୃତ୍ଵ ସୁରକ୍ଷା ପାଇଁ ଯେଉଁ ସ୍କିମ ସବୁ ହୋଇଛି ତାହା ଠିକ୍ ଭାବରେ କାମ ହେଉଛି ତ? ରାଜ୍ୟର ମହିଳା ମାନଙ୍କ ପାଇଁ ହୋଇଥିବା ସ୍କିମ କାମରେ ଆସୁନି ପିସି କାରବାର ଅଧିକ ହେଉଥିବାରୁ ଆଜି ରାଜ୍ୟ ରେ ରକ୍ତ ହୀନତା ଓ ଅପ ପୃଷ୍ଟି ଭଳି ଉଦବେଗ ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା କୁଆଡେ ଗଲା ?କେଉଁ କାମରେ ଆସୁଛି ଏହି ଯୋଜନା ବୋଲି ଏକ ସାମ୍ବାଦିକ ସମ୍ମିଳନରେ କଂଗ୍ରେସ ମୁଖପାତ୍ର ରଶ୍ମି ମହାପାତ୍ର କହିଛନ୍ତି।
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଂପର୍କିତ ସଦ୍ୟ ପ୍ରକାଶିତ ‘ଆନେମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଲାନ)’ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟର ମହିଳା ଓ ଶିଶୁମାନଙ୍କର ରକ୍ତହୀନତାକୁ ନେଇ ପ୍ରକାଶ ପାଇଥିବା ଏହି ରିପୋର୍ଟ ରାଜ୍ୟ ସରକାରଙ୍କ ଅସଲ ଚେହେରାକୁ ପଦାରେ ପକାଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର।ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ଯାହା ରାଜ୍ୟ ସରକାରଙ୍କ ରିପୋର୍ଟରେ ସ୍ପଷ୍ଟ ପରିଲକ୍ଷିତ ହୋଇଛି ।
ରାଜ୍ୟର ୬ ରୁ ୫୯ ମାସର ଶିଶୁଙ୍କ ଭିତରେ ୪୨.୩ ପ୍ରତିଶତ ରକ୍ତହୀନତା ଦେଖାଦେଇଛି । ସେହିଭଳି ୫ରୁ ୯ବର୍ଷ ପିଲାଙ୍କ ଭିତରେ ୪୮.୮ପ୍ରତିଶତ ଏବଂ ୧୦ ରୁ ୧୯ବର୍ଷ ଝିଅ ୫୯.୪ପ୍ରତିଶତ, ଗର୍ଭବତୀ ମା’ମାନଙ୍କ ୬୨.୭ପ୍ରତିଶତ, ସ୍ତନ୍ୟପାନ କରାଉଥିବା ମା’ ୬୮.୬ ପ୍ରତିଶତ ରକ୍ତହୀନତାରେ ଶିକାର ହେଉଥିବାର ଏହି ରିପୋର୍ଟରେ ପ୍ରକାଶ ପାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ)ରେ ମଧ୍ୟ ରାଜ୍ୟରେ ବଢ଼ୁଥିବା ଅପପୃଷ୍ଟି, ରକ୍ତହୀନତା, ମାତୃ ମୃତ୍ୟୁହାର, ନବଜାତ ଶିଶୁ ମୃତ୍ୟୁହାର, ବୟସ ତୁଳନାରେ ପିଲାଙ୍କର କମ୍ ଉଚ୍ଚତା ଓ ଓଜନ କମ୍ ହେବା ଇତ୍ୟାଦି ଦର୍ଶାଯାଇଛି ।
ତେବେ ରାଜ୍ୟରେ ବିଭିନ୍ନ ବର୍ଗରେ ହ୍ରାସ ପାଉଛି ରକ୍ତହୀନତା ସ୍ତର-
ରାଜ୍ୟରେ ବିଭିନ୍ନ ବର୍ଗରେ ରକ୍ତହୀନତା ସ୍ତର ହ୍ରାସ ପାଉଛି । NFHS 5 ପ୍ରକାଶିତ ରକ୍ତହୀନତାର ସ୍ତର ଅପେକ୍ଷା ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବର୍ଗର ରକ୍ତହୀନତାର ସ୍ତର ହ୍ରାସ ପାଇବାରେ ଲାଗିଛି। ଏହା ଛଡ଼ା ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କର ପୁଷ୍ଟିସାଧନ କ୍ଷେତ୍ରରେ ମଧ୍ୟ ବହୁ ମାତ୍ରାରେ ଉନ୍ନତି ଘଟିଛି। ରାଜ୍ୟରେ ହ୍ରାସ ପାଉଛି ରକ୍ତ ହୀନତା। ରକ୍ତ ହୀନତା ହ୍ରାସ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହାକୁ କିଭଳି ଭାବରେ ହ୍ରାସ କରାଯାଇପାରିବ ସେନେଇ ରାଜ୍ୟ ସରକାର ଏକ ଅଭିଯାନ ଆରମ୍ଭ କରିଥିଲେ। ସେହି ଅଭିଯାନର ନାମ ଥିଲା ଅମ୍ଳାନ। ତେବେ NFHS 5 ତଥ୍ୟ ଅନୁସାରେ ୬ ରୁ ୫୯ ମାସ ବୟସର ଶିଶୁମାନଙ୍କ କ୍ଷେତ୍ରରେ ରକ୍ତହୀନତା ୬୪.୨ ପ୍ରତିଶତ ଥିବା ବେକେ ବର୍ତ୍ତମାନ ରାଜ୍ୟରେ ତାହା ୪୨.୩ ପ୍ରତିଶତ ଅଛି। ୧୦ ରୁ ୧୯ ବର୍ଷ ବୟସ କ୍ଷେତ୍ରରେ କିଶୋରୀମାନଙ୍କ NFHS 5 ଅନୁସାରେ ୬୫.୫% ରହିଥିବା ବେଳେ ବର୍ତ୍ତମାନ ତାହା ୪୬.୯% ରହିଛି।
ପ୍ରଜନନକ୍ଷମ ମହିଳାଙ୍କ କ୍ଷେତ୍ରରେ NFHS 5 ଅନୁସାରେ ୬୪.୩% ରହିଥିବା ବେଳେ ରାଜ୍ୟରେ ତାହା ୫୫.୭% ରହିଛି । ପ୍ରତ୍ୟେକଙ୍କ କ୍ଷେତ୍ରରେ ରକ୍ତହୀନତାର ସ୍ତର ହ୍ରାସ ପାଇଛି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ NFHS 5 ଅନୁସାରେ ୬୧.୮% ଥିବା ବେଳେ ରାଜ୍ୟରେ ବର୍ତ୍ତମାନ ୬୨.୭% ପ୍ରତିଶତ ରହିଛି। ଅମ୍ଳାନ ଯୋଜନାରେ ରକ୍ତହୀନତାର ସ୍ତର ଅନୁସାରେ ଆଇରନ୍ ଫୋଲିକ ଏସିଡ ସିରପ୍ ଏବଂ ବଟିକା ଦିଆଯାଉଅଛି। NFHS 5 ପ୍ରକାଶିତ ରକ୍ତହୀନତାର ସ୍ତର ଅପେକ୍ଷା ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବର୍ଗର ରକ୍ତହୀନତାର ସ୍ତର ହ୍ରାସ ପାଇଛି। ପୁଷ୍ଟିସାଧନ କ୍ଷେତ୍ରରେ ମଧ୍ୟ NFHS 4 ଅପେକ୍ଷା NFHS 5ର ତଥ୍ୟ ଅନୁସାରେ ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କର ପୁଷ୍ଟିସାଧନ କ୍ଷେତ୍ରରେ ମଧ୍ୟ ଉନ୍ନତି ବହୁ ମାତ୍ରାରେ ଘଟିଛି।
ସୂଚନା ଅନୁଯାୟୀ, ରାଜ୍ୟରେ ରକ୍ତହୀନତା ଦୂର କରିବା ପାଇଁ ଆରମ୍ଭ ହୋଇଥିଲା ‘ଅମ୍ଳାନ’ ଅଭିଯାନ। ବିଶେଷ କରି ଫୋକସ ରେ ମହିଳା, ବାଳିକା, ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନ କରାଉଥିବା ମା’ ଏହି ଅଭିଯାନରେ ରହିଛନ୍ତି। ତେବେ ଏହି ‘ଅମ୍ଳାନ’ କାର୍ଯ୍ୟକ୍ରମରେ ଆଇରନ ଓ ଫୋଲିକ ବଟିବା ଯୋଗାଇବା ସହ ହିମୋଗ୍ଲୋବିନ ପରୀକ୍ଷା, ରକ୍ତହୀନତା ରୋଗୀଙ୍କୁ ଚିକିତ୍ସା କରାଯିବାର ଯୋଜନା କରାଯାଇଥିଲା। ରାଜ୍ୟରେ ଥିବା ୫୫ ହଜାର ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ୭୪ ହଜାର ଅଙ୍ଗନଓ୍ବାଡି କେନ୍ଦ୍ରରେ ଏହି ଅଭିଯାନ ରେ ସାମିଲ ହୋଇଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର