ଭୁବନେଶ୍ବର: ବିଜେପି ଆରମ୍ଭ କରିଥିବା 'ଗାଁ ଗାଁ ଚାଲ ଘର ଘର ଚାଲ' ଅଭିଯାନକୁ କଟାକ୍ଷ କଲା ବିଜେଡି । ରାଜ୍ୟରେ ହୋଇଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ବରଣ କରିଛି । ଏହାପରଠାରୁ ଗାଁରୁ ସହର ପର୍ଯ୍ୟନ୍ତ ବିଜେପି କର୍ମୀମାନେ ହତୋତ୍ସାହିତ ହୋଇ ପଡ଼ିଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ତେବେ ଏହି ହତାଶ କର୍ମୀଙ୍କୁ ଉତ୍ସାହିତ କରିବା ଲାଗି ନୂଆ ରାଜ୍ୟ ସଭାପତି ମନମୋହନ ସାମଲ 'ଗାଁ ଗାଁ ଚାଲ ଘର ଘର ଚାଲ ଅଭିଯାନ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ଲେନିନ ।
ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଲେନିନ କହିଛନ୍ତି, "ରାଜ୍ୟ ବିଜେପିର କିଛି ନେତା ନିଜେ ଅରାଜକତା ସୃଷ୍ଟି କରୁଛନ୍ତି । କିନ୍ତୁ ଓଡ଼ିଶାବାସୀଙ୍କୁ ଅରାଜକ କହି ଅପମାନିତ କରିଛନ୍ତି । ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଓଡ଼ିଶାକୁ ଅପବାଦ ଓ ଅପମାନ କରୁଛନ୍ତି ବିଜେପି ନେତା । ସେମାନେ ଯେଉଁଭଳି ଭାବେ ଓଡ଼ିଶାକୁ ଜାତୀୟସ୍ତରରେ ଅପମାନିତ କରିଛନ୍ତି, ତାହା କେହି ଭୁଲି ନାହାନ୍ତି । କାହିଁକି ଆମକୁ ଅପମାନିତ କରିଛନ୍ତି ବୋଲି ଗାଁକୁ ଗଲେ ଓଡ଼ିଶାର ଲୋକ ପଚାରିବେ । ଓଡ଼ିଶା ବିଜେପି ଜାଣି ରଖିବା ଉଚିତ ଯେ, ଓଡ଼ିଶାରେ କେବଳ ପଛୁଆ ବର୍ଗ ନୁହନ୍ତି, ସବୁ ବର୍ଗର ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯାଉଛି । ସେଥିପାଇଁ ଓଡ଼ିଶାର ଲୋକ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅକୁଣ୍ଠ ସମର୍ଥନ ଦେଇ ଆସିଛନ୍ତି ।"
ବିଜେପିର ମିଥ୍ୟା ପ୍ରଚାର ଏବଂ ଓଡ଼ିଶାକୁ ଅପମାନିତ କରିବାର ପ୍ରୟାସ ପାଇଁ ସେମାନେ ବାରମ୍ବାର ବିଫଳ ହୋଇ ଆସିଛନ୍ତି ବୋଲି ଲେନିନ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ୨୩ ବର୍ଷ ହେଲା ନ୍ୟାୟ ଓ ଆଇନର ଶାସନ ଚାଲୁଛି । ଓଡ଼ିଶା ସମୃଦ୍ଧି ପଥରେ ଆଗଉଛି । ଓଡ଼ିଶାବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ବିଜୁ ଜନତା ଦଳକୁ ଆଶୀର୍ବାଦ କରୁଛନ୍ତି । କେନ୍ଦ୍ରରେ ଥିବା ବିଜେପି ସରକାର ଗରିବ ଲୋକଙ୍କ ୫ କିଲୋ ଚାଉଳ କାଟି ଦେଇଛନ୍ତି । ଗ୍ୟାସ ସିଲିଣ୍ଡର ଦର ବଢ଼ାଇଛନ୍ତି । ଲୋକେ ପୁଣିଥରେ ଚୁଲିମୁଣ୍ଡକୁ ଫେରି ଗଲେଣି । ଓଡ଼ିଶା ଚାଷୀ ଉତ୍ପାଦନ କରୁଥିବା ଧାନକୁ କିଣିବା ଏକ ପ୍ରକାର ବନ୍ଦ କରିଦେଇଛନ୍ତି । ଓଡ଼ିଶାର ଗାଁରେ ବ୍ୟାଙ୍କ ସେବା ପହଞ୍ଚି ପାରିନାହିଁ । ଗାଁରେ ମୋବାଇଲ ଟାୱାର ନଥିବାରୁ ଲୋକେ ବିଭିନ୍ନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ।"
ବିଜେପିର କଷଣରେ ଲୋକ ଆଉଟ ପାଉଟ ହେଉଛନ୍ତି ବୋଲି ଲେନିନ କହିଛନ୍ତି । ଗାଁକୁ ଗଲେ ଲୋକେ ଏସବୁ ସମସ୍ୟା ନେଇ ନିଶ୍ଚୟ ପ୍ରଶ୍ନ ପଚାରିବେ । ନିର୍ବାଚନରେ ହାରିବା ପରେ ଆଜି ପର୍ଯ୍ୟନ୍ତ ଗାଁକୁ ଯାଉନଥିଲେ ବିଜେପି ନେତା ବୋଲି ସେ କହିଛନ୍ତି । ଆଜି ଗାଁ କଥା ମନେ ପଡୁଛି । କିନ୍ତୁ ଏହି କାର୍ଯ୍ୟକ୍ରମ କେବେ ବି ସଫଳ ହୋଇପାରିବ ନାହିଁ ବୋଲି ସେ ସିଧାସଳଖ କହିଛନ୍ତି । ସାଧାରଣ ଲୋକେ କାହିଁକି ୫ କେଜି ଚାଉଳ କାଟିଲ, କାହିଁକି ବୃଦ୍ଧି କଲ ଗ୍ୟାସ ଦର ବୋଲି ପ୍ରଶ୍ନ ପଚାରିବେ ବୋଲି ଲେନିନ କହିଛନ୍ତି । ଉତ୍ତର ଦେବାକୁ ବିଜେପି ନେତା ଓ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରସ୍ତୁତ ଥିବେ ବୋଲି କହିଛନ୍ତି ଲେନିନ ।
ଇଟିଭି ଭାରତ, ଭୁବନେଶ୍ବର