ଭୁବନେଶ୍ବର: ୨୫ ବର୍ଷରେ ପାଦ ଥାପିବ ବିଜୁ ଜନତା ଦଳ । ଆସନ୍ତା ଡିସେମ୍ବର ୨୬ରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ । କୋଭିଡ ପରେ ଚଳିତ ବର୍ଷ ବେଶ ଧୁମଧାମରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ । ଏନେଇ ବ୍ୟାପକ ପ୍ରସ୍ତୁତି କରିଛି ବିଜେଡି ।
ଆସନ୍ତା ୨୬ ଡିସେମ୍ବରରେ ୨୫ ବର୍ଷରେ ପାଦ ଥାପିବ ବିଜୁ ଜନତା ଦଳ । ଚଳିତ ବର୍ଷ ପ୍ରତିଷ୍ଠା ଦିବସକୁ ଧୁମଧାମରେ ପାଳନ ପାଇଁ ଦଳ ନିଷ୍ପତ୍ତି ନେଇଛି । ବିଜେଡିର ପ୍ରତିଷ୍ଠା ଦିବସ ପାଇଁ ଶୁକ୍ରବାର ନବୀନ ନିବାସରେ ବସିଛି ପ୍ରସ୍ତୁତି ବୈଠକ । ପ୍ରତିଷ୍ଠା ଦିବସ ଉପଲକ୍ଷେ ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଛି ଦଳ । ତୃଣମୂଳସ୍ତରରୁ ଆରମ୍ଭ କରି ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରତିଷ୍ଠା ଦିବସ ପାଳନ ହେବ । ଆସନ୍ତା ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସରେ ରାଜ୍ୟସ୍ତରରେ ଅନେକ ନେତା ଓ କର୍ମୀ ଯୋଗଦେବେ । ବରିଷ୍ଠ ବିଧାୟକ ତଥା ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ବାସଭବନରେ ଆଜି ପୂର୍ବାହ୍ନରେ ଏନେଇ ପ୍ରଥମେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
ବସିଥିବା ପ୍ରଥମ ବୈଠକରେ ବିଜେଡିର ସାଂଗଠନିକ ସମ୍ପାଦକ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବୈଠକରେ ଆଲୋଚନା ହୋଇଛି । କିପରି ପ୍ରତିଷ୍ଠା ଦିବସ ପାଳନ ହେବ, କଣ ସବୁ କାର୍ଯ୍ୟକ୍ରମ ରହିବ ଏନେଇ ବୈଠକରେ ଆଲୋଚନା ହୋଇଛି । ଏହାପରେ ଦଳର ୪ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସ୍ନେହାଙ୍ଗିନୀ ଛୁରିଆ ଓ ଅରୁଣ ସାହୁ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ସହ ଆଲୋଚନା କରି ପ୍ରସ୍ତୁତି ଚୂଡ଼ାନ୍ତ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପେନ୍ଦ୍ର ନାରାୟଣ ସିଂହଦେଓ, ଦିବ୍ୟଶଙ୍କର ମିଶ୍ର, ବ୍ୟୋମକେଶ ରାୟ, ଦେବୀ ରଞ୍ଜନ ତ୍ରିପାଠୀ, ପ୍ରଣବ ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର