ଖୋର୍ଦ୍ଧା : ଚିଲିକାରେ ଶେଷ ହୋଇଛି ପକ୍ଷୀ ଗଣନା । ଗତବର୍ଷ ତୁଳନାରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପକ୍ଷୀ ଚିଲିକାକୁ ଆସିଥିବା ଗଣନାରୁ ସ୍ପଷ୍ଟ ହୋଇଛି । ଗତବର୍ଷ 184 ପ୍ରଜାତିର ମୋଟ 11ଲକ୍ଷ 5ହଜାର 40 ପକ୍ଷୀ ଆସିଥିବାବେଳେ ଚଳିତ ବର୍ଷ 190 ପ୍ରଜାତିର 12ଲକ୍ଷ 42ହଜାର 826 ପକ୍ଷୀ ଆସିଥିବା ଜଣାପଡିଛି ।
ଶୀତ ବଢିଲେ ଖାଦ୍ୟ ଅନ୍ବେଷଣରେ ହଜାର ହାଜର ମାଇଲ ଅତିକ୍ରମ କରି ଚିଲିକାକୁ ଆସିଥାନ୍ତି ବିଦେଶୀ ପକ୍ଷୀ । ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ମଧ୍ୟ ଭିଡ ଜମିଥାଏ । ତେବେ କେତେ ପକ୍ଷୀ ଆସନ୍ତି ତାର ପ୍ରତିବର୍ଷ ଗଣନା କରାଯାଏ ।
ଚଳିତ ବର୍ଷ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହି ଗଣନା କାର୍ଯ୍ୟ ଶେଷ ହୋଇଛି । ଉଭୟ ଜଳ ଓ ସ୍ଥଳ ପଥରେ 21ଟି ଟିମର 116ଜଣ ଏହି ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ପକ୍ଷୀଙ୍କ ଆଗମନ ହୋଇଥିବା ଗଣନାରୁ ଜଣାପଡିଛି ।
ଚଳିତ ଥର ଆସିଥିବା ସମୁଦାୟ 12ଲକ୍ଷ 42ହଜାର 826 ପକ୍ଷୀଙ୍କ ମଧ୍ୟରୁ 111ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ହେଉଛି 12 ଲକ୍ଷ 4ହଜାର 351 । ସେହିପରି 79 ପ୍ରଜାତିର 38ହାଜର 475 ସ୍ଥାନୀୟ ପକ୍ଷୀ ରହିଥିବା ସୂଚନା ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ