ଭୁବନେଶ୍ବର: ଡ୍ରଗ ଅପବ୍ୟବହାର ଏବଂ ବେଆଇନ ଡ୍ରଗ କାରବାର ବିରୋଧରେ ସଚେତନତା ଲାଗି ପ୍ରତିବର୍ଷ ଜୁନ 26 ତାରିଖରେ ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଦିବସ ପାଳିତ ହେଉଛି । ଚଳିତ ବର୍ଷ ଥିମ ରହିଛି 'ନୋ ଟୁ ଡ୍ରଗସ୍, ୟେସ୍ ଟୁ ଲାଇଫ୍' । ତେବେ ନିଶା କବଳରୁ ମୁକ୍ତ କରି ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନ ପାଇଁ ସଚେତନତା ଶୋଭାଯାତ୍ରା କରିଛନ୍ତି ବାଇକିଙ୍ଗ୍ କମ୍ୟୁନିଟି ଓଡ଼ିଶା। ଏଥିରେ ଓଲିଉଡ଼ ଅଭିନେତା ସିଦ୍ଧାନ୍ତ ମହାପାତ୍ର ସାମିଲ ହୋଇ ବାଣ୍ଟିଛନ୍ତି ସଚେତନତା ବାର୍ତ୍ତା ।
କମିଶନରେଟ ପୋଲିସ ଓ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ଓଡ଼ିଶା ଶାଖା ପକ୍ଷରୁ ମୂଲ୍ୟବାନ ଜୀବନର ବାର୍ତ୍ତା ନେଇ ଏକ ସଚେତନତା ବାଇକ ରାଲି କମିଶନରଟ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଶୋଭାଯାତ୍ରାକୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଆସୋସିଏସନର ମୁଖ୍ୟ ତଥା ବାଇକରାଣୀ ଅମିତା ସିଂହଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅଧିକ ତ୍ଵରାନିତ୍ଵ ହୋଇଥିବା ବେଳେ ପୂର୍ବତନ ସାଂସଦ ତଥା ସିନେ ତାରକା ସିଦ୍ଧାନ୍ତ ମହାପାତ୍ର ଓ ଏନସିବି ଓଡିଶା ଶାଖା ଆସିଷ୍ଟାଣ୍ଟ ଡାଇରେକ୍ଟର କୁଲଦିପ ଶର୍ମା ଏବଂ ଏନସିବି ସୁପରିଟେଣ୍ଡେଣ୍ଟ ସୁରଜିତ ସେନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହା ବି ପଢନ୍ତୁ- SCBରେ ଲୁଟେରା ରାଜ, 6 ମାସ ଧରାପଡିଲେଣି ଅନେକ ଦଲାଲ
ଏହି ଶୋଭାଯାତ୍ରାରେ ୧୮୦ ଜଣ ବାଇକ ରାଇଡର ଯୋଗ ଦେଇ ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ଓଡ଼ିଶାର ୧୮୦ କିମି ଯାତ୍ରା କରିବାକୁ ଥିବା ବେଳେ ଉପସ୍ଥିତ ଅତିଥି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶୋଭାଯାତ୍ରା କମିଶନରେଟ କାର୍ଯ୍ୟାଳୟରୁ ବାହାରି ଜୟଦେବ ବିହାର, ନୂଆଗଡ ବାଇପାସ ଏବଂ ଜଙ୍କିଆ ରୁଟ ଅତିକ୍ରମ କରି ଶୈଳଶ୍ରୀବିହାର ସ୍ଥିତ ରାଜ୍ୟ ଏନସିବି କାର୍ଯ୍ୟାଳୟରେ ଶୋଭାଯାତ୍ରାକୁ ବିରାମ ଦେଇଥିଲେ । ଶୋଭାଯାତ୍ରାରେ ବାଇକ କମ୍ୟୁନିଟି ମୁଖ୍ୟ ମନୀଷା ବେହେରା, ନିଶିକାନ୍ତ ମିଶ୍ର, ପୂର୍ବତନ କ୍ରକେଟର ଜିତୁ ଶତପଥୀ, ଟ୍ରାଇବାଲ କ୍ବିନ ଗ୍ଲୋବାଲର ପ୍ରତିଷ୍ଠାତା ଡ. ଚିଦମ୍ବିକା ଖଟୁଆ, ସମାଜସେବୀ ଲିଙ୍କନ ସୁବୁଦ୍ଧି ପ୍ରମୁଖ ସାମିଲ ହୋଇଥିଲେ ।
ଏହି ଅବସରରେ ଯୋଗ ଦେଇ ପୋଲିସ କମିଶନର କହିଛନ୍ତି," ନିଶାକୁ ସବୁ ସ୍ତରରୁ ରୋକିବା ଲାଗି ଉଚ୍ଛେଦ ପ୍ରକ୍ରିୟା କମିଶନରେଟ ପୋଲିସ ଏନସିବି ପକ୍ଷରୁ ଆରମ୍ଭ ହୋଇଛି । କିନ୍ତୁ କେବଳ ଉଚ୍ଛେଦ କରିଦେଲେ ହେବନି ଏଥିପାଇଁ ସଚେତନତାର ଆବଶ୍ୟକତା ରହିଛି । ନିଜ ଭିତରୁ ନିଜ ପରିବାରରୁ ଏହି ସଚେତନତା ଆରମ୍ଭ କଲେ ହିଁ ଆମେ ସମାଜର ଏହି ବଡ ବ୍ୟାଧିକୁ ରୋକିପାରିବା । ଏଣୁ ପୁରା ବାଇକର ଟିମକୁ ଏହି ସଚେତନତା ଶୋଭାଯାତ୍ରା ପାଇଁ ମୁଁ ଶୁଭେଚ୍ଛା ଦେବା ସହ ସ୍ୱାଗତ କରିଛି । ଶିକ୍ଷା ଓ ସଚେତନତା ଏହି 2ଟି ବାଟ ଦେଇ ସମାଜରେ ଆମେ ନିଶାକୁ ବାରଣ କରିପାରିବ ନ ହେଲେ ଏହା ଏକ ମହାମାରୀ ପରି ମାଡିଚାଲିବ।"
ଇଟିଭି ଭାରତ, ଭୁବନେଶ୍ବର