ଭୁବନେଶ୍ବର: ହକି ବିଶ୍ବକପ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ ଆୟୋଜନ କରୁଛି ଓଡିଶା । ସାରା ରାଜ୍ୟରେ ଏବେ ହକି ଫିଭର । ଓଡ଼ିଶାରେ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ଏନେଇ ପ୍ରତିଷ୍ଠା ହୋଇଛି ଅନ୍ତର୍ଜାତୀୟ ହକି ଷ୍ଟାଡିୟମ । ହକି ବିଶ୍ବକପ ଖେଳିବାକୁ ଦେଶ ବିଦେଶରୁ ଏଠାକୁ ଆସିବେ ଖେଳାଳି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ରାଉରକେଲାରୁ ସାଇକେଲ ଯାତ୍ରା କରି ନବୀନ ନିବାସରେ ପହଞ୍ଚିଛନ୍ତି ୧୫୦ ସାଇକେଲ ଚଳାଳୀ ।
ଓଡ଼ିଶାରେ ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବାବେଳେ ରାଉରକେଲାରେ ହୋଇଥିବା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସେମାନଙ୍କୁ ନୂଆ ଅନୁଭୂତି ଦେଇଛି । ସେମାନଙ୍କର ପରିଚୟକୁ ଆହୁରି ଦୃଢ଼ୀଭୁତ କରିଛି । ଖାଲି ସେତିକି ନୁହେଁ ସେଠାରେ ହକି ବିଶ୍ଵକପର ଆୟୋଜନ ମଧ୍ୟ କରାଯାଉଛି । ଏହା ପ୍ରତିଟି ରାଉଲକେଲାବାସୀଙ୍କ ପାଇଁ ଖୁସି ଓ ଗର୍ବର ବିଷୟ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ସୁନ୍ଦରଗଡ ଜିଲ୍ଲାର ୭ ଟି ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୧୫୦ ଯୁବକ ଆଜି ସାଇକେଲ ଯାତ୍ରା କରି ନବୀନ ନିବାସରେ ପହଞ୍ଚିଛନ୍ତି । ପ୍ରାୟ ୨୮୦ କିଲୋମିଟରରୁ ଊର୍ଦ୍ଧ୍ବ ସାଇକେଲ ଚଳାଇ ରାଉରକେଲାରୁ ନବୀନ ନିବାସ ଆସିଥିଲେ ଏହି ୧୫୦ ସାଇକେଲ ଚଳାଳୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ତାଙ୍କୁ ଧନ୍ୟବାଦ ଦେଇ ଖୁସି ପ୍ରକାଶ କରିଛନ୍ତି ।
ପ୍ରାୟ ୩ ଦିନ ଧରି ରାଉରକେଲାରୁ ସାଇକେଲରେ ଆସି ଆଜି ସେମାନେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଅନ୍ୟପଟେ ଏହି ଯୁବବର୍ଗଙ୍କ ଭିତରେ ଏକ ୧୪ ବର୍ଷର ନାବାଳକ ମଧ୍ୟ ସାମିଲ ହୋଇଛନ୍ତି । ହକି ପ୍ରତି ଥିବା ଭଲ ପାଇବା ତାଙ୍କୁ ବେଶ ଖୁସି ଦେଇଛି । ତେଣୁ ସେ ମଧ୍ୟ ସୁଦୂର ରାଉଲକେଲାରୁ ସାଇକେଲ ଯୋଗେ ଭୁବନେଶ୍ବର ଆସିଛନ୍ତି । ଏମାନେ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନାହାନ୍ତି, ହକିର ପ୍ରଚାର ପାଇଁ ହେଉଥିବା ଭୁବନେଶ୍ବର ଚାଲ ବା ୱାକାଥନର କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ଯାହା ସମସ୍ତଙ୍କୁ ବେଶ ପ୍ରେରଣା ଯୋଗାଇଥିଲା । ଏହାପରେ ସେମାନେ କଳିଙ୍ଗ ଷ୍ଟାଡିୟମ ଯାଇଥିବାବେଳେ ୧୪ ବର୍ଷୀୟ ସାଇକେଲ ଚଳାଳୀ ଆଶିଷ ବରୁ କହିଛନ୍ତି ହକି ପ୍ରେମ ପାଇଁ ସେ ସବୁ କଷ୍ଟ ଭୁଲିଯାଇଛନ୍ତି । ଆଉ ଖୁସିରେ ସାଇକେଲ ଚଳାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର