ଭୁବନେଶ୍ବର: ରାଜଧାନୀ ସ୍ଥିତ ଘରୋଇ ହସ୍ପିଟାଲର ଟ୍ରାଜେଡିରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ । ହସ୍ପିଟାଲ ବିସ୍ପୋରଣରେ ଘଟିଥିବା ଅଭାବନୀୟ ଘଟଣା ବିରୋଧ କରି ଅଲ ଓଡିଶା ଷ୍ଟୁଡେଣ୍ଟ ଭଏସ (AOSV) ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ କରିଛନ୍ତି । ଶହଶହ ଛାତ୍ରଛାତ୍ରୀ ନାରାବାଜି ସହ ସ୍ଵାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି । ହସ୍ପିଟାଲର ଗୁମର ଖୋଲିଯିବ ବୋଲି ଜୀବନ୍ତ ବ୍ୟକ୍ତିକୁ ମାରିଦେଇଥିବା ଅଭିଯୋଗ କରିଛି ସଂଘ ।
ଶହ ଶହ ଛାତ୍ରଛାତ୍ରୀ ବାଇକ ରାଲିରେ ଆସି ସିଧାସଳଖ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ହସ୍ପିଟାଲ ମାଲିକଙ୍କ ଗିରଫ ଦାବି କରିଥିଲେ । ହସ୍ପିଟାଲର ଲାଇସେନ୍ସ ରଦ୍ଦ ଓ ମାଲିକଙ୍କ ଗିରଫ ଦାବି କରି ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରିଥିଲେ । ଆଉ ମୃତକଙ୍କ ପରିବାରକୁ ଏକ କୋଟିର ସହାୟତା ରାଶି ପ୍ରଦାନ ଦାବି କରିଥିଲେ । ଏହାସହ ହାଇଟେକ ହସ୍ପିଟାଲ ମାଲିକ ତିରୁପତି ପାଣିଗ୍ରାହୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ହସ୍ପିଟାଲର ଗୁମର ଖୋଲିଯିବ ବୋଲି ଜୀବନ୍ତ ବ୍ୟକ୍ତିକୁ ମାରିଦେଇଥିବା ଅଭିଯୋଗ କରିଛି ସଂଘ ।
ଏହା ବି ପଢନ୍ତୁ- ଘରୋଇ ହସ୍ପିଟାଲ ବିସ୍ଫୋରଣ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡାମାଡ଼ କଲା କଂଗ୍ରେସ
ବାସଭବନ ଘେରାଓ ସହ ଟମାଟୋ ମାଡ କରିବା ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ AOSVର କର୍ମକର୍ତ୍ତାଙ୍କ ସହିତ ପୋଲିସ ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ସେମାନଙ୍କୁ ଗିରଫ କରିଥିଲା । ଅନ୍ୟପଟେ ତିରୁପତି ପାଣିଗ୍ରାହୀଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ସଙ୍ଘ ପ୍ରଶ୍ନ ଉଠାଇଛି ।
ଏନେଇ ସଙ୍ଘର ସଭାପତି ବିଭୁ ପ୍ରସାଦ ଜେନା କହିଛନ୍ତି, "ସମ ହସ୍ପିଟାଲ ଓ ବମିଖାଲ ବ୍ରିଜ ଭୁଶୁଡିବା ସମୟରେ ଯଦି ସଂସ୍ଥାର ମାଲିକଙ୍କୁ ଗିରଫ କରାଯାଇଛି ତାହାଲେ ତିରୁପତି ପାଣିଗ୍ରାହୀ କାହିଁକି ନୁହେଁ । ଏହା କେବଳ ସେ ବିଜେଡିର ଛତ୍ରଛାୟା ତଳେ ରହିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କି ସରକାର ତାଙ୍କୁ ଗିରଫ କରୁନାହାନ୍ତି । ସାଧାରଣ ଲୋକଙ୍କ ଜୀବନ ତିରୁପତି ପାଣିଗ୍ରାହୀ ଓ ସ୍ବାସ୍ଥ୍ୟ ବିଭାଗ ପାଇଁ ମୂଲ୍ୟହୀନ, ଯେଉଁଥିପାଇଁ ସ୍ବାସ୍ଥ୍ୟ ବିଭାଗ ତାର ନିଷ୍କ୍ରିୟତା ଦେଖାଇ ଚୁପ ହୋଇ ବସି ରହିଛି । ଆଉ ଲୋକଙ୍କ ମୃତ୍ୟୁକୁ ପରେ ବି ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି ଆଉ ଘଟଣାକୁ ଚାପି ଦେବାକୁ ଦୁର୍ଘଟଣାର ନାମ ଦେଉଛନ୍ତି ।"
ଏହା ବି ପଢନ୍ତୁ- ଘରୋଇ ହସ୍ପିଟାଲ ବିସ୍ଫୋରଣ ପ୍ରସଙ୍ଗ, ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି
ବିଭୁ ପ୍ରସାଦ ଆହୁରି କହିଛନ୍ତି, " ଏହାକୁ କେବେବି ସହ୍ୟ କରିବନି ସଙ୍ଘ । ଆଜି ଟମାଟୋ ମାଡ଼ ହୋଇଛି ଆଗକୁ ଗୋବର ମାଡ ହେବ ଆଉ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିବ ସଂଗଠନ । ୫ଟି ଅଧକ୍ଷଙ୍କୁ ମଧ୍ୟ ଏହାର ଜବାବ ମାଗିବୁ ଆଉ ତାଙ୍କ ବାସ ଭବନ ଘେରାଓ କରିବୁ । ତିନି ତିନିଟା ଜୀବନ ଚାଲିଗଲା ପରେ ବି କାହିଁକି ସ୍ବାସ୍ଥ୍ୟ ବିଭାଗ ହାଇଟେକ ମାମଲାରେ ହସ୍ତକ୍ଷେପ କରୁନାହାନ୍ତି ଆଉ ଦୋଷୀଙ୍କୁ ଦଣ୍ଡ ଦିଆଯାଉନି । ଯଦି ଏଭଳି କରାଯାଏ ଆଗକୁ ତେବେ ଆନ୍ଦୋଳନ ଆଗକୁ ଜୋରଦାର ହେବ।"
ଇଟିଭି ଭାରତ, ଭୁବନେଶ୍ବର