ଭୁବନେଶ୍ବର: ଦୁଇ ବର୍ଷ କୋଭିଡ କଟକଣା ପରେ ଚଳିତ ବର୍ଷ ବିନା କୌଣସି କଟକଣାରେ ନୂଆବର୍ଷକୁ ସ୍ବାଗତ କରିବେ ରାଜଧାନୀବାସୀ । ତେବେ ପ୍ରଶାସନର କିଛି ଗାଇଡ୍ଲାଇନ ଅନୁସାରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଜିରୋ ନାଇଟ ସେଲିବ୍ରେସନ କରିବେ ଲୋକେ । ବିଭିନ୍ନ ସ୍ଥାନରେ ମଦୁଆ ଓ ବିଶୃଙ୍ଖଳାକାରୀଙ୍କୁ ଧରିବାକୁ ଭୁବନେଶ୍ୱରରେ ୨୮ଟି ଜାଗାରେ ଚାଲିଛି ଚେକିଂ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ।
ହୋଟେଲ ହେଉ ବା କମର୍ସିଆଲ ଇଭେଣ୍ଟ । ପବ୍ଲିକ ପ୍ଲେସ ହେଉ ବା ଟୁରିଷ୍ଟ ପ୍ଲେସ । ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷ ପାଳନରେ ଏଥର ନାହିଁ କଟକଣା । ଖାଲି ପୋଲିସର ଅନୁମତି, ନିର୍ଦ୍ଧାରିତ ଜାଗାରେ ନିର୍ଦ୍ଦିଷ୍ଟ ପରିମାଣର ଲୋକ ଏକତ୍ରୀତ, ପ୍ରାଇଭେଟ ସିକ୍ୟୁରିଟି ଆଦି କ୍ରମେ ସମସ୍ତେ ପାଳନ କରିପାରିବେ ଜିରୋ ନାଇଟ ବା ନୂଆବର୍ଷ । ଡିସିପିଙ୍କ ସୂଚନା ଅନୁସାରେ, ଯେଉଁମାନେ ହୋଟେଲ କିମ୍ବା ପବ୍ଲିକ ପ୍ଲେସରେ ଜିରୋ ନାଇଟ ସେଲିବ୍ରେସନ କରିବେ, ସେମାନେ ବ୍ୟବହାର ଠିକ ରଖିବେ । ରାତି ୭ଟା ଠାରୁ ସୁରକ୍ଷା ବ୍ୟବସ୍ଥା କଡାକଡି ଲାଗୁ କରିବ କମିଶନରେଟ୍ ପୋଲିସ । ଯେଉଁ ଯେଉଁ ଜାଗାରେ ହୋଟେଲ ରହିଛି ସେ ଜାଗାକୁ ଅତିରିକ୍ତ ଫୋର୍ସ ଦିଆଯିବ । ଭୁବନେଶ୍ବରରେ ୨୮ଟି ଜାଗାରେ ବ୍ଲକିଂ ଚେକିଂ କରାଯାଇଛି । ରାତି ୭ରୁ ସକାଳ ୬ ଯାଏଁ ଚେକିଂ ବଳବତ୍ତର ରହୁଛି । ୧୭ଟି ଜାଗାରେ ଡ୍ରଙ୍କେନ ଡ୍ରାଇଭ ଚେକିଂ ହେବ, ୪ଟି ଜାଗାରେ କୁଇକ୍ ଆକ୍ସନ ଟିମ ନିୟୋଜିତ ରହିବେ, ୩ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ରହିବେ ।
ଶାନ୍ତି ଶୃଙ୍ଖଳାର ସହ ନୂଆବର୍ଷ ସେଲିବ୍ରେସନ କରିବେ ଲୋକେ । ୪ ଜଣ ଅତିରିକ୍ତ ଡିସିପି, ୬ ଜଣ ଏସିପି, ୨୩ ଜଣ ଇନ୍ସପେକ୍ଟର, ୪୯ ଜଣ SI ଏବଂ ASIଙ୍କ ସମେତ ୧୩ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ । ଜାନୁଆରୀ ୧ ତାରିଖରେ ରାଜଧାନୀର ସମସ୍ତ ପର୍ଯ୍ୟଟକସ୍ଥଳୀରେ ୧୦ ଟି ସେକ୍ସନ ଫୋର୍ସ ନିୟୋଜିତ ରହିବେ । ପ୍ରତିଦିନ ମିଡିଆ, ସୋସିଆଲ ମିଡିଆ ଓ ରେଡ଼ିଓ ମାଧ୍ୟମରେ ଟ୍ରାଫିକ ସମସ୍ୟା ବିଷୟରେ ଅବଗତ କରାଯିବ । ସାଧାରଣ ସ୍ଥାନରେ ରାତି ୧୦ଟା ଯାଏଁ ମାଇକ ବଜେଇବା ପାଇଁ ଅନୁମତି ରହିଛି । ତେଣୁ ସେ ଦିଗରେ ମଧ୍ୟ ପୋଲିସ ଜନସାଧାରଣଙ୍କୁ ବାରଣ କରିବ । ତେବେ ଘର ଭିତରେ ରାତି ୧୨ଟା ଯାଏଁ ମାଇକ ବଜାଇ ପାରିବେ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ।
ଇଟିଭି ଭାରତ, ଭୁବନେଶ୍ବର