ଭୁବନେଶ୍ବର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳତା ପରେ ଭାରତ ଆଜି ଆରମ୍ଭ କରିଛି ସୂର୍ଯ୍ୟ ଅଭିଯାନ। ଆଦିତ୍ୟ L1 କୁ ପ୍ରେରଣ କରିଛି ଇସ୍ରୋ । ଭୁବନେଶ୍ଵର ସ୍ଥିତ ସେଣ୍ଟ୍ରାଲ ଟୁଲ୍ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି)ର ବୈଜ୍ଞାନିକ ଓ କର୍ମଚାରୀମାନେ ଏନେଇ ଖୁସିବ୍ୟକ୍ତ କରିଛନ୍ତି । କାରଣ ଚନ୍ଦ୍ରଯାନ-୩ ଭଳି ଆଦିତ୍ୟ L1ରେ ମଧ୍ୟ ସିଟିଟିସିରୁ ତିଆରି ହୋଇଛି ଯନ୍ତ୍ରାଂଶ ।
ଆଦିତ୍ୟ L1 ସହ ପିଏସ୍ଏଲ୍ଭି-ସି57ର ଅଧିକାଂଶ ଯନ୍ତ୍ରାଂଶ ସିଟିଟିସି ପକ୍ଷରୁ ଇସ୍ରୋକୁ ଯୋଗାଇ ଦିଆଯାଇଛି। ଏହି ମହାକାଶଯାନ ସୂର୍ଯ୍ୟ ନିକଟକୁ ଯାଉଥିବାରୁ ସେଥିରେ ଲାଗିଥିବା ଉପକରଣଗୁଡ଼ିକୁ ହାଇ-ହିଟ୍ ରେଜିଷ୍ଟାଣ୍ଟ୍ ବା ଉଚ୍ଚତାପ ସହନ ଶକ୍ତି ଥିବା କାଚ, କ୍ବାର୍ଜ ଓ ଇଙ୍କୋନେଲରେ ଗଢ଼ାଯାଇଛି । ଲଞ୍ଚ ଭେଇକିଲ୍ର ବିଭିନ୍ନ ପାର୍ଟରେ ଲାଗୁଥିବା ସାମଗ୍ରୀ ଏଠାରୁ ପଠାଯାଇଛି । ଯନ୍ତ୍ରାଂଶ ତିଆରିରେ ଏଠାକାର କର୍ମଚାରୀମାନେ କଠିନ ପରିଶ୍ରମ କରିଥିବାରୁ ମିଶନ ଆଦିତ୍ୟର ସଫଳତା ନେଇ ଖୁସି ହୋଇଛନ୍ତି ସିଟିଟିସିର ସମସ୍ତ କର୍ମଚାରୀ ।
ଏହା ବି ପଢନ୍ତୁ- Gaganayaan Mission: ଇସ୍ରୋର ପ୍ରଥମ ମ୍ୟାନ ମିଶନ, ଭୁବନେଶ୍ବର CTTCରେ ପ୍ରସ୍ତୁତି ଜୋରଦାର
ସିଟିଟିସି ଦ୍ଵାରା ପ୍ରସ୍ତୁତ ବହୁ ପରିମାଣର ଯନ୍ତ୍ରାଂଶ ଚନ୍ଦ୍ରଯାନ-3 ରେ ବ୍ୟବହାର ହୋଇଥିଲା । ଲ୍ୟାଣ୍ଡର୍ ଓ ରୋଭରରେ ଲାଗିଥିବା ଯନ୍ତ୍ରପାତିଗୁଡ଼ିକ ସିଟିଟିସି ପ୍ରସ୍ତୁତ କରି ଇସ୍ରୋକୁ ଯୋଗାଇଥିଲା । ସିଟିଟିସି ୭୫ ହଜାର ଯନ୍ତ୍ରାଂଶ ନିର୍ମାଣ କରିଥିଲା । ନିର୍ମାଣ ହୋଇଥିବା ଯନ୍ତ୍ରାଂଶରେ ୧୫୦ କର୍ମଚାରୀ ଓ ଟ୍ରେନିଂ ସାମିଲ ଥିଲେ । ଚନ୍ଦ୍ରଯାନ-୩ର ସବୁଠାରୁ ଜଟିଳ ଯନ୍ତ୍ରାଂଶ ସିଟିଟିସି ନିର୍ମାଣ କରିଛି । ଲ୍ୟାଣ୍ଡରର ସମସ୍ତ ଜଟିଳ ଯନ୍ତ୍ରାଂଶ ମଧ୍ୟ ଏଠାରେ ନିର୍ମାଣ କରାଯାଇଛି। ଚନ୍ଦ୍ରଯାନ-୩ରେ ୩ଟି ଆଣ୍ଟିନା ଓ ହାଇ ବର୍ଡର ସେନ୍ସର ଲାଗିଛି । ଏ ଯନ୍ତ୍ରାଂଶଗୁଡ଼ିକୁ ଲଞ୍ଚ ଭେଇକିଲରେ ଫିଟିଂ କରିବା ଯାଏଁ ଭୂମିକା ନିଭାଇଛି ସିଟିଟିସି।
ସୂଚନା ଅନୁସାରେ ପୃଥିବୀଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ରହିଥିବା ଏହି ସବୁ ବିନ୍ଦୁକୁ ଲାଗରେଞ୍ଜ ପଏଣ୍ଟ ୧,୨,୩,୪ ଏବଂ ୫ରେ ନାମକରଣ କରାଯାଇଛି । ହଲୋ ଅର୍ବିଟ୍ ବା ଲାଗରେଞ୍ଜ ପଏଣ୍ଟ ୧ । ଏହି ଲାଗରେଞ୍ଜ ପଏଣ୍ଟ-୧ରେ ରହିବ ଆଦିତ୍ୟ । ଏଠାରେ ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି ସମାନ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ପ୍ରତ୍ୟେକ ଜିନିଷକୁ ନିଜ ଆଡକୁ ଟାଣେ । ସେହିପରି ଭାବରେ ସୂର୍ଯ୍ୟର ମହାକର୍ଷଣ ଶକ୍ତି ମଧ୍ୟ ଯେକୌଣସି ବସ୍ତୁକୁ ଟାଣିଥାଏ । କିନ୍ତୁ ଲାଗରେଞ୍ଜ ପଏଣ୍ଟରେ ଉଭୟ ଶକ୍ତି ସମାନୁପାତରେ ରହିଛି । ଯାହା ପୃଥିବୀଠାରୁ ଏହାର ଦୂରତା ରହିଛି ୧୫ ଲକ୍ଷ କିମି । ସେହିପରି ସୂର୍ଯ୍ୟଠାରୁ ଏହାର ଦୂରତା ରହିଛି ୧୪ କୋଟି ୮୫ ଲକ୍ଷ କିମି ଦୂର। ଏହି ସ୍ଥାନରେ ରହି ସୂର୍ଯ୍ୟକୁ ଅନୁଧ୍ୟାନ କରିବ ଆଦିତ୍ୟ ।
ଇଟିଭି ଭାରତ, ଭୁବନେଶ୍ବର