ଭୁବନେଶ୍ବର: ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ସରକାରଙ୍କୁ ଦାବି କରିଛନ୍ତି ଭୁବନେଶ୍ବର ବାଲିଯାତ୍ରା କମିଟି । ଏନେଇ କମିଟି ପକ୍ଷରୁ ବୁଦ୍ଧ ମନ୍ଦିରରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ପ୍ରେସମିଟ୍ ମାଧ୍ୟମରେ କାହିଁକି ଭୁବନେଶ୍ବରକୁ ଜିଲ୍ଲା ମାନ୍ୟତା ଦିଆଯିବା ଉଚିତ ସେନେଇ କମିଟି ତଥ୍ୟ ଉପସ୍ଥାପନା କରିଛି ।
କମିଟି ପକ୍ଷରୁ କୁହାଯାଇଛି, ରାଜ୍ୟରେ ବର୍ତ୍ତମାନ ୧୨ ଜିଲ୍ଲାର ଲୋକସଂଖ୍ୟା ଭୁବନେଶ୍ୱରଠାରୁ କମ୍ । ହେଲେ ସେହି ଜିଲ୍ଲାଗୁଡିକ ୩୦ ବର୍ଷ ହେବ ଜିଲ୍ଲାର ମାନ୍ୟତା ବଜାୟ ରଖିଛନ୍ତି । ସେହି ଅନୁସାରେ ଭୌଗଳିକ ମାନଚିତ୍ରରେ ପରିଧି ମଧ୍ୟରେ ଥିବା ଭୁବନେଶ୍ୱର ତାର ଜନସଂଖ୍ୟାକୁ ନେଇ ଜିଲ୍ଲାର ମାନ୍ୟତା ପାଇବା ପାଇଁ ପ୍ରଯୁଜ୍ୟ ବୋଲି ସେମାନେ କହିଛନ୍ତି । ତେବେ ଚଳିତ ବର୍ଷ ଭୁବନେଶ୍ୱରକୁ ୭୫ ବର୍ଷ ପୁରୁଥିବା ବେଳେ ଏହି ମାନ୍ୟତାକୁ ଦିଆଯାଉ ବୋଲି ଦାବିକରି ୧୦ ହଜାର ଲୋକଙ୍କ ଦସ୍ତଖତ ଦସ୍ତାବିଜ ସହ ସରକାରଙ୍କୁ ଦାବିପତ୍ର ଦେଇଛି କମିଟି ।
ସୂଚନାନୁଯାୟୀ, ଭୁବନେଶ୍ୱରରେ ବର୍ତ୍ତମାନ ୧୧ ଲକ୍ଷ ୬୧ ହଜାର ଲୋକସଂଖ୍ୟା ରହିଛି । ଏହି ତୁଳନାରେ ବୌଦ୍ଧ ୪ ଲକ୍ଷ ୪୧ ହଜାର ୧୬୨, ଦେବଗଡ ୩ ଲକ୍ଷ ୧୯ ହଜାର ୧୬୪, ଗଜପତି ୫ଲକ୍ଷ ୭୭ ହଜାର ୮୧୭, ଜଗତସିଂହପୁର ୧୧ ଲକ୍ଷ ୩୭ ହଜାର ୯୭୧, ଝାରସୁଗୁଡା ୫ଲକ୍ଷ ୭୯ ହଜାର ୫୦୫, କନ୍ଧମାଳ ୭ ଲକ୍ଷ ୩୩ ହଜାର ୧୧୦ ଏବଂ ସୁବର୍ଣ୍ଣପୁରରେ ୬ ଲକ୍ଷ ୧୦ ହଜାର ୧୮୩ ଲୋକସଂଖ୍ୟା ରହିଛି । ଏମାନଙ୍କ ଲୋକସଂଖ୍ୟା ଭୁବନେଶ୍ୱରଠୁ କମ୍ ହୋଇଥିବା ବେଳେ ଜିଲ୍ଲାର ମାନ୍ୟତା ପାଇଛନ୍ତି ।
ତେଣୁ ଏହି ୧୧ ଜିଲ୍ଲାର ତୁଳନାରେ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସହରକୁ ଜିଲ୍ଲର ମାନ୍ୟତା ଦିଆଯାଉ ବୋଲି କହିଛି କମିଟି । ଅନ୍ୟପଟେ ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିବା ବେଳେ ମାତ୍ର ୬ ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ୧୯୦୩ରେ ଏହି ବିପ୍ଳବ ଆରମ୍ଭ ହୋଇଥିବା ବେଳେ ୩୦ ବର୍ଷର ପରିଶ୍ରମ ପରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ତେଣୁ ସମୟକ୍ରମେ ସ୍ଥିତି ବଦଳିଥିବା ବେଳେ ଭୁବନେଶ୍ୱର ଲୋକଙ୍କର ସୁବିଧା ସୁଯୋଗ ପାଇଁ ଜିଲ୍ଲା ମାନ୍ୟତା ଦେବାକୁ ସରକାରଙ୍କ ନିକଟରେ ଦାବି ହୋଇଛି । ଭୁବନେଶ୍ୱରକୁ ନେଇ ସରକାର ବିଚାର କରନ୍ତୁ ଆଉ ସମସ୍ତ ମାନସମନ୍ଥନ କରି କିଭଳି ଏହାକୁ ଜିଲ୍ଲାର ମାନ୍ୟତା ଦିଆଯିବ ସେ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ କମିଟି ଦାବି କରିଛି ।
ଇଟିଭି ଭାରତ, ଭୁବନେଶ୍ବର