ଖୋର୍ଦ୍ଧା: ବେଗୁନିଆ ବିଡ଼ିଓଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଜାଲିଆତି ଅଭିଯୋଗରେ ସୋମବାର ପାଞ୍ଚଟି ପଞ୍ଚାୟତର ଶତାଧିକ ଲୋକେ ବେଗୁନିଆ ବ୍ଳକ କାର୍ଯ୍ୟାଳୟ ଘେରାଉ କରିଥିଲେ । ବେଗୁନିଆ ବ୍ଲକର ହଜ, ସିକୋ, ସଗଡ଼ଭଙ୍ଗା, ହୀରପୁର ଓ ବୋତଳମା ପଞ୍ଚାୟତର ନିର୍ବାଚିତ ଲୋକ ପ୍ରତିନିଧି ଏବଂ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀମାନେ ସୋମବାର ବେଗୁନିଆ ବ୍ଳକ କାର୍ଯ୍ୟାଳୟ ଘେରାଉ କରି ଧାରଣାରେ ବସିଥିଲେ ।
ସୂଚନା ଅନୁଯାୟୀ ସରକାର ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରିଛନ୍ତି । କିନ୍ତୁ ପୂର୍ବରୁ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ପୂର୍ବକ ଜିଓ ଟ୍ୟାଗ କରାଯାଇଥିଲା ମଧ୍ୟ ଏହି ତାଲିକାରୁ ବହୁ ଯୋଗ୍ୟ ହିତାଧିକାରୀ ବାଦ ପଡିଛନ୍ତି ।
ଏହାର ପ୍ରତିବାଦରେ ଯୋଗ୍ୟ ହିତାଧିକାରୀମାନେ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ହେଲେ, ବେଗୁନିଆ ବିଡ଼ିଓ ଧାରଣାରତ ହିତାଧିକାରୀ ଏବଂ ଜନପ୍ରତିନିଧିମାନଙ୍କୁ ଆସନ୍ତା ଏପ୍ରିଲ ମାସରେ ପ୍ରକୃତ ହିତାଧିକାରୀଙ୍କୁ ଘର ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ