ଭୁବନେଶ୍ବର: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ମିଥ୍ୟା ଅଭିଯୋଗ ଓ ଅପପ୍ରଚାର ନେଇ ସୋସିଆଲ ମିଡିଆରେ ଉଦବେଗ ପ୍ରକାଶ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କ ନାମରେ ଏକ ଠକେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବର୍ଷାଙ୍କ ଓକିଲ । ସେ କହିଛନ୍ତି ଏହା ଏକ ମିଥ୍ୟା ଅଭିଯୋଗ । ଏଥିରେ କିଛି ବି ସତ୍ୟତା ନାହିଁ । ଆମ ପାଖରେ ଯାହାବି ତଥ୍ୟ ରହିଛି ସେସବୁ ଆମେ ଥାନ ଅଧିକାରୀଙ୍କୁ ପ୍ରଦାନ କରିବୁ । କିଛି ଖଳପ୍ରକୃତିର ବ୍ୟକ୍ତି ଚକ୍ରାନ୍ତ କରି ବର୍ଷାଙ୍କୁ ଫସେଇବାକୁ ଚାହୁଁଛନ୍ତି ।
ସୂଚନା ଅନୁସାରେ ଜନୈକ ମହିଳା ବର୍ଷାଙ୍କ ନାମରେ ୩୦ ହଜାର ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି । ବର୍ଷାଙ୍କ ଓକିଲଙ୍କ କହିବା ମୁତାବକ ଗୋଟିଏ ଅଜଣା ବ୍ୟାଙ୍କ ଆକାଉଣ୍ଟରୁ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଆସିଥିଲା । ଏହା ପରେ ବ୍ୟାଙ୍କ ମ୍ୟାନେଜର ସହ ଆଲୋଚନା କରି ସେହି ଟଙ୍କାଙ୍କୁ ଫେରାଇ ଦେଇଥିବା କହିଛନ୍ତି ବର୍ଷାଙ୍କ ଓକିଲ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେଉଁ ମହିଳା ଜଣଙ୍କ ବର୍ଷାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତାଙ୍କ ସହିତ ବର୍ଷାଙ୍କର କୌଣସି ସମ୍ପର୍କ ନାହିଁ ।
ଏନେଇ ସୋସିଆଲ ମିଡିଆରେ ବର୍ଷା ପ୍ରିୟଦର୍ଶିନୀ ଅଭିଯୋଗ କରି ଆଣିଛନ୍ତି ଯେ "୨୦୨୦ ମସିହାରୁ ମୋ ବିରୋଧରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ମିଥ୍ୟା ଅଭିଯୋଗ ଆଣି ଷଡଯନ୍ତ୍ର କରି ମତେ ଦାବି ଦେବା ପାଇଁ ଚେଷ୍ଟା କରାଯାଉଛି । ତେଣୁ ଯେଉଁମାନେ ଚକ୍ରାନ୍ତ କରି ଏଭଳି ଘୃଣ୍ୟ ଅଭିଯୋଗ ଆଣିଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନ ଦ୍ବାରସ୍ଥ ହେବି ଓ ଚେଷ୍ଟା କରିବି ସେମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳୁ । ଆଗରୁ କହିଛି ଓ ଏବେ ବି କହୁଛି ମୁଁ ଜଣେ ସାଧାରଣ ମଣିଷ । ସ୍ବଚ୍ଛ ମନ ଓ ନିର୍ମଳ ହୃଦୟ ନେଇ ଆପଣମାନଙ୍କ ସହଯୋଗରେ ସମାଜ ପାଇଁ କିଛି କରିବାକୁ ଚାହୁଁଛି ।"
ଇଟିଭି ଭାରତ, ଭୁବନେଶ୍ବର