ଖୋର୍ଦ୍ଧା: ବିଜେପି ନେତାଙ୍କୁ ଗିରଫ କରିବା ଦାବିରେ ଥାନା ଘେରାଉ କଲେ ବିଜଡି କର୍ମୀ । ଏହାକୁ ନେଇ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ବାଲୁଗାଁ ସ୍ଥିତ ଚିଲିକାରାଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ପାଣ୍ଠିରୁ ଦଶ ଲକ୍ଷ ଟଙ୍କାର ଅନୁଦାନ ଦେଇ ନୂତନ ଶ୍ରେଣୀ ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଥିଲା । ତେବେ କୌଣସି କାରଣରୁ ଏହାକୁ ସ୍ଥାନୀୟ କିଛି ଲୋକ ବିରୋଧ କରିଥିଲେ ।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । କିନ୍ତୁ ଏହି ସମୟରେ ବିଜେଡିର କିଛି ନେତାଙ୍କୁ ବିଜେପି ନେତା ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ମୁତାବକ, ବିଜେଡିର ବାଲୁଗାଁ ଏନଏସି କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ବେହେରାଙ୍କୁ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । କୃଷ୍ଣ ବେହେରାଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ପାଇଁ ନିରଞ୍ଜନ ଧମକ ଦେଇଥିବା ଅଭିଯୋଗ ହୋଇଥିଲା ।
ଦୁଇ ଦଳ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାକୁ ନେଇ ବିଜେଡି କର୍ମୀ ପ୍ରତିବାଦ କରିବା ସହ ନିରଞ୍ଜନ ସେଠୀଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ପରେ ବିଜେପି ନେତା ନିରଞ୍ଜନ ସେଠୀ ଏବଂ ଅଜୟ ତରାଇଙ୍କୁ ଥାନାରେ ପୋଲିସ ଅଟକ ରଖିଛି । ସେପଟେ ଏହାକୁ ନେଇ ବିଜେପି ପକ୍ଷରୁ ମଧ୍ୟ ଘୋର ବିରୋଧ କରାଯାଇଛି । ମିଥ୍ୟା ମାମଲାରେ ମିରଞ୍ଜନ ଏବଂ ଅଜୟଙ୍କୁ ବାଲୁଗାଁ ପୋଲିସ ଅଟକ ରଖିଛି ବୋଲି ବିଜେପି ପାଲଟା ଅଭିଯୋଗ କରିଛି ।
ଏନେଇ ବାଲୁଗାଁ ଥାନାରେ ଚାପା ଉତ୍ତେଜନା ଦେଖାଯାଇଛି। ଉଭୟ ବିଜେପି-ବିଜେଡ଼ି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ପରିସ୍ଥିତିକୁ ଦେଖି ଥାନା ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ