ଭୁବନେଶ୍ବର: ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ (Akshay Parija Blackmailing Case) ପୋଲିସ ଛାଉଣୀରେ ରହସ୍ୟମୟୀ ଅର୍ଚ୍ଚନା SDJM କୋର୍ଟରେ ହାଜର ହୋଇଥିଲେ । ଆଜି କୋର୍ଟରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଛି । ବର୍ତ୍ତମାନ ଜାମିନକୁ ନେଇ ରାୟ ସଂରକ୍ଷିତ ରଖିଛନ୍ତି ଭୁବନେଶ୍ବର SDJM କୋର୍ଟ । ଏନେଇ ସରକାରୀ ଓକିଲ ସୂଚନା ପ୍ରଦାନ କରିଛନ୍ତି ।
ଏହି ଲେଡି ବ୍ଲାକମେଲର ପ୍ରଯୋଜକଙ୍କ ଅଶ୍ଳୀଳ ଫଟୋ ଜରିଆରେ ତାଙ୍କୁ ବ୍ଲାକମେଲ କରିବା ଓ ଟଙ୍କା ମାଗିଥିବା ଅଭିଯୋଗ ରହିଛି । ଏହି ଘଟଣାରେ ନୟାପଲ୍ଲୀ ପୋଲିସର ରିମାଣ୍ଡ ଟ୍ୟାଗ୍ ପାଇଁ ସେ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି । ଗଣମାଧ୍ୟମ ଓ ପୋଲିସର ଭିଡ଼ ଭିତରେ ଗାଡିରୁ ଓହ୍ଲାଇଥିଲେ ଅର୍ଚ୍ଚନା । ଗଣମାଧ୍ୟମର ପ୍ରତିନିଧି ଅର୍ଚ୍ଚନାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ଆଉ ଅର୍ଚ୍ଚନା କହିଥିଲେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ ।
କିଛି ପ୍ରଶ୍ନ ଉତ୍ତର ଭିତରେ କୋର୍ଟ ଭିତରକୁ ଯାଇଥିଲେ ଅର୍ଚ୍ଚନା । ପ୍ରଯୋଜକ ଅକ୍ଷୟ ପରିଜା ବ୍ଲାକମେଲିଂ ଓ ଟଙ୍କା ମାଗିବା ଅଭିଯୋଗରେ କରିଥିବା ମାମଲାରେ ଶୁଣାଣି ପାଇଁ ଆଜି କୋର୍ଟକୁ ଅଣାଯାଇଥିଲା । ଏହି ମାମଲାରେ ଅର୍ଚ୍ଚନାଙ୍କ ନାଁରେ ରିମାଣ୍ଡ ଟ୍ୟାଗ କରାଗଲା । ଅର୍ଥାତ ପୂର୍ବରୁ ଥିବା ମାମଲା ସହିତ ନୟାପଲ୍ଲୀ ମାମଲାକୁ ଯୋଡି ଦିଆଗଲା ।
ଖଣ୍ଡଗିରି ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ଗତ ଅକ୍ଟୋବର 6 ତାରିଖରେ ଅର୍ଚ୍ଚନା ଗିରଫ ହୋଇଥିଲେ । ସେ ଏବେ ଝାରପଡା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି । ପୂର୍ବରୁ ଦୁଇଥର ସେ ଭିଡିଓ କନଫରେନ୍ସ ଜରିଆରେ କୋର୍ଟରେ ହାଜର ହୋଇଥିଲେ । ତାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଚ୍ଚନାଙ୍କ ଗିରଫର 15 ଦିନ ପରେ ଗତ 21 ତାରିଖରେ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରାଯାଇଥିଲା । ଏବେ ଉଭୟ ସ୍ବାମୀ-ସ୍ତ୍ରୀ ଉଭୟ ଝାରପଡା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।
ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଗତ ସେପ୍ଟେମ୍ବର 30 ତାରିଖରେ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ନାମକ ଯୁବତୀଙ୍କ ନାଁରେ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲ କରି ଟଙ୍କା ମାଗୁଥିବାର ଅଭିଯୋଗ କରିଥିଲେ । ହେଲେ ଗତ ଅକ୍ଟୋବର 2 ତାରିଖରେ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି କରିଥିବା ଅଭିଯୋଗ ଆଧାରରେ ଅର୍ଚ୍ଚନା ଓ ପରେ ତାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ IPCର ଦଫା 341,328,324,354(c), 370, 386, 387, 388, 389, 419, 420, 465, 506, 120(b), ଓ IT ଆକ୍ଟରେ ଗିରଫ କରିଥିଲା ପୋଲିସ । ତେବେ ନୟାପଲ୍ଲୀ ଥାନାର କେସ୍ ଯେହେତୁ ଅର୍ଚ୍ଚନାଙ୍କ ନାଁରେ ରହିଛି । ତେଣୁ ପୁନଶ୍ଚ ନୟାପଲ୍ଲୀ କେସ୍ ଆଧାରରେ ଅର୍ଚ୍ଚନାଙ୍କ ବିରୋଧରେ ରିମାଣ୍ଡ ଟ୍ୟାଗ ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା । ଏଥିପାଇଁ କୋର୍ଟ ଅର୍ଚ୍ଚନାଙ୍କୁ ସିଧାସଳଖ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।