ଖୋର୍ଦ୍ଧା: ଜମିଜମା ରେକର୍ଡ ସଂଶୋଧନ ଦାବିରେ ରାସ୍ତାକୁ ଓହ୍ଲାଇଲା ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟି । ବିକ୍ଷୋଭ ପ୍ରଦର୍ଶନ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟି ସଦସ୍ୟ । ଏହି ବିକ୍ଷୋଭ ପ୍ରଦର୍ଶନରେ ନରଣଗଡ, ନିଜିଗଡ ତାପଙ୍ଗ, ଧଉଳିମୁହଁ ତିନି ପଞ୍ଚାୟତ ୧୫ଖଣ୍ଡ ଗ୍ରାମର ୫ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ସାମିଲ ହୋଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ସେମାନଙ୍କ ଜମିର ସତ୍ତ୍ବାଧିକାର ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର କରାଯିବାକୁ ଦାବି କରିଛନ୍ତି । ଦୀର୍ଘ ବର୍ଷ ଧରି ସରକାରଙ୍କ ନିକଟରେ ଏନେଇ ଦାବି ସତ୍ତ୍ବେ ଏଥିପ୍ରତି ଗୁରୁତ୍ବ ଦିଆଯାଉନାହିଁ । ଫଳରେ ଗ୍ରାମବାସୀ ଜମିଜମା ବିକ୍ରି ଓ ଅନନ୍ୟା ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏନେଇ ଗତକାଲି ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ତହସିଲର ନିଜିଗଡ଼ତାପଙ୍ଗ, ଝିଙ୍କିଝାରୀ, ଦୁର୍ଗାପ୍ରସାଦ, ଜଗନ୍ନାଥପୁର, ନରଣଗଡ଼ , ଭୋଗପୁର, ଭଗବାନପୁର, କୁରୁମପଡ଼ା, ହାଡ଼ପଦା, କଞ୍ଚିଲେ, ମେଦିନି,ବଳପୁର, ଧବଳପୁର, ଓରକୂଳ ପ୍ରମୁଖ ଗ୍ରାମର ଜମିପଟା ବନ୍ଦୋବସ୍ତ ଜରିଆରେ ସଂଶୋଧନ ପାଇଁ ଦାବି ଜୋର ଧରିଛି । ଏହି ସମସ୍ତ ଗ୍ରାମ ଗୁଡ଼ିକରେ ପାଇକ ବିଦ୍ରୋହ ପାଦଚିହ୍ନ ରହିଛି ।
ଏଠାକାର ବୀର ପାଇକଙ୍କ ବିରୋଧ ଫଳରେ ଇଂରେଜ ସରକାର ୧୮୧୭ରୁ ୧୮୨୭ ମସିହା ପର୍ଯ୍ୟନ୍ତ ଖଜଣା ଆଦାୟରେ ବିଫଳ ହୋଇଥିଲା । ଫଳରେ ୧୮୫୮ ମସିହାରେ ତାପଙ୍ଗ ଓ ୧୮୬୩ ମଧ୍ୟରେ ଏଖାରତମାହଲ ଅଧିନରେ ଥିବା ଜମି ଗୁଡ଼ିକ ଶ୍ରୀମନ୍ଦିର ପରିଚାଳନା ସୁପରିଟେଣ୍ଡେଣ୍ଟ ନାମରେ ରେକର୍ଡ଼ ଭୁକ୍ତ ହୋଇଥିଲା । ଏହି ଜମିର ମାଲିକ ମନ୍ଦିର ପ୍ରଶାସନ, ମାତ୍ର ପ୍ରଜାସତ୍ଵ ଉପରେ କୌଣସି ହସ୍ତକ୍ଷେପ ମନ୍ଦିର ପ୍ରଶାସନ ନ କରିବାକୁ କୁହାଯାଇଥିଲା । ୧୯୭୪ ମାର୍ଚ୍ଚ ୧୮ ତାରିଖରେ ଓଡ଼ିଶାରେ ଜମିଦାର ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହୋଇଥିଲା ।
୧୯୯୮ରେ ଜମିଦାରୀ ଉଚ୍ଛେଦ ଆଇନ ଧାରା ୨୩ ଅନୁସାୟୀ ରାଜ୍ୟ ସରକାର ଜମିଦାର ତଥା ମନ୍ଦିର ପ୍ରଶାସନକୁ କ୍ଷତିପୂରଣ ଦେଇଥିଲେ । ଜମିଦାର ଉଚ୍ଛେଦ ଆଇନ ପରବର୍ତ୍ତୀ ଅବସ୍ଥାରୁ ଉପରୋକ୍ତ ଗ୍ରାମର ପୂଜା ରାଜସ୍ବ ବିଭାଗକୁ ଖଜଣା ଦେଇ ଆସୁଛନ୍ତି । କିନ୍ତୁ ୧୯୯୮ - ୨୦୦୫ ମଧ୍ୟରେ ୧୨୦ ଗ୍ରାମ ଜମିପଟ୍ଟା ଶ୍ରୀଜଗନ୍ନାଥ ବିଜେ ନାମରୁ ରାଜସ୍ଵ ଖାତାକୁ ଆସିଛି । ଅବଶିଷ୍ଟ ୩୬ ଗ୍ରାମରେ ସାମିଲ ଶ୍ରୀଜଗନ୍ନାଥ ବିଜେଙ୍କ ନାମରେ ରେକର୍ଡ଼ ହୋଇରହିଛି । ୧୯୬୨-୧୯୬୫ ମସିହା ବନ୍ଦୋବସ୍ତ ମଧ୍ୟରେ ୧୨୦ ଏଖାରଜାତ ମାହଲ ଗ୍ରାମରେ ଜମିପଟ୍ଟା ସଂଶୋଧନ ହୋଇଥିଲା । ରାଜ୍ୟ ସରକାର ଅବହେଳାରୁ ୩୬ ଗ୍ରାମ ପୂର୍ବଭଳି ଶ୍ରୀଜଗନ୍ନାଥ ବିଜେ ନାମରେ ରେକର୍ଡ଼ ଭୁକ୍ତ ରହିଛି । ଦାବି ସତ୍ତ୍ବେ ରାଜ୍ୟ ସରକାର ଏହାକୁ ଗୁରୁତ୍ବ ଦେଉ ନଥିବା ବେଳେ ୨୦୧୪ ମସିହା ଠାରୁ ଉକ୍ତ ଜମି ବିକ୍ରିବଟା ଉପରେ ସରକାର ପ୍ରତିବନ୍ଧକ ସାଜିଛନ୍ତି ।
୬୨ ବର୍ଷ ହେବ ବନ୍ଦୋବସ୍ତ ହୋଇପାରିନଥିବାରୁ ଜମିଦାର ଶ୍ରୀଜଗନ୍ନାଥ ବିଜେ ହୋଇଥିବା ବେଳେ ସେମାନେ ପ୍ରଜାଭାବେ ଜମିକୁ ଭୋଗ ଦଖଲ କରିଆସୁଛନ୍ତି । ଜମିଦାର ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହେବା ସତ୍ତ୍ବେ ଦେଶ ସ୍ଵାଧୀନତାର ୭୫ ବର୍ଷ ମଧ୍ୟରେ ମଧ୍ୟ ଯେଉଁ ପାଇକ ଇଂରେଜ ସରକାର ବିରୋଧରେ ସଂଗ୍ରାମ କରୁଥିଲେ ତାଙ୍କ ଦାୟଦ ଜମିପଟା ସଂଶୋଧନ କରିବାକୁ ବାରମ୍ବାର ଦୌଡୁଥିବା ଅଭିଯୋଗ ହୋଇଛି ।
ଅତୀତରେ ଆଇନବିଭାଗ ତରଫରୁ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ବୋର୍ଡ଼ ଅଫ୍ ରେଭେନ୍ୟୁ ଜରିଆରେ ଜମିପଟ୍ଟା ସଂଶୋଧନ ବନ୍ଦୋବସ୍ତ ଜରିଆରେ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା । ରାଜ୍ୟ ସରକାର ତୁରନ୍ତ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଦାବି ଉଠିଛି । ଜମିପଟ୍ଟା ସଂଶୋଧନ ହୋଇନଥିବା ବେଳେ ଓଡ଼ିଶା ଖଣି ନିଗମ କେମିତି ଏଠାରେ ଥିବା ମନ୍ଦିର ପ୍ରଶାସନ ସୌରତ ନିଲାମ ଦେଉଛି ତାକୁ ନେଇ ପ୍ରଶ୍ନ ଉଠିଛି ।
ଇଟିଭି ଭାରତ, ଖୋର୍ଦ୍ଧା