ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାରେ ସଂଶୋଧନ ହୋଇଛି । ପୁଞ୍ଜିନିବେଶ ସବସିଡି ରାଶି ଏକ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ୫୦ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହୋଇଛି । ସେହିପରି ଟ୍ରାନ୍ସଜେଣ୍ଡରମାନଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କୃଷି ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରି କୃଷି ଉଦ୍ୟୋଗ କ୍ଷେତ୍ରରେ ପର୍ଯ୍ୟାପ୍ତ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଓ ଯୋଜନାର ସଫଳ ରୂପାୟନ ନିମନ୍ତେ ଏହି ଯୋଜନାର ମାର୍ଗଦର୍ଶିକାରେ ପରିବର୍ତ୍ତନ କରାଯାଇଛି ।
ଏହି କ୍ରମରେ କୃଷି ଉଦ୍ୟୋଗରେ ପୁଞ୍ଜିନିବେଶ ସବସିଡି ରାଶି ୫୦ ଲକ୍ଷ ଟଙ୍କାରୁ ଏକ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶର ସମ୍ଭାବନାକୁ ଦୃଷ୍ଟିରେ ରଖି ୫୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । ପୂର୍ବରୁ ସର୍ବୋଚ୍ଚ ୨୦ କୋଟି ଟଙ୍କାର ପ୍ରକଳ୍ପ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରାଯାଇଥିଲା ।
ସେହିପରି ଯୋଜନାକୁ ବ୍ୟାପକ କରିବା ପାଇଁ ଟ୍ରାନ୍ସଜେଣ୍ଡରମାନଙ୍କୁ ଏଥିରେ ସାମିଲ କରାଯାଇଛି । ୫୦ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜିନିବେଶ ସବସିଡି ରାଶି ପାଇବା ନିମନ୍ତେ ସେମାନେ ଯୋଗ୍ୟ ବିବେଚିତ ହେବେ । ରାଜ୍ୟରେ କୃଷି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଏବଂ ବିପୁଳ କର୍ମ ସଂସ୍ଥାନ ସୃଷ୍ଟି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାଦ୍ବାରା ରାଜ୍ୟରେ କୃଷି ଏବଂ ଆନୁଷଙ୍ଗିକ କୃଷି ସହିତ ଜଡ଼ିତ କୃଷକମାନଙ୍କର ଆୟବୃଦ୍ଧି ଘଟିବା ସହିତ ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ହୋଇପାରୁଛି । ଏହି ସଂଶୋଧିତ ମାର୍ଗଦର୍ଶିକା ୨୦୨୩ ମସିହା ଅପ୍ରେଲ ୧ ତାରିଖରୁ ଅନଲାଇନରେ ଆବେଦନ କରିଥିବା ଉଦ୍ୟୋଗୀଙ୍କ ନିମନ୍ତେ ଲାଗୁ କରାଯାଇଛି ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଏକ ପ୍ରମୁଖ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜନ କରାଯାଏ । ଏହି ଯୋଜନାର ପ୍ରତିକାତ୍ମକ ଲୋଗା ଓ ସାମାଜିକ ଗଣମାଧ୍ୟମରେ ପ୍ରସାରଣଯୋଗ୍ୟ ଭିଡ଼ିଓ ଉନ୍ମୋଚନ ହୋଇଛି । ଯୋଜନାର ରୂପରେଖ ଓ ପରିବର୍ତ୍ତିତ ମାର୍ଗଦର୍ଶିକା ମଧ୍ୟ ଜାରି ହୋଇଛି । ଗୋ-ସୁଗମ ପୋର୍ଟାଲ ହେଉଛି ଗୋଟିଏ ଏକକ ପ୍ଲାଟଫର୍ମ, ଯାହା ମାଧ୍ୟମରେ ଜଣେ କୃଷି ଉଦ୍ୟୋଗୀ ବିଭିନ୍ନ ସେବାର ସୁବିଧା ହାସଲ କରିପାରିବ ।
ଇଟିଭି ଭାରତ, ଭୁବନେଶ୍ବର